ଦେଶର ଅର୍ଥନୀତି ତଳକୁ ତଳକୁ

କିଶୋର ଜେନା

ଦେଶର ଅର୍ଥନୀତି ତଳକୁ ତଳକୁ ଯାଉଛି, ଆଉ ପ୍ରଧାନମନ୍ତ୍ରୀ ଅର୍ଥନୈତିକ ସଂସ୍କାରର ଗଳ୍ପ ଶୁଣାଉଛନ୍ତି। ସଂସ୍କାର ନୀତି ସମ୍ପର୍କରେ ତାଙ୍କର ଦାବି, କୋଭିଡ୍‌ ମହାମାରୀ ସମୟରେ ଏହି ଉଦ୍ୟମ ଆସ୍ଥା ଓ ଉତ୍ସାହ ସୃଷ୍ଟିରେ ସହାୟକ ହେବ। ଏହି ସଂସ୍କାର ପ୍ରକ୍ରିୟାରେ ସେ ଅଂଶୀଦାର ଭାବେ ରାଜ୍ୟଗୁଡ଼ିକୁ ନେଇଛନ୍ତି। ତାଙ୍କ ଭାଷାରେ କେନ୍ଦ୍ର ଓ ରାଜ୍ୟର ଭାଗୀଦାରି। ଏହାଫଳରେ ଦେଶର ନଇଁପଡ଼ିଥିବା ଅର୍ଥନୀତିର ଅବସ୍ଥା ଫେରିପାଇଛି ବା ଫେରିପାଇବ କି ନାହିଁ, ଏଭଳି ଆଶା ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ ଜାଗ୍ରତ କରିପାରିନାହାନ୍ତି। ତେବେ ବେଶ୍‌ ମନଭୁଲାଣିଆ କଥା ଶୁଣେଇଛନ୍ତି ଏବଂ ଚାରି ସଂସ୍କାରନୀତି କଥା ମଧ୍ୟ କହିଛନ୍ତି।
୨୨ଜୁନ୍‌ରେ ସାମାଜିକ ଗଣମାଧ୍ୟମ ‘ଲିଙ୍କ୍‌ ଉଇନ’ରେ ଦେଶର ଅର୍ଥନୀତି ଓ ଏହାର ସଂସ୍କାର ସମ୍ପର୍କରେ ଦୀର୍ଘ ପୋଷ୍ଟ କରିଛନ୍ତି। ଏଥିରେ ସେ ଦାବି କରିଛନ୍ତି ”କୋଭିଡ୍‌ ମହାମାରୀ ସମୟରେ ଏକ ନୂଆ ଧରଣର ଅର୍ଥନୈତିକ ସିଦ୍ଧାନ୍ତ ନିଆଯାଇଛି ପରିସ୍ଥିତିର ମୁକାବିଲା ପାଇଁ। କେତେବେଳେ ସେହି ସମାନ ଧରଣର ଢାଞ୍ଚା ଅନୁସରଣ କରାଯାଇ ନାହିଁ। ଏଭଳି ନୁହେଁ ଯେ ‘ସମସ୍ତଙ୍କ ପାଇଁ ସମାନ ସାଇଜ ଲାଗିବ।’ ମହାମାରୀ ସମୟରେ ସମଗ୍ର ବିଶ୍ୱର ଅର୍ଥନୀତି ଯେତେବେଳେ ସଙ୍କଟରେ ସେତେବେଳେ ଆମ ଦେଶର ରାଜ୍ୟଗୁଡ଼ିକ ଅନେକ ବେଶି ଅର୍ଥ ଯୋଗାଡ଼ କରିବାରେ ସକ୍ଷମ ହେବା ଏକ ବିରଳ ଦୃଷ୍ଟାନ୍ତ। ଅତିରିକ୍ତ ୧.୦୬ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିଛନ୍ତି ୨୦୨୦-୨୧ ବର୍ଷରେ। ଏହା କେନ୍ଦ୍ର ଓ ରାଜ୍ୟର ଭାଗୀଦାରିରେ କରିବା ସମ୍ଭବ ହୋଇଛି।“ ଅଥଚ ପରିସଂଖ୍ୟାନ କହୁଛି, ରାଜ୍ୟଗୁଡ଼ିକ ଏହି ସମୟ ମଧ୍ୟରେ ଆହୁରି ଅର୍ଥନୈତିକ ସଙ୍କଟ ମୁହଁରେ ପଡ଼ିଛନ୍ତି। କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ପାଇଁ ହୋଇଥିବା ଦୁଇ ଦଫାର ଲକ୍‌ଡାଉନ ଯୋଗୁ ସମ୍ପଦ ସଂଗ୍ରହ ଭୀଷଣ କ୍ଷତିଗ୍ରସ୍ତ ହୋଇଛି। ଏକମାତ୍ର ପ୍ରଥମ ଓ ଦ୍ୱିତୀୟ ଲହରର ମଝି ସମୟରେ ଦେଶ ସାରା ଅର୍ଥନୈତିକ କାର୍ଯ୍ୟକଳାପ କିଛିଟା ଆରମ୍ଭ ହୋଇଥିଲା। ଏହି ସମୟରେ କେନ୍ଦ୍ର ସରକାର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)ରୁ ରାଜ୍ୟ ସରକାରଙ୍କୁ ତାଙ୍କ ନ୍ୟାଯ୍ୟ ପ୍ରାପ୍ୟ କିଛିଟା ଦେଇଥିବାରୁ ଟିକେ ସାହାରା ମିଳିଥିଲା। ପ୍ରଧାନମନ୍ତ୍ରୀ ସେହି ତଥ୍ୟର ଭିିତ୍ତିରେ ରାଜ୍ୟଗୁଡ଼ିକ ବିପୁଳ ଲାଭବାନ ହୋଇଛନ୍ତି ବୋଲି ଜୋରରେ କହୁଛନ୍ତି। ସେ ଗତବର୍ଷ ଗୃହୀତ ‘ଆତ୍ମନିର୍ଭର ଭାରତ’ର ପ୍ରସଙ୍ଗକୁ ଉଠାଇ କହିଛନ୍ତି, ”ଏହି ପ୍ୟାକେଜରେ ରାଜ୍ୟଗୁଡ଼ିକୁ ଋଣର ପରିମାଣ ବୃଦ୍ଧିର ସୁଯୋଗ ଦିଆଯାଇଛି।“ କିନ୍ତୁ ଏହି ବୃଦ୍ଧି ସମୟସାପେକ୍ଷ। କୁହାଯାଇଥିଲା ରାଜ୍ୟଗୁଡ଼ିକ ସେମାନଙ୍କର ମୋଟ ଆଭ୍ୟନ୍ତରୀଣ ଘରୋଇ ଉପତ୍ାଦ (ଜିଏସ୍‌ଡିପି)ର ଅତିରିକ୍ତ ୨ ପ୍ରତିଶତ ଋଣ ପାଇବେ। ତେବେ ଏହାର ୧ ପ୍ରତିଶତ ନିର୍ଦ୍ଦିଷ୍ଟ କିଛି ସଂସ୍କାର କାର୍ଯ୍ୟରେ ଲଗାଇବାକୁ ପଡ଼ିବ। ପ୍ରଧାନମନ୍ତ୍ରୀ ତାଙ୍କର ଏହି କଥା ପୁଣି ଜୋରଦେଇ କହିଛନ୍ତି। ସରକାରୀ ଅର୍ଥର ଏଭଳି ସଂସ୍କାର ଅତୀତରେ କେହି କେବେ ଦେଖିନାହାନ୍ତି ବୋଲି ସେ ଦାବି କରିଛନ୍ତି। ଏହା ଫଳରେ କୁଆଡ଼େ ଅତିରିକ୍ତ ସମ୍ପଦ ସଂଗ୍ରହରେ ଉତ୍ସାହ ଦେଇଛି ରାଜ୍ୟଗୁଡ଼ିକୁ। ତାଙ୍କ କଥାରେ ଏହି ପ୍ରକ୍ରିୟା କେବଳ ଉତ୍ସାହଜନକ ନୁହେଁ, ଦେଶର ଏହି ଅର୍ଥନୀତିର ସୁଫଳ କେବଳ ମୁଷ୍ଟିମେୟ ଲୋକ ଭୋଗ କରୁଥିବାର ଧାରଣାକୁ ଭାଙ୍ଗି ଦେଇଛି। ପ୍ରଧାନମନ୍ତ୍ରୀଙ୍କ ଏହି ଦାବି କେଉଁ ଭିିତ୍ତିରେ କରୁଛନ୍ତି ତାହା ସ୍ପଷ୍ଟ ନ ହେଲେ ମଧ୍ୟ ଏହା ପ୍ରମାଣିତ ଯେ କୋଭିଡ୍‌ ମହାମାରୀର ସୁଯୋଗରେ ଦେଶର କତିପୟ ପୁଞ୍ଜିପତିଙ୍କ ଧନସମ୍ପଦ ବୃଦ୍ଧି ପାଇଛି। ଅପରପକ୍ଷରେ ଏହି ସମୟରେ କୋଟି କୋଟି ଲୋକ କାମ ହରାଇ ବେକାର ହୋଇଛନ୍ତି। ଅର୍ଥନୈତିକ ମାପକାଠିର ସବୁ ସ୍ତରରେ ଅଧଃପତନର ସର୍ବକାଳୀନ ରେକର୍ଡ କରିବାରେ ସକ୍ଷମ ହୋଇଛନ୍ତି ମୋଦି ସରକାର। ମହାମାରୀ ସମୟରେ ଏହାର ବ୍ୟାପ୍ତି ଘଟିଛି।
ମୋଟ ଘରୋଇ ଉପତ୍ାଦ ବା ଜିଡିପିର ଅଭିବୃଦ୍ଧି ହାରକୁ ବିଚାରକୁ ନେଲେ ଦେଖାଯାଏ ଯେ ଗତ ତିନିବର୍ଷ ହେବ ଦେଶର ଅର୍ଥନୀତି ଧାରାବାହିକ ଭାବେ ହ୍ରାସ ପାଇବାରେ ଲାଗିଛି। ୨୦୧୬-୧୭ରେ ଜିଡିପିର ବୃଦ୍ଧି ହାର ଥିଲା ୮.୨ ପ୍ରତିଶତ। ୨୦୧୭-୧୮ରେ ତାହା କମି ଯାଇଥିଲା ୬.୧ ପ୍ରତିଶତକୁ। ମହାମାରୀ କୋଭିଡ୍‌ର ପ୍ରଥମ ଲହର ଆଗରୁ ୨୦୧୯-୨୦ରେ ବୃଦ୍ଧି ହାର ପୁଣି କମିଯାଇ ପହଞ୍ଚିଥିଲା ୪.୨ ପ୍ରତିଶତରେ। ଏହା ପରର ୩ମାସ ଏପ୍ରିଲ, ମେ, ଜୁନ୍‌ରେ ଏହି ବୃଦ୍ଧି ହାର ଖସି ଆସିଥିଲା ବିଯୁକ୍ତ ୨୩.୯ ପ୍ରତିଶତ। ୨୦୨୦-୨୧ ବର୍ଷରେ ଏହା ସଙ୍କୁଚିତ ହୋଇ ବିଯୁକ୍ତ ୭.୩%ରେ ପହଞ୍ଚିଛି। ଅବଶ୍ୟ ସରକାର କହୁଛନ୍ତି ଏଭଳି ହ୍ରାସ ଆଗରୁ ମଧ୍ୟ ହୋଇଥିଲା। କିନ୍ତୁ ବିଗତ ଚାରି ଦଶକରେ ସବୁଠାରୁ ବେଶି ସଙ୍କୋଚନ ବା ହ୍ରାସର କୃତିତ୍ୱ ଏହି ସରକାରଙ୍କର। ଏହି ହ୍ରାସର ଆକାର କିପରି? ସରକାରଙ୍କ ସୂତ୍ରରୁ ପ୍ରକାଶ, ବ୍ୟବସାୟ ବାଣିଜ୍ୟ, ହୋଟେଲ, ପର୍ଯ୍ୟଟନ, ପରିବହନ, ଯୋଗାଯୋଗ ଏହିସବୁ କ୍ଷେତ୍ରର ମୋଟ ହ୍ରାସ ହୋଇଛି ୧୮.୨ ପ୍ରତିଶତ। ଏହିସବୁ କ୍ଷେତ୍ରରେ ଅସଂଗଠିତ, ଚୁକ୍ତିଭିିତ୍ତିକ, ବିପୁଳ ସଂଖ୍ୟକ ଶ୍ରମଜୀବୀ ଅଛନ୍ତି। ସେମାନଙ୍କ କାର୍ଯ୍ୟର କୌଣସି ସ୍ଥିରତା ନାହିଁ ଓ ରହିବ ନାହିଁ ମଧ୍ୟ। ସେମାନେ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଛନ୍ତି। ନିର୍ମାଣ ଶିଳ୍ପରେ ହ୍ରାସ ୮.୬ ପ୍ରତିଶତ। ଖଣିଜ ଶିଳ୍ପରେ ୪.୫% ଓ କାରଖାନାଜାତ ଶିଳ୍ପ ଉପତ୍ାଦନରେ ହ୍ରାସ ହୋଇଛି ୭.୨%। ଏହି ହ୍ରାସ ସିଧା ଶ୍ରମଜୀବୀଙ୍କ କର୍ମସଂସ୍ଥାନକୁ ଝଟକା ଦେଇଛି। ଅର୍ଥବ୍ୟବସ୍ଥା ମୂଳତଃ ତିନୋଟି କ୍ଷେତ୍ର ଯେପରି କୃଷି, ଶିଳ୍ପ ଓ ସେବାକୁ ବୁଝାଏ। ଯଦିଓ କୃଷି କ୍ଷେତ୍ର ଉପରେ ନିର୍ଭରଶୀଳ ଲୋକସଂଖ୍ୟା ଅନ୍ୟାନ୍ୟ ବାକି କ୍ଷେତ୍ର ତୁଳନାରେ ଅନେକ ବେଶି, କିନ୍ତୁ ଅର୍ଥ ବ୍ୟବସ୍ଥାରେ ଏହି କ୍ଷେତ୍ରର ଅବଦାନ ଯଥେଷ୍ଟ କମ୍‌। ଭାରତରେ କୃଷି କ୍ଷେତ୍ରର ଅବଦାନ ୧୬%, ସେବା କ୍ଷେତ୍ରରେ ଅବଦାନ ୫୭% ଏବଂ ଶିଳ୍ପରେ ଅବଦାନ ୨୭%। କୃଷି କ୍ଷେତ୍ରରେ ଲକ୍‌ଡାଉନ ମଧ୍ୟରେ ମାତ୍ର ୩ ପ୍ରତିଶତ ବୃଦ୍ଧି ହୋଇଥିଲେ ମଧ୍ୟ ବାକି ଦୁଇ କ୍ଷେତ୍ରରେ ପ୍ରାୟ ୮ ପ୍ରତିଶତ ହ୍ରାସ ପାଇଥିବାରୁ ମୋଟ ଅର୍ଥ ବ୍ୟବସ୍ଥା ନିମ୍ନଗାମୀ ହୋଇଛି।
ପ୍ରଧାନମନ୍ତ୍ରୀ ଦାବି କରିଛନ୍ତି ଯେ ତାଙ୍କ ସରକାରଙ୍କ ଗୃହୀତ ସଂସ୍କାର ନୀତି ଫଳରେ ଦେଶବାସୀ ବିଶେଷତଃ ଗରିବ ଲୋକଙ୍କ ଜୀବନଯାତ୍ରା ଆହୁରି ସୁଗମ ହୋଇଛି ଓ ମଧ୍ୟବିତ୍ତ ମଧ୍ୟ ଉପକୃତ ହୋଇଛନ୍ତି। ଏହା ସହ ଆର୍ଥିକ ସ୍ଥିତାବସ୍ଥା ମଧ୍ୟ ବଜାୟ ରଖିବାରେ ସାହାଯ୍ୟ କରିଛି। ତାଙ୍କର ଏହି ଦାବି କେତେ ଅସାର ତାହାର ପ୍ରମାଣ ଉପର ବର୍ଣ୍ଣିତ ସରକାରୀ ପରିସଂଖ୍ୟାନରୁ ସ୍ପଷ୍ଟ। ଏହାଛଡ଼ା ରିଜର୍ଭ ବ୍ୟାଙ୍କ ଜଣାଇଛି ଯେ ଜିଡିପିର ଆଗାମୀ ବର୍ଷରେ ଲକ୍ଷ୍ୟ ଷ୍‌ପୂରଣ ହେବନାହିଁ। ବୃଦ୍ଧିର ହାର ୧ ପ୍ରତିଶତ କମିଯିବ। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) କହୁଛି ମାତ୍ର ୧.୯ପ୍ରତିଶତ ହେବ ବୃଦ୍ଧିର ହାର। ବିଶ୍ୱବ୍ୟାଙ୍କ କହୁଛି ୧.୫%ରୁ ୨.୫% ମଧ୍ୟରେ ବୃଦ୍ଧି ହାର ହେବ। ଅର୍ଥନୀତିର ଏହି ଅଧୋଗତି ଖବର ସହ ଦେଶର ବେକାରି ସମସ୍ୟା ଆହୁରି ଉତ୍କଟ ହୋଇଛି।
ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମ୍‌ଆଇଇ) ଗତ ମେ’ ମାସର ବେକାରି ସଂଖ୍ୟାକୁ ହିସାବକୁ ନେଇ ଜଣାଇଛି ସାପ୍ତାହିକ ବେକାରି ବୃଦ୍ଧି ୧୪.୪୫ ପ୍ରତିଶତ। କୋଭିଡ୍‌ ଆଗରୁ ଥିଲା ୪୦ ବର୍ଷର ବେକାରିତ୍ୱର ରେକର୍ଡ। ସେହି ରେକର୍ଡ ଉପରେ ପୁଣି ରେକର୍ଡ ତିଆରି ହେଲା। ଗତ ବର୍ଷକ ମଧ୍ୟରେ ୯୩ଲକ୍ଷ ଲୋକ କାମ ହରାଇଥିଲେ। ଯାହା ଏବେ ଦୁଇକୋଟିରେ ପହଞ୍ଚିଛି। ଶିକ୍ଷିତ ବେକାରଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଅର୍ଥନୀତିରେ ମୁଦ୍ରାସ୍ଫୀତି ଓ ଉତ୍କଟ ଦରବୃଦ୍ଧି ଆଉ ଏକ ସଙ୍କଟ ସୃଷ୍ଟି କରିଛି। ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଓ ତାଙ୍କ ସରକାର ନୀରବ। ଉଭୟ ପାଇକାରୀ ଓ ଖୁଚୁରା ମୂଲ୍ୟ ସୂଚକାଙ୍କ ବୃଦ୍ଧି ହାର ସର୍ବକାଳୀନ ରେକର୍ଡ କରିଛି। ଜାଳେଣି, ଇନ୍ଧନ, ଖାଦ୍ୟଦ୍ରବ୍ୟ ଇତ୍ୟାଦିରେ ବୃଦ୍ଧି ହାର ଆକାଶଛୁଆଁ। ସେହିପରି ଚିକିତ୍ସା, ପରିବହନ ଓ ସେବା କ୍ଷେତ୍ରରେ ମଧ୍ୟ ବ୍ୟୟ ବଢ଼ିଛି। ମଧ୍ୟବିତ୍ତଙ୍କ ଉପରେ ଏହି ଦର ବୃଦ୍ଧିର ପ୍ରଭାବ ଗୁରୁତର ଭାବରେ ପଡ଼ିଛି। ବିଶେଷଜ୍ଞମାନଙ୍କ ମତ ହେଉଛି ମୁଦ୍ରାସ୍ଫୀତିର ଦରକୁ ନିୟନ୍ତ୍ରଣ କରାଯିବା ଜରୁରୀ, ଯଦ୍ଦ୍ବାରା ଅର୍ଥ ବ୍ୟବସ୍ଥାକୁ ରାସ୍ତାକୁ ଅଣାଯାଇ ପାରିବ। କିନ୍ତୁ କେନ୍ଦ୍ର ସରକାର ଏହି ଗୁରୁତର ସମସ୍ୟାକୁ ଏଡ଼ାଇ ଯାଉଛନ୍ତି।
ଉତ୍କଳମଣି ମାର୍ଗ, ଅପର୍ଣ୍ଣା ନଗର,
ଚାଉଳିଆଗଞ୍ଜ, କଟକ
ମୋ: ୯୩୪୮୧୬୯୯୩୧


Enter your email to get our daily news in your inbox.

All Right Reserved By Dharitri.Com

ସାଧୁ ସାବଧାନ

ର୍ବାଚନ ପୂର୍ବରୁ ଓ ନିର୍ବାଚନ ପରେ ନେତାମାନଙ୍କର ଲୋକଙ୍କ ପ୍ରତି ବ୍ୟବହାର ଭିତରେ ଏତେ ଫରକ ହେବ ବୋଲି ଆଗରୁ ସାଧାରଣ ଲୋକେ ଭାବିପାରୁ ନ...

ପ୍ରାଣବର୍ଷା

ଗୀତାରେ ଭଗବାନ କୃଷ୍ଣ କହନ୍ତି, ‘ଯଜ୍ଞାଦ ଭବତି ପର୍ଜନ୍ୟଃ’ ଅର୍ଥାତ୍‌ ଯଜ୍ଞ ଦ୍ୱାରା ପର୍ଜନ୍ୟ ବର୍ଷା ହୁଏ। ଲୋକେ ବର୍ଷାର ଅର୍ଥ ପାଣିବର୍ଷାକୁ ବୁଝନ୍ତି, ଏହା...

ହିନ୍ଦୁଙ୍କ ସାଦା ଖାଦ୍ୟ

ଓଡ଼ିଶାରେ ଯଦି ଆପଣ ଶାକାହାର ଖାଦ୍ୟ ଖାଇବାକୁ ଚାହାନ୍ତି, ତେବେ ‘ସାଦା’ ଖାଦ୍ୟ ମାଗିବାକୁ ପଡ଼େ। ଯେତେବେଳେ ବୌଦ୍ଧଧର୍ମ ଏବଂ ଜୈନଧର୍ମ ଓଡ଼ିଶାର ପ୍ରମୁଖ ଧର୍ମ...

ଏଇ ଭାରତରେ

ଭାରତରେ ଏବେ ଅନେକ ସହରରେ ବାୟୁ ପ୍ରଦୂଷଣ ଅସହ୍ୟ ହୋଇପଡ଼ିଛି। ବିଶେଷକରି ଦିଲ୍ଲୀରେ ବାହାରକୁ ବାହାରିବା ବିପଜ୍ଜନକ ହୋଇଯାଇଛି। ସ୍କୁଲ ବନ୍ଦ କରିବାକୁ ପଡ଼ୁଛି। ଏବେ...

ବ୍ୟାଙ୍କିଙ୍ଗ୍‌ରେ ସାଇବର ସୁରକ୍ଷା

ବର୍ତ୍ତମାନ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସାଇବର ସୁରକ୍ଷାର ଆବଶ୍ୟକତା ବହୁତ ବେଶି। କାରଣ ଲୋକମାନେ ସମୟ ଅଭାବରୁ ଅନ୍‌ଲାଇନ ମାଧ୍ୟମରେ ବ୍ୟାଙ୍କ କାରବାର କରୁଛନ୍ତି। ଆଉ ସାଇବର...

ନିଜର ଦୂରଦୃଷ୍ଟି ଓ ସଂକଳ୍ପ ବଳରେ ଭାରତକୁ ଗଢ଼ିଥିବା ରାଷ୍ଟ୍ରନେତା ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି

ଆଜି ୨୫ ଡିସେମ୍ବର, ଆମ ସମସ୍ତଙ୍କ ପାଇଁ ଏକ ବିଶେଷ ଦିନ। ଆମ ଦେଶ ଆମର ପ୍ରିୟ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ...

ବୃଦ୍ଧାବସ୍ଥାର ଅନୁଚିନ୍ତା

ଆମ ସମାଜରେ ଦେଖିବାକୁ ମିଳୁଛି ବୃଦ୍ଧାବସ୍ଥାର ଅସହାୟତା। ବୃଦ୍ଧାବସ୍ଥାରେ ସନ୍ତାନମାନେ ହିଁ ଏକମାତ୍ର ଭରସା। ଯେତେ ବୃଦ୍ଧାଶ୍ରମ କି ଆଶ୍ରମ ହେଉ ତାହା କେବେ ବି...

ଜଳ ଆସିଲା କେଉଁଠୁ

ପୃଥିବୀକୁ ‘ଜଳଗ୍ରହ’ ବୋଲି କୁହାଯାଏ। କାରଣ ସୌରଜଗତ ଏବଂ ଅଦ୍ୟାବଧି ଏହା ବାହାରେ ଆବିଷ୍କୃତ ଶତାଧିକ ଗ୍ରହମାନଙ୍କ ମଧ୍ୟରେ ଏକମାତ୍ର ଏଥିରେ ହିଁ ରହିଛି ପ୍ରଚୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri