ଜେଲ ମନ୍ଦିରରେ ବିବାହ କଲେ ପ୍ରେମୀଯୁଗଳ

ଚୌଦ୍ୱାର,୧୮ା୩(ଡି.ଏନ.ଏ.):କଟକ ଜିଲା ଚୌଦ୍ୱାର ସର୍କଲ ଜେଲ ପରିସରସ୍ଥ ଶିବ ମନ୍ଦିରରେ ବୁଧବାର ଏକ ନିଆରା ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିବାହ ପରେ କନ୍ୟା ଶାଶୁଘରକୁ ଯାଇଥିବାବେଳେ ବର ପୁଣି ଜେଲକୁ ଚାଲିଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, କଟକ ସଦର ଥାନା ଅଧୀନ ଶଙ୍ଖତ୍ରାସ ଗ୍ରାମର ପୂଜା ଦାସ ଓ ସେହି ଗ୍ରାମର ନୃସିଂହ ଦାସଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପରବର୍ତ୍ତୀ ସମୟରେ ପୂଜା ନୃସିଂହଙ୍କୁ ବିବାହ କରିବା ପାଇଁ କହିଥିଲେ। ଏଥିରେ ନୃସିଂହ ରାଜିଥିଲେ ମଧ୍ୟ ତାଙ୍କ ପରିବାର ଲୋକେ ଅରାଜି ହୋଇଥିଲେ। ଏନେଇ ପୂଜାଙ୍କ ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ ଗ୍ରାମରେ ବୈଠକ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଇତିମଧ୍ୟରେ ନୃସିଂହଙ୍କ ବିବାହ ପାଇଁ ତାଙ୍କ ପରିବାର ଲୋକେ ଅନ୍ୟତ୍ର ଝିଅ ଖୋଜିବା ଆରମ୍ଭ କରିଦେଇଥିଲେ ା ଏହା ଜଣାପଡିବା ପରେ ପୂଜାଙ୍କ ପରିବାର ପକ୍ଷରୁ ସଦର ଥାନାରେ ଅଭିଯୋଗ ହୋଇଥିଲା। ଏ ନେଇ ପୋଲିସ ନୃସିଂହଙ୍କୁ ୨୦୧୯ ସେପ୍ଟେମ୍ବର ୨୮ ତାରିଖରେ ଗିରଫ କରି କୋର୍ଟଚାଲାଣ କରିଥିଲା। ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଥିଲା। ଏନେଇ ସ୍ପେଶାଲ ପୋକ୍ସୋ କୋର୍ଟରେ ମାମଲାର ବିଚାର ଚାଲିଥିଲା। ଏହି ସମୟ ଭିତରେ ପୂଜା ସାବାଳିକା ହୋଇଥିବାବେଳେ ନୃସିଂହ ମଧ୍ୟ ଅନୁତାପ କରି ତାଙ୍କୁ ବିବାହ କରିବା ପାଇଁ ପରିବାର ଲୋକ ତଥା ଜେଲ୍‌ର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ଫଳରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ଜେଲ କର୍ତ୍ତୃପକ୍ଷ, ଦୁଇ ପରିବାର ଓ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ପୂଜା ଓ ନୃସିଂହଙ୍କ ବିବାହ ସମ୍ପନ୍ନ ହୋଇଥିଲା। ଏହି ବିବାହ ଉତ୍ସବରେ ଜେଲ ଡିଆଇଜି କୁଳମଣି ବେହେରା, ଜେଲର ଅବିନାଶ ବେହେରା, ସ୍ବେଚ୍ଛାସେବୀ ସଙ୍ଗଠନ ଉଦ୍ଧାର ଫାଉଣ୍ଡେଶନର ସଭାପତି ନରୋତ୍ତମ ଦାସ ଓ କର୍ମକର୍ତ୍ତା ସାମିଲ ହୋଇଥିଲେ।

Share