ଦେବଦମ୍ପତିଙ୍କ ବିବାହ ଆଜି

ସମ୍ବଲପୁର,୪ା୬ (ବ୍ୟୁରୋ): ସମ୍ବଲପୁର ପ୍ରସିଦ୍ଧ ଶୀଳତଷଷ୍ଠୀ ଯାତ୍ରା ଧୁମ୍‌ଧାମରେ ପାଳନ ହେଉଛି। ମାତା ପାର୍ବତୀ ଓ ବମ୍‌ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହରେ ସାକ୍ଷୀ ହେବାକୁ ସାକ୍ଷୀ ଗୋପୀନାଥ ଶୁକ୍ରବାର ନନ୍ଦପଡାରେ ପହଞ୍ଚତ୍ଥିଲେ। ସାକ୍ଷୀପଡା ଗୋପୀନାଥ ମନ୍ଦିରରୁ ଠାକୁର ସନ୍ଧ୍ୟାରେ ବାହାରି ନଗର ପରିକ୍ରମା କରିଛନ୍ତି। ଏହି ସମୟରେ ଘଣ୍ଟ, ଶଙ୍ଖ, ହରିବୋଲ, ହୁଳହୁଳିରେ ମୁଖରିତ ହୋଇଥିଲା ସହର।
ଭକ୍ତଙ୍କ କାନ୍ଧରେ ସାକ୍ଷୀ ଗୋପୀନାଥ ଦୁଲଦୁଲି ବାଜା ସହ ସ୍ବତନ୍ତ୍ର ବିମାନରେ ଆରୁଢ ହୋଇ ବାଲୁଙ୍କେଶ୍ୱର ମନ୍ଦିର ଅଭିମୁଖେ ବାହାରିଥିଲେ। ବାଟରେ ମହିଳା, ପୁରୁଷ ଭକ୍ତମାନେ ଘର ସମ୍ମୁଖରେ ପୂର୍ଣ୍ଣ କଳସ ସ୍ଥାପନ କରି ଠାକୁରଙ୍କୁ ପୂଜାର୍ଚ୍ଚନା କରିଥିଲେ। ସାକ୍ଷୀପଡା, ଅଶୋକା ଟକିଜ ଛକ, ବୀର ସୁରେନ୍ଦ୍ର ସାଏ ମାର୍ଗ, ଲକ୍ଷ୍ମୀ ଟକିଜ, ଗୋଲବଜାର ଛକ, ସାନସଡକ, ମହାନ୍ତିପଡା ଛକ ପରିକ୍ରମା କରି ରାତି ସାଢ଼େ ୮ଟାରେ ନନ୍ଦପଡାରେ ପହଞ୍ଚିଥିଲେ। ଭକ୍ତମାନେ ଠାକୁରଙ୍କୁ ବନ୍ଦାଣ କରି ମନ୍ଦିର ଭିତରକୁ ପାଛୋଟି ନେଇଥିଲେ। ପଣ୍ଡିତ ଶଶାଙ୍କ ଶେଖର ମିଶ୍ର ଠାକୁରଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଥିଲେ। ଶନିବାର ମାହେନ୍ଦ୍ର ବେଳାରେ ଜଗତ୍‌ଜନନୀ ମାତା ପାର୍ବତୀ ଓ ବାଲୁଙ୍କେଶ୍ୱରଙ୍କ ବିବାହ ହେବ।
ଏହି ଦେବ ବିବାହରେ ଠାକୁର ସାକ୍ଷୀ ହେବା ସହ ଦେବଦମ୍ପତିଙ୍କ ମୁଖ୍ୟ ଶୋଭାଯାତ୍ରାରେ ନଗର ପରିକ୍ରମା କରିବେ। ପରମ୍ପରାନୁସାରେ ସାତଦିନ ପର୍ଯ୍ୟନ୍ତ ଠାକୁର ନନ୍ଦପଡାଠାରେ ରହିବେ। ଦେବଦମ୍ପତିଙ୍କ ବିବାହ ପାଇଁ ବିଭିନ୍ନ ଶୈବପୀଠ ଓ ବିବାହ ମଣ୍ଡପଗୁଡିକ ରଙ୍ଗିନ ଆଲୋକମାଳାରେ ଝଟକି ଉଠିଛି। ଉତ୍ସବରେ ଯୋଗଦେବା ପାଇଁ ଜିଲା, ରାଜ୍ୟ ଓ ରାଜ୍ୟ ବାହାରୁ ବନ୍ଧୁବାନ୍ଧବ ସମ୍ବଲପୁରରେ ପହଞ୍ଚତ୍ ସାରିଛନ୍ତି। କନ୍ୟା ମାତାପିତାଙ୍କ ଅସ୍ଥାୟୀ ବାସଭବନରେ ମଧ୍ୟ ଭିଡ ଜମିଛି। ବିବାହ ମଣ୍ଡପକୁ ଫୁଲ, ଆମ୍ବଡାଳ ଓ ବେଳପତ୍ରରେ ସଜ୍ଜିତ କରିବାରେ ଲାଗିପଡିଛନ୍ତି। ନନ୍ଦପଡା ବମ୍‌ବରାଡ ବାଲୁଙ୍କେଶ୍ୱର ବାବା, ଝାଡୁଆପଡା ଲୋକନାଥ ବାବା ଓ ମୁଦିପଡା ଜାଗେଶ୍ୱର ବାବା, ବାଲିବନ୍ଧା ସୋମନାଥ ବାବା, ବୁଢାରଜା ମହାଦେବ, ବଡବଜାର ଶୀତଳେଶ୍ୱର ବାବା, ଠାକୁରପଡା ଗୁପ୍ତେଶ୍ୱର ବାବା, ଦୁର୍ଗାପାଲି ଗୁଡେଶ୍ୱର ବାବା, ମାନେଶ୍ୱର ମାନଧାତା ବାବା, ସିନ୍ଦୂରପଙ୍କର ତାରକେଶ୍ୱର ବାବା, ଫାଟକ ମହାକାଳେଶ୍ୱର ପ୍ରଭୃତି ଶୈବପୀଠ ରଙ୍ଗିନ ଆଲୋକମାଳାରେ ଝଟକୁଛି।

Share