ଯାତକ ମେଳ ନ ଖାଇବାରୁ ବିବାହ ଭାଙ୍ଗିଦେଲେ ପରିବାର ଲୋକେ, ଏମିତି ଚରମ ପଦକ୍ଷେପ ନେଲେ ପ୍ରେମୀଯୁଗଳ

ଝାରସୁଗୁଡା ଅଫିସ,୧୩।୪: ଝାରସୁଗୁଡ଼ା ଜିଲା ବନହରପାଲି ଥାନା ଅନ୍ତର୍ଗତ ରେଙ୍ଗାଲି କିଷାନପଡ଼ା ଏକ ବନ୍ଦ କୋଠରୀ ଭିତରୁ ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ମୃତଦେହ ପୋଲିସ ଜବତ କରିଛି। ମୃତ ଯୁବକଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ବନହରପାଲି ଥାନାରେ ମାମଲା ରୁଜୁ କରି କେସ୍‌ ନଂ. ୩/୨୧ରେ ତଦନ୍ତ ଚଳାଇଛି ।
ସୂଚନାଯୋଗ୍ୟ, ମୃତ ଯୁବକଙ୍କ ସହିତ ମୃତା ଯୁବତୀଙ୍କ ବିବାହ ପ୍ରସ୍ତାବ ପଡ଼ିଥିଲା। ଏଥିମଧ୍ୟରେ ଉଭୟଙ୍କ ଜାତକ ମେଳ ହୋଇ ନଥିଲା । ପରେ ବାହାଘର ପ୍ରସ୍ତାବରେ ଯୁବତୀଙ୍କ ଘର ପରିବାର ଲୋକେ ରାଜି ହୋଇ ନ ଥିଲେ । ଯୁବକଙ୍କ ପରିବାର ଲୋକ ମଧ୍ୟ ଅନ୍ୟତ୍ର ଝିଅ ଦେଖିଥିଲେ। ମାତ୍ର ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଦୁହେଁ ଫୋନ୍‌ରେ କଥା ହେଉଥିଲେ। ଆସନ୍ତା ମେ ୩ ତାରିଖରେ ଯୁବକଙ୍କ ବାହାଘର ହେବା ପାଇଁ ଦିନଧାର୍ଯ୍ୟ ହୋଇଥିଲା । ଏହି ବାହାଘରରେ ଯୁବକଙ୍କ ମନ ନ ଥିଲା । ଏଭଳି ସ୍ଥିତିରେ ଯୁବତୀଙ୍କୁ ନିଜ ଗ୍ରାମ କିଷାନପଡାକୁ ନେଇ ଆସିଥିଲେ । ଏହି ଖବର ଜଣାପଡିବା ପରେ ଉଭୟ ଝିଅ ପୁଅ ପରିବାର ଲୋକ ବିବାହ ପାଇଁ ସହମତି ପ୍ରକାଶ କରିଥିଲେ । ଏହାପରେ ଉଭୟ ଝିଅ ପୁଅ ରାତିରେ ଘରେ ଶୋଇଥିଲେ । ସକାଳେ ନ ଉଠିବାରୁ ପରିବାର ଲୋକେ କବାଟ ବାଡେଇ ଡାକିଥିଲେ। ସେମାନେ ନ ଉଠିବାରୁ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି କବାଟ ଭାଙ୍ଗି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Share