Categories: ଜାତୀୟ

ଆନ୍ଧ୍ରରେ କୋଭିଡ୍‌ ସ୍ଥିତି ଚିନ୍ତାଜନକ: ଲକ୍ଷଣ ନ ଥାଇ ହଠାତ୍‌ ମୃତ୍ୟୁ ହେଉଛି

ବିଶାଖାପାଟଣା,୨୬ା୬:ମହାମାରୀ କରୋନା ଆନ୍ଧ୍ରବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହି ଦକ୍ଷିଣ ଭାରତୀୟ ରାଜ୍ୟରେ ରୋଗୀଙ୍କଠାରେ କୋଭିଡ୍‌-୧୯ ଲକ୍ଷଣ ନ ଥାଇ ହଠାତ୍‌ ମୃତ୍ୟୁ ଘଟୁଛି। ବିଜୟଓ୍ବାଡା ସରକାରୀ ହସ୍ପିଟାଲ ପରିସରରେ ଥିବା ଏଆର୍‌ଟି ସେଣ୍ଟରରେ କାର୍ଯ୍ୟରତ ଜଣେ ଡାକ୍ତର ହଠାତ୍‌ ଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଏକ୍ସ-ରେ ହେବାରୁ ତାଙ୍କ ଛାତିରେ ଅସ୍ବାଭାବିକତା ଜଣାପଡିଥିଲା। ସଙ୍ଗେ ସଙ୍ଗେ ତାଙ୍କୁ କୋଭିଡ୍‌ ହସ୍ପିଟାଲକୁ ନିଆଯାଇଥିଲା ଓ ସେହିଦିନ ତାଙ୍କର ମୃତ୍ୟୁ ଘଟିଲା। ମୃତ୍ୟୁର ଦିନକ ପୂର୍ବରୁ ଏହି ଡାକ୍ତର ରୋଗୀ ଦେଖୁଥିଲେ।
ପୂର୍ବ ଗୋଦାବରୀ ଜିଲାରେ ପ୍ରାୟ ୨୦୦ ଲୋକଙ୍କୁ ସଂକ୍ରମିତ କରିଥିବା ସୁପର ସ୍ପ୍ରେଡର କାକିନାଡା ହସ୍ପିଟାଲରେ ଭର୍ତ୍ତି ହେବାର ଅଧଘଣ୍ଟା ମଧ୍ୟରେ ପ୍ରାଣ ହରାଇଥିଲେ। ସେହିପରି ୩ ଦିନ ତଳେ ଅମଲାପୁରମ ଅଞ୍ଚଳର ଜଣେ ରୋଗୀ ହସ୍ପିଟାଲରେ ପହଞ୍ଚତ୍ବା ପୂର୍ବରୁ ଆଖିବୁଜି ଦେଇଥିଲେ। ଅନ୍ୟ ଜିଲାଗୁଡ଼ିକରେ ମଧ୍ୟ ଅନୁରୂପ ମାମଲା ସାମ୍‌ନାକୁ ଆସିଛି। ଲକ୍ଷଣ ଜଣାପଡ଼ିବାର କିଛି ସମୟ ମଧ୍ୟରେ କିମ୍ବା ଅତିବେଶିରେ ଦିନକରେ ରୋଗୀଙ୍କର ମୃତ୍ୟୁ ଘଟୁଛି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଲକ୍ଷଣ ଜଣାପଡ଼ୁ ନ ଥିବା ରୋଗୀ ସ୍ଥିର ମନେହେଉଥିଲେ ହେଁ ଭୂତାଣୁ ସେମାନଙ୍କ ଅଙ୍ଗ ନଷ୍ଟ କରିଦେଇଥାଏ। ଏହା ରକ୍ତ ଅମ୍ଳଜାନ ସ୍ତରକୁ ହ୍ରାସ କରିଦେଇଥାଏ। ଫଳରେ ରୋଗୀକୁ ବଞ୍ଚାଇବା ପାଇଁ ଡାକ୍ତରଙ୍କୁ ଯଥେଷ୍ଟ ସମୟ ମିଳେନାହିଁ।
ସେଭେନ ହିଲ୍ସ ହସ୍ପିଟାଲର କନ୍‌ସଲ୍ଟାଣ୍ଟ ପଲମୋଲୋଜିଷ୍ଟ ଡ. ଭାମ୍‌ସି କ୍ରିଷ୍ଣାଙ୍କ କହିବା ଅନୁଯାୟୀ, ଚିକିତ୍ସାର ଫଳାଫଳ ପ୍ରାରମ୍ଭିକ ଭାବେ ରୋଗର ତୀବ୍ରତା ଓ ରୋଗୀଙ୍କ ରୋଗ ପ୍ରତିରୋଧକ ଶକ୍ତି ଉପରେ ନିର୍ଭର କରେ। ତେବେ କେତେଜଣ କରୋନା ରୋଗୀଙ୍କଠାରେ ବ୍ଲଡ୍‌ ଅକ୍ସିଜେନ୍‌ ସ୍ତର ଅତ୍ୟଧିକ ହ୍ରାସ ପାଇଥିଲେ ହେଁ ସେମାନଙ୍କଠାରେ ଲକ୍ଷଣ ଦେଖାଯାଏ ନାହିଁ। ଯେତେବେଳେ ହଠାତ୍‌ ମୃତ୍ୟୁ ଆସେ, ସାଇଲେନ୍ସ ହାଇପୋକ୍ସିଆ କିମ୍ବା ଅନ୍ୟ ଜଟିଳତା ଦେଖାଯାଏ, ସେତେବେଳେ କିଛି କରିହୁଏ ନାହିଁ ବୋଲି ଡ. କ୍ରିଷ୍ଣା କହିଛନ୍ତି। ଅଧିକାଂଶ କରୋନା ରୋଗୀଙ୍କଠାରେ ଲକ୍ଷଣ ଦେଖାଯାଏ ନାହିଁ। ଲକ୍ଷଣ ନାହିଁ ମାନେ କୌଣସି କ୍ଷତି ନାହିଁ ଭାବିବା ଠିକ୍‌ ନୁହେଁ।

Share