ଆମେରିକାର ଫ୍ଲୋରିଡାରେ ରହୁଥିବା ଏକ ଯୋଡ଼ି ନିଜ ବିବାହକୁ ନେଇ ଅନେକ ସ୍ବପ୍ନ ଦେଖିଥିଲେ। ବିବାହକୁ ସ୍ମରଣୀୟ କରିବା ପାଇଁ ଦୁହେଁ ବିଳାସମୟ ବଙ୍ଗଳାରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ତେଣୁ ସହରର ଏକ କୋଠାକୁ ବାଛି ଥିଲେ। କର୍ଟନୀ ଓ୍ବିଲ୍ସନ ଏବଂ ଶେନିଟା ଜୋନ୍ସ ତାଙ୍କର ପୂରା ପରିବାର ଏବଂ ସାଙ୍ଗସାଥୀଙ୍କ ସହ ନିଜର ସ୍ବପ୍ନର ଘରେ ବିବାହ ପାଇଁ ସମସ୍ତଙ୍କୁ ନିମନ୍ତ୍ରଣ କରିଥିଲେ। ସେମାନଙ୍କୁ ରାଜକୀୟ ଯୋଡ଼ି କୁହାଯାଉଥିଲା। ମାତ୍ର ଘରର ପ୍ରକୃତ ମାଲିକ ପହଞ୍ଚିଯିବାରୁ ସବୁ ଗଡ଼ବଡ଼ ହୋଇଗଲା। କାରଣ ଘର ମାଲିକଙ୍କୁ ନ ଜଣାଇ ଓ୍ବିଲସନ ଏବଂ ଜୋନ୍ସ ଏହି ବିବାହର ଆୟୋଜନ କରିଥିଲେ।
ବଙ୍ଗଳାଟି ୧୬ ହଜାର ୩୦୦ ବର୍ଗଫୁଟ ପରିମିତ ଜାଗାରେ ତିଆରି ହୋଇଛି। ଏଥିରେ ୧୫ଟି ବାଥ୍ରୁମ, ୮୦୦ ସ୍କୋୟାର ଫୁଟର ବାର୍, ଟେନିସ କୋର୍ଟ, ସୁଇମିଂ ପୁଲ୍ ଏବଂ ଝରଣା ଆଦିର ସୁବିଧା ରହିଛି। ଦକ୍ଷିଣ ଫ୍ଲୋରିଡାସ୍ଥିତ ଏହି ବଙ୍ଗଳାର ବଜାର ମୂଲ୍ୟ ୪୩ କୋଟି।
ଏହି ଘରେ ହିଁ ଓ୍ବିଲ୍ସନ ଏବଂ ଜୋନ୍ସ ତାଙ୍କର ବିବାହ ପ୍ଲାନ କରିଥିଲେ। ମାତ୍ର ସବୁ ପାଣି ଫାଟିଗଲା। ଏହି ବଙ୍ଗଳାର ଅସଲ ମାଲିକ ନେଥନ ଫିଙ୍କ୍ଲେ। ସେ ଘରେ ନ ଥିବା ବେଳେ ଓ୍ବିଲ୍ସନ ନିଜ ବିବାହକୁ ନେଇ ଏତେସବୁ ପ୍ଲାନ କରିଥିଲେ। ତାଙ୍କୁ ଜଣା ନ ଥିଲା କି ନେଥନ ଏହି ଆଖପାଖରେ ରହୁଛନ୍ତି ବୋଲି। ନେଥନ ପହଞ୍ଚିବାରୁ ବିବାହ ବନ୍ଦ ରହିଥିଲା।
ନେଥନ ପୋଲିସକୁ ଖବର ଦେବାରୁ ପୋଲିସ ପହଞ୍ଚି ସତ ଘଟଣା ଜାଣିବାକୁ ପାଇଥିଲା। କିଛିଦିନ ତଳେ ଏହି ବଙ୍ଗଳା କିଣିବାକୁ ଓ୍ବିଲ୍ସନ ପହଞ୍ଚିଥିଲେ। ମାତ୍ର ନେଥନ ତାଙ୍କୁ ବିକି ନ ଥିଲେ। ତେଣୁ ଓ୍ବିଲ୍ସନ ଏହି ବିଳାସମୟ ଘରେ ବିବାହ କରିବେ ବୋଲି ସ୍ବପ୍ନ ଦେଖୁଥିଲେ। ତେଣୁ ନେଥନ ଅନୁପସ୍ଥିତ ଥିବା ବେଳେ ସେ ବିବାହର ଆୟୋଜନ କରିଥିଲେ। ନେଥନ ଠିକଣା ସମୟରେ ପହଞ୍ଚିଯିବାରୁ ବିବାହ ଉତ୍ସବ ବନ୍ଦ ରହିଥିଲା। ପରେ ସେମାନେ ଫେରିଯାଇଥିଲେ।