ନୟାଗଡ଼ ଅଫିସ,୨୫ା୧୧: ନୟାଗଡ଼ର ବହୁଚର୍ଚ୍ଚିିତ ପରୀ ହତ୍ୟାକାଣ୍ଡର କ୍ରାଇମବ୍ରାଞ୍ଚ ତଦନ୍ତ ହେବ ବୋଲି ଶୀତକାଳୀନ ଅଧିବେଶନରେ ବୁଧବାର ଗୃହ ରାଷ୍ଟ୍ରମନ୍ତ୍ରୀ ଶକ୍ତିି ଶଙ୍କର ମିଶ୍ର ବିବୃତ୍ତି ରଖିଛନ୍ତି । ମନ୍ତ୍ରୀଙ୍କ ସୂଚନା ଅନୁସାରେ ମାମଲାରେ ଏଯାବତ ୩୪ଜଣଙ୍କୁ ଜେରା କରାଯାଇଛି। ୪ ଜଣଙ୍କର ପଲିଗ୍ରାଫ ଟେଷ୍ଟ ହୋଇଛି। ନୟାଗଡ଼ ଏସ୍ଡିପିଓ ଘଟଣାର ତଦନ୍ତ କରୁଛନ୍ତି ।
ସୂଚନାଯୋଗ୍ୟ, ନୟାଗଡ଼ ସଦର ଥାନା ଯଦୁପୁରର ୫ ବର୍ଷର ଶିଶୁକନ୍ୟା ପରୀ ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ସୁରକ୍ଷା ଦେବା, ପୋଲିସ ଓ ଜିଲା ପ୍ରଶାସନ କୌଣସି ପଦକ୍ଷେପ ନ ନେବା ପରେ ମୃତ ପରୀର ମା-ବାପା ନ୍ୟାୟ ପାଇଁ ବିଧାନସଭା ସମ୍ମୁଖରେ ମଙ୍ଗଳବାର ଡିଜେଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ଏହି ଆତ୍ମହତ୍ୟା ଉଦ୍ୟମ ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଥିଲା। ନୟାଗଡରେ ବୁଧବାର ଭାଜପା ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏପରିକି ନୟାଗଡ଼ ଟ୍ରାଫିକ ଛକରେ ମନ୍ତ୍ରୀ ଅରୁଣ ସାହୁଙ୍କର କୁଶପୁତ୍ତଳିକା ଦାହ କରାଯାଇଛି । ସେହିପରି ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ବିକ୍ଷୋଭ କରି ଏସ୍ପିଙ୍କ ବଦଳି ଦାବି କରିଥିଲା। ଗୁରୁବାରଠାରୁ ଆନ୍ଦୋଳନ ତୀବ୍ରତର ହେବ ବୋଲି ଭାଜପା ଓ କଂଗ୍ରେସ ପକ୍ଷରୁ କୁହାଯାଇଛି।