ଇନ୍ଦୋର,୩୦।୭(ପି.ଟି.): ପୂର୍ବତନ ଭାରତୀୟ ଉଇକେଟ କିପର ଚନ୍ଦ୍ରକାନ୍ତ ପଣ୍ଡିତଙ୍କୁ ମଧ୍ୟ ପ୍ରଦେଶ ଦଳର କୋଚ୍ ନିଯୁକ୍ତି କରାଯିବା ଉପରେ ମଧ୍ୟ ପ୍ରଦେଶ କ୍ରିକେଟ ଆସୋସିଏଶନ (ଏମ୍ପିସିଏ) କ୍ରିକେଟ କମିଟି ପ୍ରଶ୍ନ ଉଠାଇଛି। ପଣ୍ଡିତଙ୍କୁ ଗତ ମାର୍ଚ୍ଚରେ ମଧ୍ୟପ୍ରଦେଶ ରଣଜୀ ଦଳର କୋଚ୍ ନିଯୁକ୍ତ କରାଯାଇଥିଲା। ତେବେ ୪ ମାସ ପରେ ଏମ୍ପିସିଏ କ୍ରିକେଟ କମିଟି ଏ ନେଇ ପ୍ରଶ୍ନ ଉଠାଇଛି। କ୍ରିକେଟ କମିଟି କୋଚ୍ ନିଯୁକ୍ତିକୁ ଅନ୍ତିମ ରୂପ ଦେଇଥାଏ। କିନ୍ତୁ ଏହି ନିଯୁକ୍ତିରେ ସମ୍ପୂର୍ଣ୍ଣ ରୂପେ ଅନ୍ଧାରରେ ରଖାଯାଇଛି ବୋଲି କମିଟି ତରଫରୁ କୁହାଯାଇଛି। କ୍ରିକେଟ କମିଟିର ଏପରି ଆଚରଣ ଦୁର୍ଭାଗ୍ୟଜନକ ବୋଲି ଏମ୍ପିସିଏ ସମ୍ପାଦକ ସଞ୍ଜୀବ ରାଓ କହିଛନ୍ତି। ପଣ୍ଡିତ ଏମ୍ପିସିଏ ସହିତ ୨ ବର୍ଷିଆ ଚୁକ୍ତି କରିଛନ୍ତି। ଘରୋଇ କ୍ରିକେଟରେ ପଣ୍ଡିତ କୋଚ୍ ହିସାବରେ ବେଶ୍ ସଫଳତା ପାଇଛନ୍ତି।