Categories: ଜାତୀୟ

କୋଲକାତା ବଳାତ୍କାର ହତ୍ୟା ମାମଲାରେ ସିବିଆଇକୁ କେଉଁ ନୂଆ ରିପୋର୍ଟ ମାଗିଲେ କୋର୍ଟ, ଜାଣନ୍ତୁ କେତେଦିନ ମିଳିଲା ସମୟ

ନୂଆଦିଲ୍ଲୀ,୯।୯: ସୁପ୍ରିମକୋର୍ଟରେ ସୋମବାର କୋଲକାତା ମାମଲାର ଶୁଣାଣି ଚାଲିଛି। ସୁପ୍ରିମକୋର୍ଟ ନିଜ ଆଡୁ ପ୍ରଥମ ଥର ପାଇଁ ଅଗଷ୍ଟ ୨୨ରେ କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ବଳାତ୍କାର ହତ୍ୟା ମାମଲାର ଶୁଣାଣି କରିଥିଲେ। ସୋମବାର ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରୁଛନ୍ତି। ବରିଷ୍ଠ ଓକିଲ କପିଲ ସିବଲ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇଛନ୍ତି। ସେ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ପଶ୍ଚିମବଙ୍ଗ ସରକାର ଏକ ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି। ଯେଉଁଥିରେ ସେ କହିଥିଲେ ଯେ ଯେତେବେଳେ ଡାକ୍ତରମାନେ ଧର୍ମଘଟରେ ଥିଲେ, ୨୩ରୋଗୀଙ୍କ ମୃତ୍ୟୁ ଘଟିଥିଲା।

ତେବେ କୋର୍ଟ ସିବିଆଇକୁ ନୂଆ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ କହିଥିବା କୁହାଯାଉଛି।
ସୂଚନାଯୋଗ୍ୟ, ଏହା ପୂର୍ବରୁ ସୁପ୍ରିମକୋର୍ଟରେ ହୋଇଥିବା ମାମଲାର ଶୁଣାଣିରେ ସୁପ୍ରିମକୋର୍ଟ ଏହି ଘଟଣାକୁ ଭୟଙ୍କର ବୋଲି କହିଥିଲେ। ଏହା ସହିତ ଡାକ୍ତର ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏକ ପ୍ରୋଟୋକଲ ପ୍ରସ୍ତୁତ କରିବା ପାଇଁ ସୁପ୍ରିମକୋର୍ଟ ଏକ ୧୦ଜଣିଆ ନ୍ୟାଶନାଲ ଟାସ୍କ ଫୋର୍ସ ଗଠନ କରିବା ସହିତ ଅନେକ ନିର୍ଦ୍ଦେଶ ଦେଇଛନ୍ତି ।
ଅଗଷ୍ଟ ୨୨ରେ ସୁପ୍ରିମକୋର୍ଟରେ ହୋଇଥିବା ଶୁଣାଣି ସମୟରେ ଅସାଧାରଣ ମୃତ୍ୟୁ ମାମଲା ପଞ୍ଜିକରଣରେ ବିଳମ୍ବ ହେତୁ କୋର୍ଟ କୋଲକାତା ପୋଲିସକୁ ତାଗିଦ କରିଥିଲେ। ଏହା ସହିତ କୋର୍ଟ ମଧ୍ୟ ବିରୋଧ ପ୍ରଦର୍ଶନ କରୁଥିବା ଡାକ୍ତରମାନଙ୍କୁ କାମକୁ ଫେରିବା ପାଇଁ ଆବେଦନ କରିଥିଲେ, ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ଯେ ‘ନ୍ୟାୟ ଏବଂ ଔଷଧ’କୁ ବନ୍ଦ କରାଯାଇ ପାରିବ ନାହିଁ। କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସମଗ୍ର ମାମଲାର ତଦନ୍ତ କୋଲକାତା ପୋଲିସଠାରୁ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା।
ସୂଚନାଯୋଗ୍ୟ, ଅଗଷ୍ଟ ୯ରେ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାସ୍ଥିତ ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ସେମିନାର ହଲ ଭିତରେ ଜଣେ ୩୧ବର୍ଷ ବୟସ୍କା ମହିଳା ତାଲିମପ୍ରାପ୍ତ ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା କରାଯାଇଥିଲା। ଏହି ମାମଲାରେ ସଞ୍ଜୟ ରୟ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ପରେ ସାରା ଦେଶରେ ଉତ୍ତେଜନା ଦେଖାଦେଇଥିଲା ଏବଂ ଡାକ୍ତରମାନେ ଧର୍ମଘଟ କରିଥିଲେ।

Share