ସଲମାନଙ୍କ ଆବେଦନ ଖାରଜ କଲେ କୋର୍ଟ

ମୁମ୍ବାଇ,୨୩ା୩: ଦବଙ୍ଗ ଖାନ୍‌ ସଲମାନଙ୍କୁ ମୁମ୍ବାଇ କୋର୍ଟରୁ ଏକ ବଡ଼ ଝଟ୍‌କା ଲାଗିଛି। ଆମେରିକାରେ ରହୁଥିବା ତାଙ୍କ ପଡ଼ୋଶୀ କେତନ ଆର କକ୍କରଙ୍କ ମୁହଁ ବନ୍ଦ କରିବା ପାଇଁ ତାଙ୍କ ନାମରେ ଏକ ମାନହାନି କେସ୍‌ କରିଥିଲେ ସଲମାନ। ଗୁଗ୍‌ଲ, ୟୁଟ୍ୟୁବ୍‌, ଫେସବୁକ୍‌ ଏବଂ ଟୁଇଟର ପରି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନେଇ କେତନଙ୍କ ନାମରେ କୋର୍ଟରେ ସଲମାନ ଏକ ଆବେଦନ କରିଥିଲେ। ଯାହା ଦ୍ୱାରା ସେ ସୋସିଆଲ ମିଡିଆରେ କୌଣସି ପ୍ରକାରର ବିଷୟବସ୍ତୁ ଅପଲୋଡ୍‌ କିମ୍ବା ମନ୍ତବ୍ୟ ଦେଇ ପାରିବେ ନାହିଁ। ତେବେ ଦୀର୍ଘ ଦିନର ଶୁଣାଣି ପରେ ସଲମାନଙ୍କ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, କେତନ ଆର କକ୍କର ସଲମାନ ତାଙ୍କ ପାନଭେଲ ଫାର୍ମ ହାଉସରେ ନିୟମ ଉଲ୍ଲଂଘନ କରୁଥିବା ଅଭିଯୋଗ କରିଥିଲେ। ସଲମାନ୍‌ଙ୍କ ଫାର୍ମ ହାଉସ ୧୦୦ ଏକର ବିଶିଷ୍ଟ ଜାଗାରେ ବ୍ୟାପିଛି। ଏସବୁ ସେ ସୋସିଆଲ ମିଡିଆରେ ଉଲ୍ଲେଖ କରିଥିଲେ। ଯାହାକୁ ନେଇ ଦୁହିଁଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ତେବେ ସେସନ୍ସ କୋର୍ଟର ବିଚାରପତି ଏ.ଏଚ୍‌ ଲାଦ୍ଦଢା ଗତ ଦୁଇ ମାସ ଧରି ଉଭୟ ପକ୍ଷର ଓକିଲମାନଙ୍କର ଯୁକ୍ତି ଶୁଣିବା ପରେ ବୁଧବାର ଏହି ନିର୍ଦ୍ଦେଶ ଜାରି କରିଛନ୍ତି।

Share