ଦେହରେ କିରୋସିନ ଢାଳି ନିଆଁ ଲଗାଇଲେ ସ୍ତ୍ରୀ, ବଞ୍ଚାଇବାକୁ ଯାଇ ପୋଡ଼ିହୋଇଗଲେ ସ୍ବାମୀ

ବାଲେଶ୍ୱର,୨୦ା୧୦(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ଜଡ଼ିଦା ପଞ୍ଚାୟତ ଆଡ଼ିଆ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାରିବାରିକ କଳହ ଉଗ୍ରରୂପ ନେଇ କିରାସିନ ଢାଳି ଦେହରେ ନିଆଁ ଲଗାଇ ଦେଲେ ସ୍ତ୍ରୀ। ଆଉ ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ପୋଡ଼ି ହୋଇଗଲେ ସ୍ବାମୀ। ଗୁରୁତର ଅବସ୍ଥାରେ ସ୍ବାମୀ ଶଶିକାନ୍ତ ମହାରଣା ଓ ତାଙ୍କ ସ୍ତ୍ରୀ ଭାନୁମତିଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଦମ୍ପତିଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, ରବିବାର ସକାଳେ ସ୍ବାମୀ ଶଶିକାନ୍ତ ଏବଂ ସ୍ତ୍ରୀ ଭାନୁମତିଙ୍କ ମଧ୍ୟରେ କୌଣସି ପାରିବାରିକ କାରଣକୁ ନେଇ କଳହ ହୋଇଥିଲା। ଏହି ବଚସା ଉଗ୍ରରୂପ ନେଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସ୍ତ୍ରୀ ଭାନୁମତି ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ଭାନୁମତି ଜଳିଯାଉଥିବା ବେଳେ ଶଶିକାନ୍ତ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ତାଙ୍କ ଦେହରେ ମଧ୍ୟ ନିଆଁ ଲାଗିଯାଇଥିଲା। ସେ ମଧ୍ୟ ଜଳି ଯାଇଥିଲେ। ପାଖ ପଡ଼ୋଶୀ ଉଭୟଙ୍କ ଚିତ୍କାର ଶୁଣି ଦୌଡ଼ି ଆସିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Share