ପାକିସ୍ତାନର ପୋଲ୍‌ ଖୋଲିଦେଲେ ନିଜ ଦେଶର କ୍ରିକେଟର୍‌

ଇସଲାମାବାଦ୍‌,୩୧।୮: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାକିସ୍ତାନ ଦ୍ୱାରା ଆୟୋଜିତ ହେବ। ତେବେ ଟୁର୍ଣ୍ଣାମେଣ୍ଟ ପାଇଁ ଟିମ ଇଣ୍ଡିଆ ପାକିସ୍ତାନ ଗସ୍ତ କରିବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ନିକଟରେ ପାକିସ୍ତାନର ପୂର୍ବତନ ଅଧିନାୟକ ରସିଦ ଲତିଫ କହିଛନ୍ତ, ଚାମ୍ପିଅନ୍ସ ଟ୍ରଫି ପାଇଁ ଟିମ ଇଣ୍ଡିଆ ପାକିସ୍ତାନ ଆସିବ ଏହା ୫୦% ନିଶ୍ଚିତ। କିନ୍ତୁ ବର୍ତ୍ତମାନ ପାକିସ୍ତାନର ପୂର୍ବତନ ସ୍ପିନର ଡାନିଶ କାନେରିଆ ସୁରକ୍ଷା ବିଷୟରେ ଚେତାବନୀ ଦେଇ କହିଛନ୍ତି, ଟିମ ଇଣ୍ଡିଆ ପାକିସ୍ତାନ ଆସିବା ଉଚିତ୍‌ ନୁହେଁ।

କାନେରିଆ ସ୍ପଷ୍ଟ ଭାବେ କହିଛନ୍ତି ଯେ, ପାକିସ୍ତାନର ପରିସ୍ଥିତିକୁ ଦେଖି ମୁଁ କହିବି ଯେ ଭାରତୀୟ ଦଳ ପାକିସ୍ତାନ ଯିବା ଉଚିତ୍‌ ନୁହେଁ। ପାକିସ୍ତାନ ଏହା ବିଷୟରେ ଚିନ୍ତା କରିବା ଉଚିତ୍‌। ତା’ପରେ ଆଇସିସି ନିଷ୍ପତ୍ତି ନେବ ଏବଂ ପ୍ରାୟତଃ ଏହା ଏକ ହାଇବ୍ରିଡ ମଡେଲ ହେବ। ଏହା ଦୁବାଇରେ ଖେଳାଯିବ।
କାନେରିଆ କହିଛନ୍ତି, ଖେଳାଳିଙ୍କ ସୁରକ୍ଷା ପ୍ରଥମ ପ୍ରାଥମିକତା ହେବା ଉଚିତ୍‌। ସମ୍ମାନ ଦ୍ୱିତୀୟ ପ୍ରାଥମିକତା ହେବା ଉଚିତ୍‌। ବିସିସିଆଇ ବହୁତ ଭଲ କାମ କରୁଛି। ମୁଁ ଭାବୁଛି ସମସ୍ତ ଦେଶ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବେ।
ଚାମ୍ପିଅନ୍ସ ଟ୍ରଫି ବିଷୟରେ ଟିମ ଇଣ୍ଡିଆ ଟୁର୍ନାମେଣ୍ଟ ପାଇଁ ପାକିସ୍ତାନ ଗସ୍ତ କରିବ କି ନାହିଁ ସେପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ୨୦୨୩ରେ ଅନୁଷ୍ଠିତ ଏସିଆ କପ ପାଇଁ ଟିମ ଇଣ୍ଡିଆ ମଧ୍ୟ ପାକିସ୍ତାନ ଗସ୍ତ କରି ନ ଥିଲା। ଏହି ଟୁର୍ନାମେଣ୍ଟ ହାଇବ୍ରିଡ ମଡେଲ ଅଧୀନରେ ଖେଳାଯାଇଥିଲା। ଏଥିରେ ଟିମ ଇଣ୍ଡିଆର ସମସ୍ତ ମ୍ୟାଚ ଶ୍ରୀଲଙ୍କାରେ ଖେଳାଯାଇଥିଲା। ବର୍ତ୍ତମାନ କେଉଁ ମଡେଲ ଅଧୀନରେ ଚାମ୍ପିଅନ୍ସ ଟ୍ରଫି ଖେଳାଯାଉଛି ତାହା ଦେଖିବାକୁ ଆକର୍ଷଣୀୟ ହେବ। ଯଦି ହାଇବ୍ରିଡ ମଡେଲ ଅଧୀନରେ ଚାମ୍ପିଅନ୍ସ ଟ୍ରଫି ଅନୁଷ୍ଠିତ ହୁଏ, ତେବେ ଟିମ ଇଣ୍ଡିଆର ମ୍ୟାଚ କେଉଁଠାରେ ଅନୁଷ୍ଠିତ ହେବ, ଏହା ମଧ୍ୟ ଏକ ପ୍ରଶ୍ନ।

Share