ଭାରତର ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟର ଭଗବାନ କୁହାଯାଏ। ତାଙ୍କ କ୍ୟାରିୟର୍ରେ ତେନ୍ଦୁଲକର ବିନା କାରଣରେ କୌଣସି ପ୍ରତିଦ୍ୱନ୍ଦ୍ୱୀ ଖେଳାଳିଙ୍କ ସହ ଝଗଡା କରୁ ନ ଥିଲେ। କିନ୍ତୁ ଅନେକ ଖେଳାଳି ତେନ୍ଦୁଲକରଙ୍କୁ ସ୍ଲେଜିଂ କରିବାକୁ ପଛାଉ ନ ଥିଲେ। ଥରେ କ୍ରିକେଟ ପଡ଼ିଆରେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ମାଇକେଲ କ୍ଲାର୍କ ସଚିନ ତେନ୍ଦୁଲକରଙ୍କୁ ବୁଢା ବୋଲି କହିଥିଲେ। ସଚିନ ଏହାର କୌଣସି ଉତ୍ତର ଦେଇ ନ ଥିଲେ। କିନ୍ତୁ ତାଙ୍କ ସହ ବ୍ୟାଟିଂ କରୁଥିବା ବୀରେନ୍ଦ୍ର ସେହ୍ବାଗ ଏହାର ଉଚିତ୍ ଜବାବ ଦେଇଥିଲେ।
ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ଶୋ’ରେ ସେହ୍ବାଗ ଏହାର ଖୁଲାସା କରିଥିଲେ। ସେ କହିଥିଲେ ଅଷ୍ଟ୍ରେଲିଆ ବିପକ୍ଷ ଏକ ମ୍ୟାଚରେ ମୁଁ ଏବଂ ସଚିନ ବ୍ୟାଟିଂ କରୁଥିଲୁ। ସେତେବେଳେ ଅଷ୍ଟ୍ରେଲିଆ ଦଳରେ ମାଇକେଲ କ୍ଲାର୍କ ନୂଆ ନୂଆ ଏଣ୍ଟ୍ରି କରିଥାନ୍ତି। ବ୍ୟାଟିଂ ସମୟରେ କ୍ଲାର୍କ ସଚିନଙ୍କୁ କ୍ରମାଗତ ଭାବରେ ସ୍ଲେଜିଂ କରୁଥିଲେ। ତୁମେ ବୃଢା ହୋଇଯାଇଛ। ଏବେ ଆଉ ଫିଲ୍ଡିଂ କରିପାରିବ ନାହିଁ। ଏମିତି କେତେ କ’ଣ କହୁଥିଲେ। ଦୀର୍ଘ ସମୟ ଧରି କ୍ଲାର୍କଙ୍କ କଥା ଶୁଣିବା ପରେ ସେହ୍ବାଗ ତାଙ୍କ ନିକଟକୁ ଯାଇ ପଚାରିଥିଲେ, ତୁମର ବୟସ କେତେ? କ୍ଲାର୍କ ଉତ୍ତରରେ ୨୩ ବର୍ଷ କହିଥିଲେ। ସେହ୍ବାଗ କହିଥିଲେ, ତୁମେ ଜାଣିଛ ଟେଷ୍ଟରେ ସଚିନଙ୍କ ଶତକ ସଂଖ୍ୟା ଆପଣଙ୍କ ବୟସଠାରୁ ଅଧିକ। ଏହା ଶୁଣିବା ପରେ ମଧ୍ୟ ମାଇକେଲ କ୍ଲାର୍କ ସୁଧୁରି ନ ଥିଲେ। ପରେ ସେହ୍ବାଗ ପୁଣି ଥରେ କ୍ଲାର୍କଙ୍କ ନିକଟକୁ ଯାଇ ତାଙ୍କୁ କହିଥିଲେ ଯେ, ତୁମର ବନ୍ଧୁ ତୁମକୁ ପପ୍ (କୁକୁର)ବୋଲି ଡାକନ୍ତି? କ୍ଲାର୍କ କହିଲେ ହଁ। ଏହା ପରେ ମାଇକେଲ କ୍ଲାର୍କ ଆପେ ଚୁପ୍ ହୋଇଯାଇଥିଲେ।