ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ଏଚ୍‌ଆଇଭି ସଂକ୍ରମିତ, ଗଞ୍ଜାମ ଜିଲାପାଳ କଲେ କନ୍ୟାଦାନ; ମୁଖ୍ୟମନ୍ତ୍ରୀ ଦେଲେ ଆଶୀର୍ବାଦ

ବ୍ରହ୍ମପୁର ଅଫିସ,୨୭।୨: ଗଞ୍ଜାମ ଜିଲା ଗୋପାଳପୁରସ୍ଥିତ ଶ୍ରଦ୍ଧାସଞ୍ଜିବନୀ ନାମକ ଶିଶୁଗୃହରେ ଶନିବାର ଏକ ନିଆରା ବିବାହ ଅନୁଷ୍ଠିତ ହୋଇଯାଇଛି। ଏହି ବିବାହ କାର୍ଯ୍ୟରେ ସହଯୋଗର ହାତ ବଢ଼ାଇଛି ଜିଲା ପ୍ରଶାସନ।

ଖାଲି ସେତିକି ନୁହେଁ, ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କନ୍ୟାପିତା ସାଜି କନ୍ୟାଦାନ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ନବଦମ୍ପତିଙ୍କୁ ଆଶୀର୍ବାଦ କରିଛନ୍ତି।

ଏଚ୍‌ଆଇଭି ସଂକ୍ରମିତ ପଦ୍ମା ଏବଂ ରବୀନ୍ଦ୍ର ପିଲାଟି ଦିନରୁ ଶ୍ରଦ୍ଧାସଞ୍ଜିବନୀ ଶିଶୁଗୃହରେ ରହି ଆସୁଥିଲେ। ସେମାନେ ସାବାଳକ ହେବା ପରେ ସେମାନଙ୍କ ବିବାହ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଗଞ୍ଜାମ ଜିଲା ପ୍ରଶାସନ ଓ ଶ୍ରଦ୍ଧାସଞ୍ଜିବନୀ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରିଛନ୍ତି। ସେମାନଙ୍କ ପରିବାର ପକ୍ଷରୁ ଏହି ବିବାହ ପାଇଁ ଅନୁମତି ମିଳିଥିଲା।

ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କନ୍ୟାପିତା ସାଜି କନ୍ୟାଦାନ କରିଥିଲେ। ଉଭୟ ପୁଅ ଏବଂ ଝିଅଙ୍କୁ ୫୦ ହଜାର ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି। ଜିଲା ଗ୍ରାମୀଣ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ, ବ୍ରହ୍ମପୁର ମହାନଗର ନିଗମ କମିଶନର, ବ୍ରହ୍ମପୁର ଉପଜିଲାପାଳଙ୍କ ସମେତ ଜିଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Share