କୁଇ, ଦେଶିଆ ଭାଷାରେ ପ୍ରସ୍ତୁତ ହେବ ପାଠ୍ୟୋପକରଣ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଓଡ଼ିଶାର କୋରାପୁଟ ଜିଲାରେ ପ୍ରଚଳିତ ‘କୁଇ’ ଏବଂ ‘ଦେଶିଆ’ ଭାଷାରେ ଶିକ୍ଷାଦାନ ଓ ଶିକ୍ଷା ଆହରଣ ପାଇଁ ସ୍ବତନ୍ତ୍ର ପାଠ୍ୟୋପକରଣ ପ୍ରସ୍ତୁତ ହେବ। ଏଥିପାଇଁ ନ୍ୟାଶନାଲ କାଉନ୍‌ସିଲ ଅଫ୍‌ ଏଜୁକେଶନାଲ ରିସର୍ଚ୍ଚ ଆଣ୍ଡ୍‌ ଟେକ୍ନୋଲୋଜି (ଏନ୍‌ସିଇଆର୍‌ଟି) ପକ୍ଷରୁ ୧୦ ଜଣିଆ କମିଟି ଗଠନ କରାଯାଇଛି। ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଫେସର ବି.କେ. ପଣ୍ଡା ଏହି କମିଟିର ଅଧ୍ୟକ୍ଷ ରହିଥିବାବେଳେ ଏନ୍‌ସିଇଆର୍‌ଟିର ଯୁଗ୍ମ ନିର୍ଦ୍ଦେଶକ ପ୍ରଫେସର ଅମରେନ୍ଦ୍ର ପି. ବେହେରା, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୋରାପୁଟର ଆସିଷ୍ଟାଣ୍ଟ ପ୍ରଫେସର ରୁଦ୍ରାଣୀ ମହାନ୍ତି ଓ କପିଲ ଖେମଣ୍ଡୁ, ରାଜେନ୍ଦ୍ର ପାଢ଼ୀ, ଗୋପବନ୍ଧୁ ମହାନ୍ତି, ଡ. ସୁବ୍ରତ ପୃଷ୍ଟି, ଡ. ମହେନ୍ଦ୍ର ମିଶ୍ର, ଦିଲେଶ୍ୱର ରମା ଓ ଆର୍‌ଆଇଇର ପ୍ରିନ୍ସିପାଲ ପ୍ରକାଶ ଚନ୍ଦ୍ର ବେହେରା ସଦସ୍ୟ ଅଛନ୍ତି। ଏହି କମିଟି ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସହଯୋଗରେ ବହୁ ଭାଷାଭାଷୀ ଫଟୋଚିତ୍ର ପୁସ୍ତକ ଓ ଅନ୍ୟାନ୍ୟ ପାଠ୍ୟଖସଡ଼ା ପ୍ରସ୍ତୁତ କରିବ। ଏହାଦ୍ୱାରା ‘କୁଇ’ ଓ ‘ଦେଶିଆ’ ଭାଷାରେ କଥା ହେଉଥିବା ପିଲାଙ୍କ ପାଠପଢ଼ା ପ୍ରତି ଆଗ୍ରହ ବଢ଼ିବ ଓ ସୃଜନଶୀଳତା ବିକଶିତ ହେବ। ଏହି ପାଠ୍ୟୋପକରଣ ପ୍ରସ୍ତୁତି ଫଳରେ କୋରାପୁଟ, ଗଜପତି, ମାଲକାନଗିରି ଓ କନ୍ଧମାଳ ଆଦି ଜିଲାର କୁଇ ଓ ଦେଶିଆ ସମ୍ପଦ୍ରାୟ ବିଶେଷ ଉପକୃତ ହେବ ବୋଲି ଆଶା କରାଯାଉଛି। ଜୁଲାଇ ୨୩ ସୁଦ୍ଧା କୋରାପୁଟ ଜିଲାର କୁଇ ଓ ଦେଶିଆ ଭାଷାଭାଷୀ ଛାତ୍ରୀଛାତ୍ରଙ୍କ ପାଇଁ ବହୁଭାଷୀ ବା ଦ୍ୱିଭାଷୀ ପୋଷ୍ଟର ଓ ଚାର୍ଟ ଆଦି ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହିକ୍ରମରେ ପାଠ୍ୟୋପକରଣ ପ୍ରସ୍ତୁତିରେ ଉପରୋକ୍ତ କମିଟି ସଂପୃକ୍ତ ସମ୍ପ୍ରଦାୟର ପରାମର୍ଶ ନେଇପାରନ୍ତି। ଉକ୍ତ ସଂପ୍ରଦାୟର ବିଦ୍ୟାର୍ଥୀ, ଶିକ୍ଷୟିତ୍ରୀଶିକ୍ଷକ ଓ ଅଭିଭାବକଙ୍କୁ ନେଇ କର୍ମଶାଳା ଆୟୋଜନ କରାଯିବାର ଯୋଜନା ରହିଛି। କର୍ମଶାଳା, ଆଲୋଚନାଚକ୍ର ଆଦିରେ ହେବାକୁଥିବା ବ୍ୟୟ ବଜେଟ୍‌ ପିଏବି-ସମଗ୍ର ଶିକ୍ଷାରୁ ଭରଣା କରାଯିବ ବୋଲି ଏନ୍‌ସିଇଆର୍‌ଟି ନିର୍ଦ୍ଦେଶାଳୟରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

Share