ଭବାନୀପାଟଣା,୩।୧୨(ସ୍ବ.ପ୍ର.): ଦୁର୍ଗମ ଅଞ୍ଚଳ ଆଦିବାସୀମାନେ କିଭଳି ମୁଖ୍ୟସ୍ରୋତରେ ସାମିଲ ହେବେ, ସରକାରୀ ଯୋଜନାର କିଭଳି ଲାଭ ପାଇବେ, କିଭଳି ବିକାଶ ହେବ ସେ ନେଇ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ହେଲେ ଆଜି ବି ସେମାନେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟଜଳ, ବିଜୁଳି ତଥା ମୋବାଇଲ ନେଟୱାର୍କ ଭଳି ସୁବିଧାରୁ ବର୍ଷ ବର୍ଷ ଧରି ବଞ୍ଚତ୍ତ। ବଣପାହାଡ଼ ଘରରେ ରହି ଆଦିବାସୀଙ୍କ ଜୀବନ ଅଭିଶପ୍ତ ପାଲଟି ଯାଇଛି। ନିର୍ବାଚନ ସମୟରେ ଭୋଟ ଦିଅନ୍ତି କିନ୍ତୁ ସେ ପ୍ରାର୍ଥୀ କିଏ ଜାଣନ୍ତି ନାହିଁ। ସରଳ ଆଦିବାସୀଙ୍କୁ ଭକୁଆ ବନାଇଥାନ୍ତି। ଆଜି ପର୍ଯ୍ୟନ୍ତ ବିଧାୟକ, ମନ୍ତ୍ରୀ, ପ୍ରଶାସନ କିମ୍ବା ନିର୍ବାଚିତ ପ୍ରତିନିଧିଙ୍କୁ ଗାଁରେ ଦେଖିନାହାନ୍ତି। ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଏବେ ବି ପରାଧୀନ ଜୀନଯାପନ କରୁଛନ୍ତି। ଏପରି ଏକ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବୁଢ଼ୀଦର ପଞ୍ଚାୟତ ବିଜ୍ରାଦର ଗାଁରେ। ବଣପାହାଡ଼ ଘେରା ମଧ୍ୟରେ ଏହି ଗାଁ ଅବସ୍ଥିତ। ଗାଁ ରାଜସ୍ବ ଗ୍ରାମ ହୋଇଥିବା ବେଳେ ଏଠାରେ ୧୭ଟି ଆଦୀବାସୀ ପରିବାର ଓ ୩ଟି ଦଳିତ ପରିବାରରୁ ୧୦୦ରୁ ଊର୍ଦ୍ଧ୍ୱ ଲୋକ ବାସ କରନ୍ତି। ବଣଜଙ୍ଗଲ ଭିତରେ ରହି ଜୀବଜନ୍ତୁଙ୍କ ଭଳି ବଞ୍ଚୁଛନ୍ତି। ଗ୍ରାମବାସୀଙ୍କ ପାଇଁ ଆବାସ ଯୋଜନା ସାତ ସପନ। ରାସ୍ତା ନ ଥିବାରୁ ୮ କି.ମି. ପାହାଡ଼ ଚଢ଼ି ଦେଦର ପଞ୍ଚାୟତକୁ ଆସିଥାନ୍ତି। କୌଣସି ଗର୍ଭବତୀ, ପ୍ରସୂତିଙ୍କୁ ଡାକ୍ତରଖାନାକୁ ନେବାକୁ ହେଲେ ଖଟିଆରେ ବୋହି ନେଇଥାନ୍ତି। ମୋବାଇଲ ନେଟୱାର୍କ ନ ଥିବା ଯୋଗୁ ଯୋଗାଯୋଗ ମଧ୍ୟ ହୋଇପାରେ ନାହିଁ। ନଳକୂପ ନ ଥିବା ବେଳେ ଝରଣା ପାଣି ପିଉଛନ୍ତି। ସମସ୍ତଙ୍କ ଘରେ ସୋଲାର ଲାଇଟ ଲାଗିଛି, କିନ୍ତୁ କୌଣସି ଗୋଟିଏ ମଧ୍ୟ ଲାଇଟ ଜଳୁନାହିଁ। ସବୁଠାରୁ ଦୁଃଖର ବିଷୟ ଏହି ଗାଁରେ ସରଳି ଆଦିବାସୀ ଓ ଦଳିତ ପରିବାର ବାସ କରୁଥିବା ବେଳେ ଏମାନଙ୍କ ମୌଳିକ ଅଧିକାରକୁ ମଧ୍ୟ ଜୋରଜବରଦସ୍ତ ଛଡେଇ ନିଆଯାଏ। ନିର୍ବାଚିତ ପ୍ରତିନିଧିଙ୍କୁ ଦେଖି ନାହାନ୍ତି କିନ୍ତୁ ଭୋଟ ଦିଅନ୍ତି। କାହାକୁ ଭୋଟ ଦେଲେ ତାହା ମଧ୍ୟ ଜାଣନ୍ତି ନାହିଁ । ଭାରତ ସ୍ବାଧୀନତା ୭୫ ବର୍ଷରେ ପହଞ୍ଚତ୍ଥିବା ବେଳେ ଏବେ ବି ଏମାନେ ପରାଧୀନ ଜୀବନ କାଟୁଛନ୍ତି। ଏହି ଗାଁକୁ ଆଜି ପର୍ଯ୍ୟନ୍ତ ବିଧାୟକ, ମନ୍ତ୍ରୀ, ପ୍ରଶାସନ କିମ୍ବା ନିର୍ବାଚିତ ପ୍ରତିନିଧିକୁ ଗାଁକୁ ଆସିନାହାନ୍ତି କି ଗ୍ରାମବାସୀ ମଧ୍ୟ ଚିହ୍ନି ନାହାନ୍ତି। କେବେ ଏହି ବିଜ୍ରାଦର ଗ୍ରାମବାସୀ ସରକାରୀ ଯୋଜନାରେ ସାମିଲ ହେବେ। କେବେ ଉଇଁବ ବିକାଶର ସୂର୍ଯ୍ୟ, କେବେ ସ୍ବଚ୍ଛ ପାଣି ପିବେ, କେବେ ଏହି ଗାଁର ପିଲା ହାତରେ ଟାଙ୍ଗିଆ ବଦଳରେ ଖାତା କଲାମ ଧରିବେ ତାହା ଦେଖିବାକୁ ବାକି ରହିଲା ।