ବେକରେ ରଶି ଲଗାଇ ଗାଁରେ ବୁଲାଇଲା କଙ୍ଗାରୁ କୋର୍ଟ

ଝାରସୁଗୁଡ଼ା ଅଫିସ,୧୬ା୬: ଦୋଷୀଙ୍କୁ ଦଣ୍ଡ ବିଧାନ ପାଇଁ ଥାନା, କୋର୍ଟ ଆଦିର ବ୍ୟବସ୍ଥା ରହିଛି। କିନ୍ତୁ ଲୋକେ ଏହା ନ କରି ଆଇନ ହାତକୁ ନେଇ କଙ୍ଗାରୁ କୋର୍ଟରେ ଦୋଷୀଙ୍କୁ ଦଣ୍ଡ ଦେଉଛନ୍ତି। ଏଭଳି ଏକ ଘଟଣା ଘଟିଛି ଝାରସୁଗୁଡ଼ା ଜିଲା ଲଇକେରା ଥାନା ଅଧୀନ ନାୟକ ବନପାଲି ଗ୍ରାମରେ।
ସୂଚନା ଅନୁଯାୟୀ, ଗୋରୁ ମାଂସ ବିକ୍ରି କରୁଥିବା ନେଇ ଗ୍ରାମର କେତେଜଣ ଯୁବକଙ୍କ ଉପରେ ଗ୍ରାମବାସୀଙ୍କ ସନ୍ଦେହ ହୋଇଥିଲା। ଏ ନେଇ ଗାଁ ମୁଖିଆଙ୍କ ନେତୃତ୍ୱରେ ଗ୍ରାମରେ କଙ୍ଗାରୁ କୋର୍ଟ ବସିଥିଲା। ପରେ କଙ୍ଗାରୁ କୋର୍ଟର ନିଷ୍ପତ୍ତି କ୍ରମେ ଗତ ସୋମବାର ସମ୍ପୃକ୍ତ ୪ ଯୁବକ ନଡିଆ ଧରି ବେକରେ ରଶି ଲଗାଇ ଗାଁ ପରିକ୍ରମା କରିଥିଲେ। ଏପରି କି ଗାଁ ଦାଣ୍ଡରେ ସେମାନେ ଆଣ୍ଠୁମାଡ଼ି ବସି ଗୋରୁ ଭଳି ବୋବାଇଥିଲେ। ପରେ ସେମାନେ ନିଜ ଘରକୁ ଯାଇଥିଲେ। ଏହି ଘଟଣାକୁ କେହି ଜଣେ ମୋବାଇଲରେ କଏଦ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା। ଭିଡିଓ ଭାଇରାଲ ନେଇ ଲଇକେରା ଥାନା ଆଇଆଇସି ପ୍ରବୀର କେଶରୀ ତ୍ରିପାଠୀଙ୍କୁ ପଚାରିବାରୁ ଏହି ସମ୍ପର୍କରେ ପୋଲିସରେ କୌଣସି ଅଭିଯୋଗ ହୋଇ ନ ଥିବା ସେ କହିଛନ୍ତି।

Share