ଥାନାରେ ହେଲା ପ୍ରେମୀ ଯୁଗଳଙ୍କ ବିବାହ

କୋକସରା,୩୦।୧: ପରିବାରର ବିରୋଧ ସତ୍ତ୍ୱେ ଶେଷରେ ପ୍ରେମୀଯୁଗଳଙ୍କ ପ୍ରେମର ହୋଇଛି ବିଜୟ । କୋର୍ଟ ନିର୍ଦ୍ଦେଶ କ୍ରମେ କଳାହାଣ୍ଡି ଜିଲା କୋକସରା ଥାନାରେ ଶୁକ୍ରବାର ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି  ।ଏହି ନବଦମ୍ପତି ହେଲେ କୋକସରା ଥାନା ଅନ୍ତର୍ଗତ ଖପ୍ରାମାଲ ଗ୍ରାମର ରାଜେଶ କୁମାର ରାଉତ ଓ ବେହେରା ଗ୍ରାମର ଶକୁନ୍ତଳା ଗୋପାଳ । ଦୁହେଁ ଏକାଠି କାମ କରୁଥିଲେ । ରାଜେଶ ଏକ ଟ୍ରାକ୍ଟରରେ ଡ୍ରାଇଭର ଥିବା ବେଳେ ଯୁବତୀ ଜଣକ ଶ୍ରମିକ ଭାବେ କାମ କରୁଥିଲେ । ସେମାନଙ୍କ ମଧ୍ୟରେ ସମୟ କ୍ରମେ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ଯେତେବେଳେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଲେ, ଜାତିକୁ ନେଇ ପରିବାର ମଧ୍ୟରେ ବିରୋଧର ସ୍ବର ଉଠିଲା ।କିଛି ଦିନ ତଳେ ସେମାନେ ଘରୁ ପଳାଇ ଯାଇଥିଲେ। ହେଲେ ଯୁବତୀଙ୍କ ବାପା ଝିଅ ନିଖୋଜ ଥିବା ନେଇ କୋକସରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ଉଭୟଙ୍କୁ ଠାବ କରିଥିଲା। ଦୁଇ ଜଣ ସାବାଳକ ଥିବା ଯୋଗୁ ସେମାନଙ୍କ ବୟାନ ନିଆଯାଇଥିଲା। କୋର୍ଟ ତାଙ୍କୁ ବିବାହ କରିବାକୁ ଅନୁମତି ଦେଇଥିଲେ।  ଏନେଇ କୋକସରା ଥାନା ଅଧିକାରୀ ବାସୁଦେବ ଛତ୍ରିଆଙ୍କୁ ପଚାରିବାରେ ଦୁଇ ଜଣ ପ୍ରାପ୍ତ ବୟସ୍କ ହୋଇଥିବାରୁ ବିବାହ କରିବା ପାଇଁ ଆଇନ ଅନୁଯାୟୀ କିଛି କଟକଣା ନାହିଁ । ଏଣୁ ଉଭୟଙ୍କୁ ବିବାହ କରିବାକୁ ଅନୁମତି ଦିଆଯାଇଥିବା କହିଛନ୍ତି।

Share