ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଜବତ

ଲୋଇସିଂହା,୨୦।୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ଯୋଗୀସର୍ଡ଼ା ଗ୍ରାମର ଏକ ଚାଷ ଜମିରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହକୁ ପୋଲିସ ଗୁରୁବାର ଜବତ କରିଛି। ମୃତଦେହ ୩ ରୁ ୪ ଦିନର ହେବ ବୋଲି ଜଣାପଡିଛି। ଅଂଶୁଘାତ ମୃତ୍ୟୁ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ଜବତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜକୁ ପଠାଯାଇଛି। ଚିହ୍ନଟ ପାଇଁ ଶବାଗାରରେ ରଖାଯିବ ବୋଲି ଏସଆଇ ଅଭିନାଶ ନାୟକ କହିଛନ୍ତି। ସୂଚନା ଅନୁଯାୟୀ, ଆଜି ସକାଳେ ସମ୍ପୃକ୍ତ ଅଞ୍ଚଳକୁ ଗ୍ରାମର କେତେକ ବ୍ୟକ୍ତି ଶୌଚ ହୋଇ ଯାଇଥିବା ବେଳେ ଏକ ମୃତଦେହ ପଡିଥିବା ଏବଂ ତାହା ପଚି ଯାଇ ଦୁର୍ଗନ୍ଧ ବାହାରୁଥିବା ଜାଣିବାକୁ ପାଇଥିଲେ। ଏ ନେଇ ଚାଷ ଜମି ମାଲିକ ମଧ୍ୟ ଜାଣି ଲୋଇସିଂହା ପୋଲିସକୁ ସୂଚନା ଦେଇଥିଲେ। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ମୃତ ବ୍ୟକ୍ତିଙ୍କ ବୟସ ୫୦ରୁ ଅଧିକ ହେବ ବୋଲି ପୋଲିସ କହିଛି। ଅପରପକ୍ଷେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କେହି ହତ୍ୟା କରି ସେଠାରେ ପକାଇ ଦେଇଥିବା ନେଇ ଯୋଗିସର୍ଡ଼ା ଗ୍ରାମବାସୀ ମଧ୍ୟରେ ଆଲୋଚନା ହେଉଛି।

Share