ଘଡ଼ିଆଳ କୁମ୍ଭୀର ଦେହରେ ଲାଗିବ ସାଟେଲାଇଟ୍‌ ଟ୍ରାନ୍ସମିଟର

ବାରଙ୍ଗ,୨୫ା୧୧(ଡି.ଏନ୍‌.ଏ.): ନନ୍ଦନକାନନରୁ ଚଳିତ ମାସରେ ମହାନଦୀ ଓ ତା’ର ଅବବାହିକାରେ ଛଡ଼ାଯିବ ଘଡ଼ିଆଳ କୁମ୍ଭୀର। ମହାନଦୀରେ ଘଡ଼ିଆଳ କୁମ୍ଭୀର ସଂଖ୍ୟା ବୃଦ୍ଧି କରିବା ଲକ୍ଷ୍ୟ ନେଇ ୮ଟି କୁମ୍ଭୀର ଛୁଆଙ୍କୁ ଛଡ଼ାଯିବାକୁ ନନ୍ଦନକାନନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ନଭେମ୍ବର ଶେଷ ସପ୍ତାହ ଓ ଡିସେମ୍ବର ପ୍ରଥମ ସପ୍ତାହରେ ୮ଟି ଘଡ଼ିଆଳ ଛଡ଼ାଯିବ। ଛଡାଯିବାକୁ ଥିବା ଘଡ଼ିଆଳଙ୍କର ଗତିବିଧି, ପ୍ରଜଜନ ଓ ସେମାନଙ୍କ ବିଷୟରେ ସବିଶେଷ ତଥ୍ୟ ଜାଣିବା ପାଇଁ ନୂଆକରି ୨ଟି ହାଇଟେକ ଓ ସାଟେଲାଇଟ ଟ୍ରାନ୍ସମିଟର ସେମାନଙ୍କ ଦେହରେ ଲଗାଯିବ। ଯାହାକି ଭାରତବର୍ଷରେ ଏହା ପ୍ରଥମ ହେବ ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ସଞ୍ଜିତ କୁମାର କହିଛନ୍ତି । ୧୯୮୦ ମସିହାରୁ ନନ୍ଦନକାନନରେ ଆରମ୍ଭ ହୋଇଥିବା ଘଡ଼ିଆଳ କୁମ୍ଭୀର ପ୍ରଜଜନ କେନ୍ଦ୍ରରେ ରହିଥିବା ଘଡ଼ିଆଳମାନଙ୍କୁ ପର୍ଯ୍ୟାୟକ୍ରମେ ମହାନଦୀ ଓ ସାତକୋଶିଆରେ ଛଡାଯିବ। ସେମାନଙ୍କ ଗତିବିଧିକୁ ତର୍ଜମା କରାଯିବା ପରେ ଆସନ୍ତାବର୍ଷ ଛଡାଯିବାକୁ ଥିବା କୁମ୍ଭୀରଙ୍କଠାରେ ପରିବର୍ତ୍ତନ କରାଯାଇପାରିବ ବୋଲି କହିଛନ୍ତି।

Share