ବାରିପଦା ଅଫିସ/ଠାକୁରମୁଣ୍ଡା(ଡି.ଏନ୍.ଏ.),୧।୨- ଦରମା ବିଲ୍ କରାଇ ଦେବାକୁ କହି ଜଣେ ଶିକ୍ଷକଙ୍କଠାରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମୟୂରଭଞ୍ଜ ଜିଲା ରରୁଆଁ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସିଆର୍ସିସି ମଧୁସୂଦନ ନାଏକ ସୋମବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ବାରିପଦା ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିବା ସହ ଲାଞ୍ଚ ଟଙ୍କା ଜବତ କରିଛି।
ସୂଚନା ଅନୁଯାୟୀ, ଜଡ଼ିପଦା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବିଶ୍ୱନାଥ ମହାନ୍ତଙ୍କ ୧୦ ବର୍ଷର ବର୍ଦ୍ଧିତ ଦରମା କରାଇ ଦେବାକୁ ସିଆରସିସି ନାଏକ ଟଙ୍କା ଦାବି କରି ଦିନ ଗଡ଼ାଉଥିଲେ। ଏନେଇ ଶିକ୍ଷକ ମହାନ୍ତ ବାରିପଦା ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ପୂର୍ବ ପ୍ରସ୍ତୁତି ଅନୁଯାୟୀ ସୋମବାର ଅପରାହ୍ନ ୪ଟାରେ ବିଇଓ ଅଫିସରେ ସିଆର୍ସିସି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ କର୍ମଚାରୀମାନେ ତାଙ୍କୁ ଧରିବାରେ ସଫଳ ହୋଇଥିଲେ। ଚଢ଼ାଉରେ ଡିଏସ୍ପି ସରୋଜ ମହାପାତ୍ର, ଇନ୍ସପେକ୍ଟର ଜୟନ୍ତୀ ଦଳେଇ, ଏସ୍. ହେମ୍ବ୍ରମ, କନଷ୍ଟେବଳ ଲଳିତ ରାଉତ, ବି.କେ. ପଟ୍ଟନାୟକ, ମନୋରଞ୍ଜନ ସାହୁ ପ୍ରମୁଖ ସାମିଲ ଥିଲେ।