Categories: ଜାତୀୟ

ଦେଶର ପ୍ରଥମ ଭୂତଳ ଜଳ ମେଟ୍ରୋ

କୋଲକାତା, ୬।୩: ଦେଶର ପ୍ରଥମ ଭୂତଳ ଜଳ ମେଟ୍ରୋ ଟ୍ରେନ୍‌କୁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତାରେ ଉଦଘାଟନ କରିବେ। କୋଲକାତାର ହୁଗୁଳି ନଦୀ ତଳେ ଏହି ଭୂତଳ ଜଳ ମେଟ୍ରୋ ଟନେଲର ନିର୍ମାଣ କରାଯାଇଛି। ଏହି ମେଟ୍ରୋ ଟ୍ରେନ୍‌ ସହରର ହାଓଡା ମୈଦାନଠାରୁ ଏସ୍‌ପ୍ଲାନେଡ୍‌ ସେକ୍ସନ ପର୍ଯ୍ୟନ୍ତ ଯାତାୟାତ କରିବ। ହୁଗୁଳି ନଦୀ ତଳେ ଭୂତଳ ଜଳ ମେଟ୍ରୋ ଟ୍ରେନ୍‌ ଗତି କରି କୋଲକାତା ଓ ହାଓଡା ସହରକୁ ସଂଯୋଗ କରିବ। ୧୬.୫ କିଲୋମିଟରର ଲମ୍ବା ଏହି ମେଟ୍ରୋ ଲାଇନ ହୁଗୁଳିର ପଶ୍ଚିମ କୂଳଠାରୁ ହାଓଡାର ପୂର୍ବ କୂଳକୁ ସଂଯୋଗ କରୁଛି। ଏଥିମଧ୍ୟରୁ ୧୦.୮ କିମି ଭୂତଳ ଭାବେ ଏହି ମେଟ୍ରୋ ଟ୍ରେନ୍‌ ଗତି କରିବ। ହୁଗୁଳି ନଦୀର ୩୨ ମିଟର ତଳେ ଏହି ମେଟ୍ରୋ ଟ୍ରେନ ଯାତାୟାତ କରିବ। ଭାରତର କୌଣସି ନଦୀ ତଳେ ନିର୍ମାଣ ହୋଇଥିବା ଏହା ହେଉଛି ପ୍ରଥମ ପରିବହନ ଟନେଲ। ହୁଗୁଳି ନଦୀ ତଳେ ଏହି ମେଟ୍ରୋ ଟ୍ରେନ୍‌ ୫୨୦ ମିଟରର ଦୂରତା ମାତ୍ର ୪୫ ସେକେଣ୍ଡରେ ଅତିକ୍ରମ କରିବ। ସେହିପରି ଏହି ମେଟ୍ରୋ ଟ୍ରେନ୍‌ ୪ଟି ଭୂତଳ ଷ୍ଟେଶନ୍‌ ଦେଇ ଅତିକ୍ରମ କରିବ। ଏଗୁଡ଼ିକ ହେଉଛି ହାଓଡା ମୈଦାନ, ହାଓଡା ଷ୍ଟେଶନ, ମହାକରଣ ଏବଂ ଏସପ୍ଲାନେଡ ହାଓଡା ଷ୍ଟେଶନ୍‌। ପ୍ରତିଦିନ ପ୍ରାୟ ୭ ଲକ୍ଷ ଯାତ୍ରୀ ଏହି ଭୂତଳ ଜଳ ମେଟ୍ରୋ ଟ୍ରେନରେ ଯାତାୟାତ କରିବାର ଆକଳନ ହୋଇଥିବା କୋଲକାତା ମେଟ୍ରୋ ରେଲଓ୍ବେର ଜେନେରାଲ ମ୍ୟାନେଜର ଉଦୟ କୁମାର ରେଡ୍ଡୀ ସୂଚନା ଦେଇଛନ୍ତି। ଏହା ଦ୍ୱାରା କୋଲକାତାବାସୀଙ୍କୁ ଟ୍ରାଫିକ ସମସ୍ୟାରୁ ମୁକ୍ତି ମିଳିବ ବୋଲି ସେ କହିଛନ୍ତି।

Share