ଭୁବନ, ୩।୬ ଢେଙ୍କାନାଳ ଜିଲା ଭୁବନ ଏନ୍ଏସି ଅଧୀନ ୧୫ନଂ. ଓ୍ବାର୍ଡରେ ରୁହନ୍ତି ରଥ ସେଠୀ। ଜଣେ ନିଷ୍ଠାପର ସ୍ବାସ୍ଥ୍ୟକର୍ମୀ ଭାବେ ସେ ଯେତିକି ପରିଚିତ, ସେତିକି ଜଣାଶୁଣା ସାଇକେଲ ପ୍ରେମୀ ଭାବରେ। ୧୯୫୮ରେ ଜନ୍ମିତ ରଥଙ୍କୁ ଏବେ ୬୪ ବର୍ଷ ଟପିଲାଣି। ବୃତ୍ତିଗତ ଜୀବନରୁ ଅବସର ନେଇସାରିଲେଣି। ଇତି ମଧ୍ୟରେ ବଦଳିଲାଣି ପାଖାପାଖି ୨୫ରୁ ଊର୍ଦ୍ଧ୍ୱ ସାଇକେଲ। ଅଥଚ ଶୂନଗାଡ଼ି ଚଳାଇବା ନିଶା ଏପରି ଘାରିଛି ଯେ, ଆର୍ଥିକ ସ୍ବଚ୍ଛଳ ହୋଇ ସୁଦ୍ଧା ସେ ମୋଟର ସାଇକେଲ ଚଢ଼ିବାକୁ ବଳାଇନାହାନ୍ତି ମନ।
ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡ୍ରେସର ଭାବେ କାର୍ଯ୍ୟ କରି କିଛିବର୍ଷ ହେଲା ଅବସର ନେଇଛନ୍ତି ରଥ। ହେଲେ କର୍ମମୟ ଜୀବନ ସେମିତି ଚାଲିଛି। ଦୁର୍ଘଟଣାଗ୍ରସ୍ତଙ୍କ କ୍ଷତ ସଫା କରିବା ହେଉ କି ସେଥିରେ ମଲମପଟି କରିବା, ଏଭଳି କାର୍ଯ୍ୟରେ ଆଜି ବି ଖୋଜା ପଡ଼ନ୍ତି ରଥ। ଆଉ ସେ ସାଇକେଲ ଚଢ଼ି ପହଞ୍ଚତ୍ୟାଆନ୍ତି ଠିକଣାସ୍ଥଳରେ। ଦୀର୍ଘବର୍ଷ ହେଲା ସେ ଏହି କାର୍ଯ୍ୟ କରି ଆସୁଛନ୍ତି।
ସାଇକେଲକୁ ନେଇ ରହିଥିବା ଦୁର୍ବଳତା ସମ୍ପର୍କରେ ସେ କୁହନ୍ତି, ଦଶମ ଶ୍ରେଣୀ ପଢ଼ିବା ବେଳେ ପ୍ରଥମେ ସାଇକେଲ ଚଳାଇବା ଆରମ୍ଭ କରିଥିଲେ। ସେତେବେଳେ ଏଭଳି ଅତ୍ୟାଧୁନିକ ସାଇକେଲ ନ ଥିଲା। ୨୪ ଇଞ୍ଚିଆ, ୨୨ ଇଞ୍ଚିଆ ରାଲେ ସାଇକେଲ ବଜାରରେ ଗଡୁଥିଲା। ଏବେ ସମୟ ବଦଳିଛି। ସାଇକେଲ ଫ୍ୟାଶନରେ ପରିଣତ ହୋଇଛି। ଯୁବପିଢ଼ି ମଧ୍ୟ ଏବେ ସାଇକେଲ ଚାଳନାରେ ଆଗ୍ରହୀ ହେଉଛନ୍ତି। ସରକାରୀ ଯୋଜନାରେ ଏହାକୁ ସାମିଲ କରାଯାଇଛି। ଏହା ଶୁଭସଙ୍କେତ। ଦୀର୍ଘ ୫୦ ବର୍ଷ ହେଲା ସାଇକେଲ ସୁଖଦୁଃଖର ସାଥୀ ପାଲଟିଛି। ଇତିମଧ୍ୟରେ ୨୫ରୁ ଅଧିକ ସାଇକେଲ ବଦଳିଥିଲେ ମଧ୍ୟ ପୁରୁଣା ରାଲେ ଭଳି ବଡ଼ ସାଇକେଲ ଚଳାଇବାର ମଜା ଅଲଗା ବୋଲି ରଥ ମତ ଦେଇଛନ୍ତି। ଦୈନିକ ରୋଗୀଙ୍କ ସେବାରେ ବିଭିନ୍ନ ସ୍ଥାନକୁ ଯିବାକୁ ପଡୁଛି। ସେ ପ୍ରତିଦିନ ୨୦ରୁ ୨୫ କିଲୋମିଟର ସାଇକେଲ ଚଳାଉଛନ୍ତି। ଏଭଳି ଅଭ୍ୟାସ ସୁସ୍ଥ ରଖିବାରେ ସହାୟକ ହୋଇଛି। ପରିଣତ ବୟସରେ ଫିଟ୍ ଅନୁଭବ କରୁଛନ୍ତି। ସ୍ବତନ୍ତ୍ର ଭାବେ ବ୍ୟାୟାମ କି ଯୋଗ କରିବାକୁ ପଡୁନାହିଁ। ଏବେ ପେଟ୍ରୋଲ, ଡିଜେଲ ଦର ବଢ଼ିବା ମଧ୍ୟବିତ୍ତ ପରିବାର ପାଇଁ ବୋଝ ପାଲଟିଛି। ଏଭଳି ଯାନବାହନ ପ୍ରଦୂଷଣ ବଢ଼ାଉଛନ୍ତି। ତେଣୁ ଯୁବପିଢ଼ି ଦୈନିକ ସାଇକେଲିଂ କରିବା ଦରକାର। ଆଖପାଖରେ ହେଉଥିବା କାମରେ ବାଇକ୍ ବଦଳରେ ସାଇକେଲରେ ଗଲେ ତେଲ ବାବଦ ଖର୍ଚ୍ଚ ସଞ୍ଚୟ ହେବ। ଶରୀର ମଧ୍ୟ ସୁସ୍ଥ ରହିବ ବୋଲି ରଥ କହିଛନ୍ତି।