ବାରଙ୍ଗ,୨୨।୯(ଡି.ଏନ୍.ଏ.): ରାଜଧାନୀ ଉପକଣ୍ଠ କୁଆଖାଇ ନଦୀରେ କୁମ୍ଭୀର ବୁଲୁଥିବା ଦେଖିବାକୁ ମିଳିଛି। ଫଳରେ ନଦୀକୂଳ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି। ମଙ୍ଗଳବାର ସକାଳେ ନଦୀକୁ ଗାଧୋଇବାକୁ ଯାଇଥିବା ଝିଙ୍କରଡିହ ଗ୍ରାମର କେତେଜଣ ମହିଳା କୁମ୍ଭୀରଟିକୁ ପାଣିରେ ପହଁରୁଥିବା ଦେଖି ଭୟରେ ଫେରି ଆସିଥିଲେ। ଏହି ଖବର ଗାଁରେ ଜଣାପଡିବା ପରେ ଯୁବକମାନେ ଏକାଠି ହୋଇ କୁମ୍ଭୀରଟିକୁ ଦେଖିବା ପାଇଁ ନଦୀପଠାକୁ ଯାଇଥିଲେ। କିନ୍ତୁ କୁମ୍ଭୀରକୁ ପାଇନଥିଲେ। ସେହିପରି ଦୁଇ ଦିନ ପୂର୍ବେ ପ୍ରତାପ ନଗରୀ ଗ୍ରାମ ନିକଟ କୁଆଖାଇ ନଦୀରେ ମଧ୍ୟ ଏକ କୁମ୍ଭୀରକୁ ଗ୍ରାମବାସୀ ଦେଖିବାକୁ ପାଇଥିଲେ। କେତେଜଣ ମଧ୍ୟ ତାଙ୍କ ମୋବାଇଲରେ କୁମ୍ଭୀରର ଫଟୋକୁ ଉଠାଇଥିଲେ। ଏଯାବତ କୁମ୍ଭୀରଟି କାହାରିକୁ ଆକ୍ରମଣ କରି ନ ଥିଲେ ମଧ୍ୟ ଲୋକଙ୍କ ମନରେ ଭୟର ବାତାବରଣ ଖେଳିିଯାଇଛି। ଯଦିଓ ଲୋକମାନେ ନଦୀକୁ ଯିବା ବନ୍ଦ କରିଦେଇଛନ୍ତି। ବନ ବିଭାଗ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ କୁମ୍ଭୀରଟିକୁ ଠାବ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।