ବାର୍‌ହା ଭାବି ସମ୍ପର୍କୀୟ ଶ୍ୱଶୁରଙ୍କୁ ଗୁଳି

ବଇଣ୍ଡା,୫ା୮(ପରିକ୍ଷିତ ସାହୁ):ଜଙ୍ଗଲକୁ ଶିକାର ପାଇଁ ଯାଇଥିବା ବେଳେ ଘଟିଛି ଅଘଟଣ। ଛତୁ ତୋଳିସାରି ବୁଦା ଭିତରୁ ବାହାରି ଆସୁଥିବା ସମ୍ପର୍କୀୟ ଶ୍ୱଶୁରଙ୍କୁ ବାର୍‌ହା ଭାବି ଗୁଳି ଚଳାଇଛନ୍ତି ଜ୍ୱାଇଁ। ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ତଲେଇପଥର ଜଙ୍ଗଲରେ ରବିବାର ଭୋର ସମୟରେ ଘଟିଥିବା ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଗୁରୁତର ସମ୍ପର୍କୀୟ ଶ୍ୱଶୁରଙ୍କୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏ ନେଇ ଥାନାରେ ଅଭିଯୋଗ ହୋଇ ନ ଥିଲେ ମଧ୍ୟ ଖବରପାଇ ପୋଲିସ ସମ୍ପର୍କୀୟ ଜ୍ୱାଇଁଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।
ପୋଲିସ କହିଛି, ଚିନ୍ତାମଣିପୁର ଗ୍ରାମର ସୁବଳ ନାୟକ ଓ ଜନକପୁର ଗ୍ରାମର ସମ୍ପର୍କୀୟ ଶ୍ୱଶୁର ଧ୍ରୁବ ଚରଣ ନାୟକ ତଲେଇପଥର ଜଙ୍ଗଲକୁ ଶନିବାର ରାତିରେ ବାର୍‌ହା ଶିକାର କରିବା ପାଇଁ ଯାଇଥିଲେ। ରାତି ତମାମ ଜଙ୍ଗଲରେ ଦେଶୀ ବନ୍ଧୁକ ଧରି ବୁଲିଥିବା ବେଳେ ବାର୍‌ହା ଶିକାର କରିପାରି ନ ଥିଲେ। ରବିବାର ଭୋର ସମୟରେ ଧ୍ରୁବ ଏକ ନଟି ବୁଦାକୁ ଯାଇ ଛତୁ ସଂଗ୍ରହ କରୁଥିଲେ। ତେବେ ସେ ବୁଦା ଭିତରୁ ବାହାରକୁ ଆସୁଥିବା ବେଳେ ଦୂରରେ ଥିବା ସୁବଳ ବାର୍‌ହା ଭାବି ଗୁଳି କରିଥିଲେ। ଗୁଳିଟି ଧ୍ରୁବଙ୍କ ବାମ ଗୋଡରେ ବାଜିବାରୁ ସେ ଚିତ୍କାର କରିଥିଲେ। ଗୁରୁତର ଅବସ୍ଥାରେ ଧ୍ରୁବଙ୍କୁ ଧରି ସୁବଳ ଗଁାରେ ପହଞ୍ଚିବା ପରେ ପରିବାର ଲୋକଙ୍କ ଜରିଆରେ ଆଠମଲ୍ଲିକ ଡାକ୍ତରଖାନା ନିଆଯାଇଥିଲା। ପରେ ତାଙ୍କୁ ସେଠାରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା। ଘଟଣା ନେଇ ଧ୍ରୁବଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇ ନ ଥିଲେ ମଧ୍ୟ ଖବରପାଇ ପୋଲିସ ସୁବଳଙ୍କୁ ଥାନାକୁ ଉଠାଇ ନେଇଛି। ପୋଲିସ ନିଜଆଡ଼ୁ ମାମଲା ରୁଜୁ କରି ତଦନ୍ତ କରିବ ବୋଲି ଆଇଆଇସି ନଟବର ନନ୍ଦ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଧଣ୍ଡାତୋପା ଜଙ୍ଗଲରେ କିଛି ମାସ ହେବ ଶିକାର ବଢ଼ି ଚାଲିଥିବା ବେଳେ ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ କରାଯାଉ ନ ଥିବା ତଲେଇପଥର ଗ୍ରାମବାସୀ ଅଭିଯୋଗ କରିଛନ୍ତି।