Categories: ଖେଳ

ଭାରତ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିପାରନ୍ତି ଏହି କ୍ରିକେଟର୍‌

ଦୁବାଇ,୩।୧୦: ଆଜି ଟି -୨୦ ବିଶ୍ୱକପରେ ଭାରତ ଆଫଗାନିସ୍ତାନକୁ ଭେଟିବ। ସେମିଫାଇନାଲ ଆଶାକୁ ବଞ୍ଚାଇ ରଖିବା ପାଇଁ ଟିମ ଇଣ୍ଡିଆକୁ ଯେକୌଣସି ଭାବରେ ଏହି ମ୍ୟାଚ ଜିତିବାକୁ ପଡିବ। କିନ୍ତୁ ଆଫଗାନିସ୍ତାନର ରସିଦ ଖାନଙ୍କ ବ୍ୟତୀତ ଅନ୍ୟ ଜଣେ ବୋଲର ଟିମ ଇଣ୍ଡିଆର ମୁଣ୍ଡବିନ୍ଧା ବଢାଇବାର ସମ୍ଭାବନା ରହିଛି। ସେ ହେଉଛନ୍ତି ହମିଦ ହାସନ। ୩୪ ବର୍ଷୀୟ ହାସନ ଆଫଗାନିସ୍ତାନର ଟି -୨୦ ଦଳରେ ୫ ବର୍ଷ ପରେ ଏଣ୍ଟ୍ରି କରିଛନ୍ତି। ନାମ୍ବିଆ ବିପକ୍ଷ ଶେଷ ମ୍ୟାଚରେ ସେ ୯ ରନ ଦେଇ ୩ଟି ଉଇକେଟ୍‌ ନେଇ ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ୟର୍କର୍ସ ଏବଂ ବାଉନ୍ସର ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପାଇଁ ଏକ ବଡ଼ ବିପଦ ହୋଇପାରନ୍ତି।
ଭାରତରେ ୨୦୧୬ ଟି -୨୦ ବିଶ୍ୱକପରେ ଶେଷ ଥର ପାଇଁ ହମିଦ ଆଫଗାନିସ୍ତାନର ଟି -୨୦ ଦଳର ଏକ ଅଂଶ ଥିଲେ। ଏହା ପରେ ତାଙ୍କୁ ଆଘାତ ଏବଂ ଫିଟନେସ କାରଣରୁ ପଡ଼ିଆଠାରୁ ଦୂରରେ ରହିବାକୁ ପଡିଲା। ଏହି ସମୟରେ ସେ କୋଚିଂ, କମେଣ୍ଟ୍ରି ମଧ୍ୟ କରିଥିଲେ। କିନ୍ତୁ ସେ ଏହି କାମକୁ ପସନ୍ଦ କରୁ ନ ଥିଲେ ଏବଂ ତାଙ୍କ ମନରେ କ୍ରିକେଟ ପଡ଼ିଆକୁ ଫେରିବା ପାଇଁ ସର୍ବଦା ଇଚ୍ଛା ଥିଲା। ୨୦୧୯ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ମାଂସପେଶୀ ଆଘାତ ପାଇବା ପରେ ସେ ହଠାତ୍‌ ଦିନିକିଆ କ୍ରିକେଟ ସହିତ ବିଦାୟ ନେଇଥିଲେ।
ଭାରତ ବିପକ୍ଷ ମ୍ୟାଚ ପୂର୍ବରୁ ହମିଦ ତାଙ୍କର ଉଦ୍ଦେଶ୍ୟ ସ୍ପଷ୍ଟ କରିଥିଲେ। ସେ କହିଥିଲେ ଯେ ଆଫଗାନିସ୍ତାନ ଦଳ ବହୁତ ଦକ୍ଷ ଏବଂ ଭାରତକୁ ପରାସ୍ତ କରିବାର ଶକ୍ତି ଅଛି। ଆମର ବୋଲିଂ ଏବଂ ଫିଲ୍ଡିଂ ଏବଂ ବ୍ୟାଟିଂ ପୂର୍ବ ଅପେକ୍ଷା ବହୁତ ଭଲ ହୋଇଛି। ଆମର ଦୁନିଆର ସର୍ବୋତ୍ତମ ସ୍ପିନ ଆକ୍ରମଣ ମଧ୍ୟରୁ ଅନ୍ୟତମ। ଏଭଳି ପରିସ୍ଥିତିରେ ଯଦି ଆମେ ଆମର ଶକ୍ତି ଅନୁଯାୟୀ ଖେଳିବା, ତେବେ ଭାରତକୁ ପରାସ୍ତ କରିବା କଷ୍ଟକର ନୁହେଁ।

Share