Advertisement

୭ ବର୍ଷ ହେଲା ଫାଉଣ୍ଡେଶନରେ ସୀମିତ ଶ୍ମଶାନ ଗୃହ

ଦଶମନ୍ତପୁର,୨୯ା୯ ( ଅରବିନ୍ଦ ନାୟକ ): ୭ ବର୍ଷ ହେଲାଣି ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗିର୍ଲିଗୁମା ପଞ୍ଚାୟତ ଡକ୍ରିବେଡ଼ା ଗ୍ରାମ ଶ୍ମଶାନରେ ନିର୍ମିତ ଗୃହ ନିର୍ମାଣ କାର୍ଯ୍ୟ କେବଳ ଫାଉଣ୍ଡେଶନରେ ସୀମିତ ରହିଛି। ଏ ବାବଦରେ ଆସିଥିବା ଅର୍ଥ ଆତ୍ମସାତ୍‌ କରି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଖବରରୁ ଜଣାପଡିଛି, ୭ ବର୍ଷ ତଳେ, ପଞ୍ଚାୟତ ପକ୍ଷରୁ ସରପଞ୍ଚ ପୀତବାସ ମୁଦୁଲି ଗ୍ରାମର ଦାନଶୀଳ ଖୋସ୍‌ଲାଙ୍କୁ ମଶାଣିରେ ଏକ ଗୃହ ନିର୍ମାଣ ଲାଗି ଦାୟିତ୍ୱ ଦେଇଥିଲେ। ଗ୍ରାମରେ କାହା ମୃତ୍ୟୁ ହେଲେ ମଶାଣିକୁ ମୃତଦେହ ନେଇ ସତ୍କାର ବେଳେ ଏହି ଗୃହର ବ୍ୟବହାର କରିବା ଏହାର ଉଦ୍ଦେଶ୍ୟ ଥିଲା। ଅନ୍ୟପକ୍ଷରେ ବର୍ଷା ଦିନେ ମୃତଦେହ ସତ୍କାର ବେଳେ ଲୋକେ ସମ୍ମୁଖୀନ ହେଉଥିବା ଅସୁବିଧା ମଧ୍ୟ ଦୂର ହୋଇପାରିବ ବୋଲି ଲକ୍ଷ୍ୟ ରଖାଯାଇଥିଲା। ଏବେ ଏହି ଗୃହ କେବଳ ଫାଉଣ୍ଡେଶନ ପଡି ପଡିରହିଛି। ଏ ବାବଦରେ ଆସିଥିବା ଅର୍ଥ ଆତ୍ମସାତ୍‌ କରାଯାଇ କାର୍ଯ୍ୟକୁ ଅଧାପନ୍ତରିଆ କରି ପକାଇ ରଖାଯାଇଛି ବୋଲି ଗ୍ରାମର ଭଜମନ ହିଆଲ, ଶରତ ଟାକ୍ରି, ସୁରେନ୍ଦ୍ର କନ୍ଦପାନ, ବିଜୟ ଗରଡା ପ୍ରମୁଖ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଦାନଶୀଳଙ୍କୁ ପଚାରିବାରୁ ସେ କହିଲେ, ତାଙ୍କୁ ମଶାଣିରେ ଗୃହ ନିର୍ମାଣ ପାଇଁ ପ୍ରଥମେ ଏହାର ଫାଉଣ୍ଡେଶନ ପର୍ଯ୍ୟନ୍ତ ନିର୍ମାଣ କରିବାକୁ ସରପଞ୍ଚ ମୁଦୁଲି ଓ ପୂର୍ବତନ ବ୍ଲକ କନିଷ୍ଠ ଯନ୍ତ୍ରୀ କହିଥିଲେ। ଅନ୍ୟଠାରୁ ଧାର ଉଧାର କରି ବାଲି ପଥର ଗୋଡି ଆଣି ସେ ଫାଉଣ୍ଡେଶନ ପର୍ଯ୍ୟନ୍ତ ନିର୍ମାଣ କଲେ। ଏହାପରଠାରୁ ଆଉ ସରପଞ୍ଚ କି ବ୍ଲ୍ଳକର କୌଣସି କର୍ମଚାରୀ ତାଙ୍କୁ କିଛି କହିଲେ ନାହିଁ। ସେ ଧାର ଉଧାାର କରି ଏ ବାବଦରେ ଖର୍ଚ୍ଚ କରିଥିବା ୧୫ ହଜାର ଟଙ୍କା ମଧ୍ୟ ଦେଲେ ନାହିଁ ବୋଲି ଦାନଶୀଳ କହିଛନ୍ତି। ଏନେଇ ବାରମ୍ବାର ସରପଞ୍ଚ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଜଣାଇଲେ ସୁଦ୍ଧା କେହି ଶୁଣୁନାହାନ୍ତି। ଏ ସମ୍ପର୍କରେ ସରପଞ୍ଚ ମୁଦୁଲି କହିଛନ୍ତି, କାର୍ଯ୍ୟରେ ବିଳମ୍ବ ହେବାରୁ ସରକାରୀ ଟଙ୍କା ଫେରିଗଲା। ଆଉ ଥରେ ଟଙ୍କା ଆସିଲେ ବଳକା କାର୍ଯ୍ୟ ହେବ। ଏ ସମ୍ପର୍କରେ ଜିପିଓ ସ୍ମୃତିରଞ୍ଜନ ନାୟକଙ୍କୁ ପଚାରିବାରୁ ସେ କହିଲେ, ଗତ କିଛି ବର୍ଷ ତଳେ ପଞ୍ଚାୟତକୁ ଏକା ସାଙ୍ଗରେ ୨୦/୩୦ ଲକ୍ଷ ଟଙ୍କା ସରକାରୀ ଅନୁଦାନ ଆସୁଥିଲା। ସେହି ଅନୁସାରେ ବିଭିନ୍ନ ମଶାଣି ଗୃହ ଓ ବିଶ୍ରାମ ଗୃହ କାମ ହେଉଥିଲା। ବର୍ତ୍ତମାନ ସେ ପ୍ରୋଜେକ୍ଟ ବନ୍ଦ ହୋଇଯିବାରୁ ସେପରି ଅର୍ଥ ଆସୁନାହିଁ ବୋଲି ନାୟକ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share