ମାଲକାନଗିରିରେ ବଢ଼ିଚାଲିଛି ଗୁଣିଗାରେଡ଼ି ଜନିତ ମୃତ୍ୟୁସଂଖ୍ୟା: ଦମ୍ପତିଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ମାଲକାନଗିରି,୨୭ା୬(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଗୁଣିଗାରେଡ଼ି ସନ୍ଦେହ ଜନିତ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ଦୁଇଦିନ ତଳେ ମା’-ଝିଅଙ୍କୁ ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା କରାଯାଇଥିବା ବେଳେ ଶନିବାର ଆଉ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଶୁକ୍ରବାର ରାତିରେ କୌଣସି ଦୁର୍ବୃତ୍ତ ମାଲକାନଗରି ଥାନା ଅଞ୍ଚଳ ପେଣ୍ଡାଲଗୁଡ଼ା ଗ୍ରାମରେ ଗୁଣି ଗାରେଡ଼ି ସନ୍ଦେହରେ ସ୍ତ୍ରୀ -ସ୍ବାମୀଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ମୃତ ଦମ୍ପତି ହେଲେ ସ୍ବାମୀ ସୋମା ମାଢ଼ି (୫୦) ଓ ସ୍ତ୍ରୀ ଶୁକ୍ରି ମାଢ଼ି (୪୫)। ଘଟଣା ସମ୍ପର୍କରେ ଖବର ପାଇ ମାଲକାନଗିରି ଥାନା ଆଇଆଇସି ରାମପ୍ରସାଦ ନାଗ ଏବଂ ପୋଲିସ ଦଳ ଶନିବାର ପେଣ୍ଡାଲଗୁଡ଼ାରେ ପହଞ୍ଚି ମୃତଦେହ ଜବତ କରିବା ସହ ସନ୍ଦେହରେ ଦୁଇଜଣଙ୍କୁ ଥାନାକୁ ଆଣି ପଚରାଉଚରା କରୁଛନ୍ତି। ମୃତଦେହ ବ୍ୟବଚ୍ଛେଦ ପରେ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯିବ ବୋଲି ଆଇଆଇସି କହିଛନ୍ତି।