ବିଧାନସଭା ପ୍ରବେଶ ପାଇଁ କୋଭିଡ୍‌ ପରୀକ୍ଷା ବାଧ୍ୟତାମୂଳକ ନୁହେଁ: ବାଚସ୍ପତି

ଭୁବନେଶ୍ୱର,୩ା୨(ବ୍ୟୁରୋ): ଆସନ୍ତା ୧୮ ତାରିଖରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବ। ତେବେ ଚଳିତ ଅଧିବେଶନ ପାଇଁ କୋଭିଡ୍‌ ପରୀକ୍ଷା ବାଧ୍ୟତାମୂଳକ ହେବ ନାହିଁ। ଏହା ବାଧ୍ୟତାମୂଳକ ହୋଇ ନ ଥିଲେ ମଧ୍ୟ ପ୍ରବେଶ କଲାବେଳେ ଥଣ୍ଡା, କାଶ, ଜ୍ୱର ଭଳି ଲକ୍ଷଣ ଦେଖାଦେଲେ ସେହି ବ୍ୟକ୍ତିଙ୍କୁ ଆଣ୍ଟିଜେନ ଟେଷ୍ଟ କରିବାକୁ ପରାମର୍ଶ ଦିଆଯିବ। ବିଧାନସଭା ଅଧିବେଶନ ପୂର୍ବରୁ ମଙ୍ଗଳବାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି। ମୌସୁମୀ ଏବଂ ଶୀତ ଅଧିବେଶନ ବେଳେ କୋଭିଡ୍‌ ପରୀକ୍ଷା ବାଧ୍ୟତାମୂଳକ କରାଯାଇଥିଲା। ମହାମାରୀ ପ୍ରକୋପ କମିଥିବାରୁ ଏହା ବାଧ୍ୟତାମୂଳକ ନୁହେଁ ବୋଲି ସେ ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ବାଚସ୍ପତି କହିଛନ୍ତି, ଫେବୃୟାରୀ ୧୮ରୁ ବିଧାନସଭା ଆରମ୍ଭ ହେବ। ପ୍ରଥମ ଦିବସରେ ରାଜ୍ୟପାଳଙ୍କ ଅଭିଭାଷଣ ରହିବ। ୨୨ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୧-୨୨ ଆର୍ଥିକବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ। ୨୫ରୁ ବଜେଟ ଆଲୋଚନା ହେବ। ଚଳିତ ବିଧାନସଭାରେ ପ୍ରଶ୍ନୋତ୍ତର ଏବଂ ଗୃହର ଅନ୍ୟାନ୍ୟ କାର୍ଯ୍ୟକ୍ରମ ପୂର୍ବଭଳି ଜାରି ରହିବ। ତେବେ କୋଭିଡ୍‌ କଟକଣା ଉଠାଯାଇ ନାହିଁ। ଗୃହ ଭିତରେ ସାମାଜିକ ଦୂରତା ରକ୍ଷା କରାଯିବ। ଏହାଛଡ଼ା କୋଭିଡ୍‌ ସଂକ୍ରାନ୍ତ ଅନ୍ୟାନ୍ୟ କଟକଣାକୁ ଅନୁସରଣ କରାଯିବ । ତେବେ ପ୍ରତ୍ୟେକ ଦିନ ବିଧାନସଭା ଭିତର ଓ ବାହାର ବିଶୋଧନ କରାଯିବ। ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡକାଯିବ। ବୈଠକରେ ସମସ୍ତ ବିଷୟ ଉପରେ ନିଷ୍ପତ୍ତି ନିଆଯିବ ବୋଲି ପାତ୍ର କହିଛନ୍ତି। ଏଥିସହିତ ଭିଡିଓକନ୍‌ଫରେନ୍ସ ସୁବିଧା ମଧ୍ୟ ଉପଲବ୍ଧ ରହିବ। ଯେଉଁ ସଦସ୍ୟ କିମ୍ବା ମନ୍ତ୍ରୀ ଚାହିଁବେ ସେମାନେ ଭିଡିଓ କନ୍‌ଫରେନ୍ସରେ ଗୃହ କାର୍ଯ୍ୟରେ ଯୋଗଦେବେ। ଗଣମାଧ୍ୟମ ପ୍ରତିନିଧିମାନେ ପୂର୍ବଭଳି ବିଧାନସଭାକୁ ଆସିପାରିବେ। ଚଳିତ ଅଧିବେଶନ ହେବ ଇ- ବିଧାନସଭା। ବିଧାନସଭାରେ କୌଣସି କାଗଜପତ୍ର ବ୍ୟବହାର ହେବ ନାହିଁ। ବିଧାୟକମାନେ ଅନ୍‌ଲାଇନରେ ସେମାନଙ୍କର ପ୍ରଶ୍ନ ପଠାଇବା ସହିତ ଉତ୍ତର ପାଇପାରିବେ। ତେବେ ଯେଉଁ ବିଧାୟକ ଚାହିଁବେ ସେମାନଙ୍କୁ ଉଭୟ ଅନ୍‌ଲାଇନ ଏବଂ ଅଫ୍‌ଲାଇନରେ ଉତ୍ତର ଯୋଗାଇ ଦିଆଯିବ। ବଜେଟ ପେନ୍‌ଡ୍ରାଇଭ ଜରିଆରେ ଯୋଗାଇ ଦିଆଯିବ। ଅର୍ଥମନ୍ତ୍ରୀ ଗୃହରେ ବଜେଟ ପାଠ କରିବେ ବୋଲି ପାତ୍ର କହିଛନ୍ତି। ଏଠାରେ ସୂଚନାଯୋଗ୍ୟ, କୋଭିଡ୍‌ ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ଦୁଇ ଅଧିବେଶନକୁ ସୀମିତ କରାଯାଇଥିବା ବେଳେ ବିଧାନସଭା ସଦସ୍ୟ, କର୍ମଚାରୀ, ପୋଲିସ, ଗଣମାଧ୍ୟମ ପ୍ରତିନିଧିମାନଙ୍କର କରୋନା ପରୀକ୍ଷା କରାଯାଇଥିଲା।

Share