Advertisement
Categories: ଜାତୀୟ

ଆତଙ୍କବାଦୀ ଭଳି ବ୍ୟବହାର କରାଯାଉଛି: କଂଗ୍ରେସ

ନୂଆଦିଲ୍ଲୀ,୩।୮: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବୁଧବାର ହେରାଲ୍ଡ ହାଉସ୍‌ରେ ଥିବା ୟଙ୍ଗ୍‌ ଇଣ୍ଡିଆନ୍‌ ଲିମିଟେଡ୍‌ର ଅଫିସକୁ ସିଲ୍‌ କରିଛି। ଏଥିସହ କଂଗ୍ରେସ ମୁଖ୍ୟାଳୟ ସଂଯୋଗ କରୁଥିବା ରାସ୍ତାରେ ବ୍ୟାରିକେଡ୍‌ କରାଯିବା ସହ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ବାସଭବନ ବାହାରେ ଅଧିକ ସଂଖ୍ୟକ ପୋଲିସ କର୍ମୀଙ୍କୁ ମୁତୟନ କରାଯାଇଛି। ମଙ୍ଗଳବାର ନ୍ୟାଶନାଲ ହେରାଲ୍ଡ ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ହେରାଲ୍ଡ ହାଉସ୍‌ ସମେତ ୧୩ ସ୍ଥାନରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହାପରେ ଇଡି ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କୁହାଯାଉଛି। ତେବେ ଏହାକୁ ନେଇ କଂଗ୍ରେସ ପକ୍ଷରୁ ଖବରଦାତା ସମ୍ମିଳନୀ କରାଯାଇଛି।

କଂଗ୍ରେସ ନେତା ଜୟରାମ ରମେଶ, ଅଜୟ ମାକେନ ଏବଂ ଅଭିଷେକ ମନୁ ସିଂଭି ପ୍ରମୁଖ ଖବରଦାତା ସମ୍ମିଳନୀ କରି କହିଛନ୍ତି ଯେ, କଂଗ୍ରେସ ମୁଖ୍ୟାଳୟ ତଥା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ଘରକୁ ପୋଲିସ ଘେରି ରହିଛି। ଅଗଷ୍ଟ ୫ରେ କଂଗ୍ରେସ ପକ୍ଷରୁ ମୁଦ୍ରାସ୍ଫୀତି ବିରୋଧରେ ଜାତୀୟସ୍ତରରେ ପ୍ରଦର୍ଶନ କରାଯିବ। ଏନେଇ ଗତ ଶନିବାର ଘୋଷଣା କରାଯାଇଥିଲା। ହେଲେ ବୁଧବାର ଡିସିପିଙ୍କଠାରୁ କଂଗ୍ରେସ କୌଣସି ପ୍ରଦର୍ଶନ କରିପାରିବ ନାହିଁ ବୋଲି ଚିଠି ପାଇଛୁ। ଏହାପରେ କଂଗ୍ରେସ ମୁଖ୍ୟାଳୟ ତଥା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ଘରକୁ ପୋଲିସ ଘେରି ରହିଛି। ଏଭଳି କାର୍ଯ୍ୟରୁ କେନ୍ଦ୍ର ସରକାର ମୁଦ୍ରାସ୍ଫୀତି ବିଷୟରେ କୌଣସି ଆଲୋଚନା ହେଉ ବୋଲି ଚାହୁଁ ନ ଥିବା ସ୍ପଷ୍ଟ ହୋଇଛି। ଭୟର ବାତାବରଣ ସୃଷ୍ଟି କରାଯାଉଛି। ଦେଶର ସର୍ବପୁରାତନ ଦଳ କଂଗ୍ରେସ ସହ ଆତଙ୍କବାଦୀ ଭଳି ବ୍ୟବହାର କରାଯାଉଛି ବୋଲି ସେମାନେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share