ସିଡନୀ,୨୬।୧୧: ମାନସିକ ସ୍ବାସ୍ଥ୍ୟକୁ ଦର୍ଶାଇ ଅଷ୍ଟ୍ରେଲିଆ ଟେଷ୍ଟ ଦଳର ପୂର୍ବତନ ଅଧିନାୟକ ଟିମ ପେନ କ୍ରିକେଟରୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ବିରତି ନେଇଛନ୍ତି। ସମ୍ପ୍ରତି, ଜଣେ ଯୁବତୀଙ୍କୁ ତାଙ୍କ ଅଶ୍ଳୀଳ ଫଟୋ ଏବଂ ବାର୍ତ୍ତା ପଠାଇଥିବାରୁ ଦୁଃଖ ପ୍ରକାଶ କରି ପେନ୍ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିବାକୁ ସେ ଇଚ୍ଛା ପ୍ରକାଶ କରିଥିଲେ। ବ୍ରିସବେନରେ ଅଷ୍ଟ୍ରେଲିୟ ଦଳରେ ଯୋଗଦେବା ପୂର୍ବରୁ ସେ ମାର୍ଶ କପରେ ଟାସମାନିଆ ପାଇଁ ଖେଳିବାକୁ ଯାଉଥିଲେ। କିନ୍ତୁ ୩୭ ବର୍ଷୀୟ ପେନ୍ି ଶୁକ୍ରବାର ସକାଳେ ନିଜ ନାମ ପ୍ରତ୍ୟାହାର କରିନେଇଛନ୍ତି। ପେନ୍ଙ୍କ ସ୍ଥାନରେ ମାଥ୍ୟୁ ୱେଡ, ଆଲେକ୍ସ କେରି ଏବଂ ଜୋସ ଇଂଲିସ ଅଷ୍ଟ୍ରେଲିଆ ଦଳରେ ଏକ ସୁଯୋଗ ପାଇବେ। ନିକଟରେ ଶେଷ ହୋଇଥିବା ଟି -୨୦ ବିଶ୍ୱକପରେ ଅଷ୍ଟ୍ରେଲିଆକୁ ବିଜେତା କରିବାରେ ୱେଡ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଅଷ୍ଟ୍ରେଲିଆର କିଛି ଖେଳାଳିଙ୍କ ମଧ୍ୟରୁ ପ୍ୟାଟ କମିନ୍ସ ଅନ୍ୟତମ, ଯିଏ ସମସ୍ତ ତିନୋଟି ଫର୍ମାଟରେ ଖେଳନ୍ତି। ସେ ଏପର୍ଯ୍ୟନ୍ତ ୩୪ଟି ଟେଷ୍ଟ, ୬୯ଟି ଦିନିକିଆ ଏବଂ ୩୭ ଟି -୨୦ ଅନ୍ତର୍ଜାତୀୟ ଖେଳିଛନ୍ତି। ଟିମ ପେନ୍ ଅଷ୍ଟ୍ରେଲିଆର ୪୬ ତମ ଟେଷ୍ଟ ଅଧିନାୟକ ଥିଲେ।