Categories: ଫୁରସତ

ଦୌଡ଼ ପ୍ରତିଯୋଗିତାରେ ଦମ୍ପତିଙ୍କ କମାଲ

ଡେରାଡୁନ: ଛୋଟବେଳୁ ସମସ୍ତେ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ଅନେକ ପୁରସ୍କାର ଜିତିଥାନ୍ତି। ବୟସ ବଢିବା ସହିତ ସେଥିରେ କମି ଦେଖିବାକୁ ମିଳିଥାଏ। ହେଲେ ନିକଟରେ ଦମ୍ପତିଙ୍କୁ ୬୦ ବର୍ଷ ଅତିକ୍ରମ କରିଥିଲେ ମଧ୍ୟ ଛୋଟ ପିଲାଙ୍କ ପରି ପ୍ରତିଯୋଗିତାରେ ଭାଗ ନେଇଥିବା ଦେଖିବାକୁ ମିଳିଛି। ଉତ୍ତରାଖଣ୍ଡର ଅମଲୋରାରେ ରହୁଥିବା ଦମ୍ପତି ପୁରନ ଚନ୍ଦ୍ର ଭଟ୍ଟ ଓ ତାଙ୍କ ସ୍ତ୍ରୀ କମଳା ଭଟ୍ଟ ଉତ୍ତରାଖଣ୍ଡ ମାଷ୍ଟର ଆଥ୍‌ଲେଟ୍‌ସ ଆଣ୍ଡ ସ୍ପୋଟର୍‌ସ ଡେଭଲପମେଣ୍ଟ କମ୍ପିଟିଶନରେ ମେଡାଲ ଜିତିଛନ୍ତି। ପୁରନଙ୍କୁ ୭୨ ବର୍ଷ ହୋଇଥିବାବେଳେ କମଳାଙ୍କୁ ୬୨ବର୍ଷ। ସେମାନେ ରୁଦ୍ରପୁରରେ ହୋଇଥିବା ଏହି ପ୍ରତିଯୋଗିତାରେ ପ୍ରତିଭାର ପ୍ରଦର୍ଶନ କରିଥିଲେ। ପୁରନ ୫ କି.ମି. ଦୌଡ଼ ଏବଂ ୫କି.ମି. ଚାଲିବାରେ ସ୍ବର୍ଣ୍ଣ ପଦକ ଏବଂ ୮୦୦ ମିଟର ଦୌଡ଼ରେ ଗୋଟେ କାଂସ୍ୟ ପଦକ ଜିତିଛନ୍ତି। କମଳା ୪୦୦ ମିଟର, ୨୦୦ ମିଟର ଏବଂ ୧୦୦ ମିଟର ଦୌଡ଼ରେ ୩ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଉକ୍ତ ଦମ୍ପତିଙ୍କ ଏପରି କାମକୁ ସମସ୍ତେ ସଲାମ କରିଛନ୍ତି। ତେବେ ପୁରନ କହିଛନ୍ତି, ସେ ସବୁଦିନ ସକାଳେ ୬ କି.ମି. ଦୌଡ଼ନ୍ତି। କମଳା କହିଛନ୍ତି, ତାଙ୍କୁ ଯେତେବେଳେ ସମୟ ମିଳେ ସେ ମଧ୍ୟ ଏକ୍ସରସାଇଜ କରନ୍ତି। ମାସରେ ଦୁଇଥର ସେ ମଧ୍ୟ ଦୌଡ଼ିଥାନ୍ତି। ଦମ୍ପତିଙ୍କ କହିବା କଥା ସମସ୍ତେ ନିଜ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ରୁଦ୍ରପୁରର ପ୍ରତିଯୋଗିତା ପରେ ହାଇଦ୍ରାବାଦରେ ଏହାର ଜାତୀୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଯେଉଁଥିରେ ଦମ୍ପତି ଭାଗ ନେବେ। ଏଥିପାଇଁ ସେମାନେ ପ୍ରସ୍ତୁତି ଚଳାଇଛନ୍ତି।

Share