ଦୁର୍ନୀତିର ଚକ୍ରବ୍ୟୁହ

ଡ. ସନ୍ତୋଷ କୁମାର ମହାପାତ୍ର

 

ଦୁର୍ନୀତି ହ୍ରାସ ବିରୋଧରେ ସବୁ ଦଳ ଓ ରାଜନେତା, ପ୍ରଶାସକ କହୁଛନ୍ତି, କିନ୍ତୁ ଦୁର୍ନୀତି ହ୍ରାସ ପାଇବା ପରିବର୍ତ୍ତେ ବୃଦ୍ଧି ପାଉଛି। ଆଶ୍ଚର୍ଯ୍ୟର ବିଷୟ ହେଉଛି ଅନେକ ଲୋକ ଭୋଟ ଦେବା ପାଇଁ ଅର୍ଥ ନେଲାବେଳେ ରାଜନେତା ଦୁର୍ନୀତିମୁକ୍ତ ଓ ସ୍ବଚ୍ଛ ହୁଅନ୍ତୁ ବୋଲି ଚାହାନ୍ତି। ରାଜନେତା ନିର୍ବାଚନ ପ୍ରଚାର, ରାଲି, ସଭାସମିତିି ଓ ଅନୁଷ୍ଠାନ ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କଲାବେଳେ ସେହି ଟଙ୍କା କେଉଁଠୁ ଆଣୁଛନ୍ତି ତାହା କାହାକୁ କହୁନାହାନ୍ତି। ପ୍ରଥମେ ରାଜନେତା ଭୋଟରଙ୍କ ମନରେ (ସମସ୍ତେ ନୁହେଁ) ଦୁର୍ନୀତିର ମାନସିକତା ଭରିଦେଲେ। ବର୍ତ୍ତମାନ ଲୋକମାନେ ନେତାଙ୍କଠାରୁ ଅର୍ଥ ଚାହୁଁଛନ୍ତି। ଜନତା ସାମୂହିକ କାର୍ଯ୍ୟ ପାଇଁ ରାଜନେତାଙ୍କୁ ଅନୁରୋଧ କରିବା ପରିବର୍ତ୍ତେ ବ୍ୟକ୍ତିଗତ ସ୍ବାର୍ଥ ପାଇଁ କହୁଛନ୍ତି। ଏହା ଏକ ଦୁର୍ନୀତିର ଚକ୍ରବୂ୍ୟହ ସୃଷ୍ଟି କରିଛି, ଯାହା ଭାଙ୍ଗିବା ସହଜ ନୁହେଁ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ନୀତି ମୋ ଦେଶକୁ ଟର୍ମାଇଟ୍‌ ଭଳି ଖାଉଛି ଏବଂ ପ୍ରିୟାପ୍ରୀତି ତୋଷଣ ଅନ୍ୟମାନଙ୍କୁ ତାଙ୍କ ନ୍ୟାଯ୍ୟ ସୁଯୋଗରୁ ବଞ୍ଚିତ କରୁଛି ବୋଲି କହିଥିଲେ। କିନ୍ତୁ ସେ ଦୁର୍ନୀତିର ମୂଳଉତ୍ସକୁ ଉତ୍ପାଟନ କରୁନାହାନ୍ତି।
ବାସ୍ତବରେ ସେ ବିମୁଦ୍ରୀକରଣ ପଦକ୍ଷେପ ନେଲାବେଳେ କହିଥିଲେ ଏହା ଦୁର୍ନୀତି ଓ କଳାଟଙ୍କାର ବିଲୋପ ଘଟାଇବ କିନ୍ତୁ ଲୋକ ଅସୁବିଧାରେ ପଡ଼ିଲେ ଏବଂ କଳାଟଙ୍କା ଲୋକ ଧଳା କରିଦେଲେ। ପୁନଶ୍ଚ ବିଦେଶରେ କଳାଟଙ୍କା ରଖିଥିବା କିଛି ଧନୀ, ସେଲିବ୍ରିଟି, ରାଜନେତାଙ୍କ ନାମ ପାନାମା ଓ ପାଣ୍ଡୋରା ପେପରରେ ଉଲ୍ଲେଖ ହୋଇଥିଲା। କିନ୍ତୁ ସରକାର ସେମାନଙ୍କ ବିରୋଧରେ କିଛି ପଦକ୍ଷେପ ନେଲେନାହିଁ। ୨୦୨୩, ନଭେମ୍ବର ୨୦ରେ ଭାରତର ନିର୍ବାଚନ ଆୟୋଗଙ୍କ ପ୍ରଦତ୍ତ ତଥ୍ୟ ଅନୁସାରେ, ୫ଟି ରାଜ୍ୟ ଯଥା ମିଜୋରାମ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ତେଲଙ୍ଗାନାରେ ଅନୁଷ୍ଠିତ ହୋଇଥିବା ନିର୍ବାଚନ ପ୍ରକ୍ରିୟାରେ ନଗଦ ଟଙ୍କା, ଗହଣା, ଡ୍ରଗ୍ସ, ମଦ ଆଦି ବାବଦରେ ୧୭୬୦ କୋଟି ଟଙ୍କା ଇଡି (କାର୍ଯ୍ୟକାରୀ ନିର୍ଦ୍ଦେଶାଳୟ) ଜବତ କରିଛି। ଏହା ପୂର୍ବ ୨୦୧୮ ନିର୍ବାଚନ ତୁଳନାରେ ୬୩୬% ଅଧିକ। ସେତେବେଳେ ମାତ୍ର ୨୩୯.୧୫ କୋଟି ଟଙ୍କା ଜବତ ହୋଇଥିଲା।
ପୁନଶ୍ଚ ନିର୍ବାଚନୀ ବଣ୍ଡ୍‌ରେ ଯେଉଁ ରାଜନୈତିକ ଦଳ ପ୍ରଚୁର ଅର୍ଥ ପାଉଛନ୍ତି, ତାହା କିଏ ଦେଉଛି ପ୍ରକାଶ କରିବାକୁ ସରକାର ଅନିଚ୍ଛୁକ କାହିଁକି? ୨୦୧୭-୧୮ରୁ ୨୦୨୧-୨୨ ମଧ୍ୟରେ ଏ ବାବଦରେ ପ୍ରାପ୍ତ ଅର୍ଥ ୭୪୩% ବୃଦ୍ଧି ପାଇଛି। ୭ଟି ଜାତୀୟ ଦଳ ଓ ୨୪ଟି ଆଞ୍ଚଳିକ ଦଳ ମୋଟ ୯୧୮୮ କୋଟି ଟଙ୍କା ପାଇଥିଲା ବେଳେ ଭାଜପା ୫୨୭୨ କୋଟି ଟଙ୍କା ବା ୫୭% ପାଇଛି। କଂଗ୍ରେସ ୯୫୨ କୋଟି ଟଙ୍କା ପାଇଛି। ଗତ କିଛି ବର୍ଷରେ ଭାଜପାର ସମ୍ପତ୍ତି ବହୁଗୁଣ ବୃଦ୍ଧିପାଇଛି। ୨୦୨୧-୨୨ରେ ୮ଟି ଦଳର ସମ୍ପତ୍ତି ୮୮୨୯. ୧୫ କୋଟି ଟଙ୍କା ହୋଇଥିଲା ବେଳେ ଭାଜପାର ସମ୍ପତ୍ତି ୬୯% ବା ୪୯୯୦.୧୯ କୋଟି ଟଙ୍କାରେ ପହଞ୍ଚତ୍ଛି। କଂଗ୍ରେସର ସମ୍ପତ୍ତି ୬୯୧.୧୧ କୋଟି ଟଙ୍କାରେ ପହଞ୍ଚତ୍ଛି। ଏମିତି କିଏ ଦୟାଳୁ ଅଛି ଯିଏ ବିନା ସ୍ବାର୍ଥରେ କୋଟି କୋଟି ଟଙ୍କା ଖୁସିରେ କୌଣସି ରାଜନୈତିକ ଦଳକୁ ଦେବ। ଯଦି ଜଣେ ଟଙ୍କାଟିଏ ଦେବ ସେ ୧୦୦୦ ଟଙ୍କାର ଫାଇଦା ନିଶ୍ଚୟ ଉଠାଇବ। ଏହା ସତ୍‌ଉପାୟରେ କେବେ ଅର୍ଜିତ ଅର୍ଥ ହୋଇ ନ ଥିବ।
ବାସ୍ତବରେ ଦୁର୍ନୀତିର ମୂଳ କାରଣ ହେଉଛି ତ୍ରୁଟିପୂର୍ଣ୍ଣ ନିର୍ବାଚନ ବ୍ୟବସ୍ଥା। ଆମ ଦେଶର ନିର୍ବାଚନ ପ୍ରକ୍ରିୟା ଏତେ ବ୍ୟୟବହୁଳ ଓ କଳୁଷିତ ହେଲାଣି ଯେ ବିନା ଅର୍ଥ ଓ ବାହୁବଳରେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବା ସମ୍ଭବ ନୁହେଁ। ଏହା ଦୁର୍ନୀତିକୁ ଜନ୍ମ ଦେଉଛି। ସେଣ୍ଟର ଫର୍‌ ମିଡିଆ ଷ୍ଟଡିଜ୍‌ (ସିଏମ୍‌ଏସ୍‌)ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୨୦୧୯ ଲୋକ ସଭା ନିର୍ବାଚନରେ ରାଜନୈତିକ ଦଳଗୁଡିକ ଦ୍ୱାରା ହୋଇଥିବା ମୋଟ୍‌ ଖର୍ଚ୍ଚ ପରିମାଣ ପ୍ରାୟ ୬୦,୦୦୦ କୋଟି ଟଙ୍କା ହେବ । ଭାଜପା ପ୍ରାୟ ୨୭,୦୦୦ କୋଟି ଟଙ୍କା ଖର୍ଚ୍ଚ କରିଛି। ସିଏମ୍‌ଏସ୍‌ ଅଧ୍ୟକ୍ଷ ଏନ୍‌. ଭାସ୍କରା ରାଓଙ୍କ ଅନୁଯାୟୀ, ଏହି ହାରରେ ଯଦି ଖର୍ଚ୍ଚ ହୁଏ ତେବେ ୨୦୨୪ ସାଧାରଣ ନିର୍ବାଚନରେ ବ୍ୟୟ ୧ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିପାରେ। ନିର୍ବାଚନରେ ଯେଉଁ କୋଟି କୋଟି ଟଙ୍କା ବିଭିନ୍ନ ଦଳ ଓ ପ୍ରାର୍ଥୀ ଖର୍ଚ୍ଚ କରୁଛନ୍ତି ତାହା କେଉଁଠୁ ଆଣୁଛନ୍ତି? ତେଣୁ ପ୍ରତି ୧ ଟଙ୍କା ସରକାର ବ୍ୟୟ କରାଗଲା ବେଳେ ତା’ର ମୁଖ୍ୟଭାଗ ଲାଞ୍ଚ ଆକାରରେ ବିଭିନ୍ନ ପକେଟକୁ ଯାଉଛି।
ବର୍ତ୍ତମାନ କୋଟି କୋଟି ଟଙ୍କା ବ୍ୟୟ ନ କଲେ ନିର୍ବାଚନ ଜିତିବା ସମ୍ଭବ ନୁହେଁ। ସେମିତି କାଁ ଭାଁ କିଏ ଜିତିପାରେ। କିନ୍ତୁ ସବୁବେଳେ ସମ୍ଭବ ନୁହେଁ। ପୁନଶ୍ଚ ଅପରାଧରେ ଜଡ଼ିତ ଲୋକଙ୍କର ନିର୍ବାଚନରେ ଜିତିବା ସମ୍ଭାବନା ଅଧିକ ରହୁଛି। ହାରାହାରି ୪୦% ସାଂସଦଙ୍କ ନାମରେ ଅପରାଧର ଅଭିଯୋଗ ରହିଥିଲା ବେଳେ ୨୫%ଙ୍କ ନାମରେ ସାଙ୍ଘାତିକ ଅପରାଧର ଅଭିଯୋଗ ରହିଛି। ଯେତିକି ତଥ୍ୟ ପ୍ରାପ୍ତ ହୋଇଛି, ସେହି ଅନୁସାରେ ୭୬୩ ସାଂସଦଙ୍କ ହାରାହାରି ସମ୍ପତ୍ତି ୨୯.୨୫ କୋଟି ଟଙ୍କା। ସେଥିରୁ ୨୨୫ ରାଜ୍ୟ ସଭା ସଦସ୍ୟଙ୍କ ସମ୍ପତ୍ତି ୮୦.୯୩ କୋଟି ଟଙ୍କା। ଏହା ଦର୍ଶାଉଛି ଯେ ଅର୍ଥ ଓ ବାହୁବଳ ନ ଥିଲେ ନିର୍ବାଚନ ଲଢ଼ିବା ଅସମ୍ଭବ, ଯାହା ପରୋକ୍ଷରେ ଦୁର୍ନୀତି ପ୍ରକ୍ରିୟାକୁ ପ୍ରୋତ୍ସାହିତ କରୁଛି l
ଆଜି ସମଗ୍ର ଭାରତରେ କୌଣସି ସରକାରୀ ଅଫିସ୍‌ରେ କାର୍ଯ୍ୟ ପଡ଼ିଲେ ବିନା ଲାଞ୍ଚରେ କାମ କରାଇବା ସହଜ ନୁହେଁ। ପ୍ରାୟ ଯୁଗେ ଯୁଗେ କ୍ଷମତାଶାଳୀ, ବିତ୍ତଶାଳୀଙ୍କ ବ୍ୟକ୍ତିଗତ ଖରାପ ଚରିତ୍ର, ଦୁର୍ନୀତି ଓ ଭ୍ରଷ୍ଟାଚାରର ଖବର ଯଦି କିଏ ଲୋକଲୋଚନକୁ ଆଣିଛି ସେ ଆକ୍ରୋଶର ଶିକାର ହୋଇଛି। ଆଗରୁ ସାହସ କରୁଥିଲେ, କିନ୍ତୁ ବର୍ତ୍ତମାନ କେହି ସାହସ କରୁନାହାନ୍ତି l ଇନ୍‌ଭେଷ୍ଟିଗେଟିଂ ସାମ୍ବାଦିକତା ଆଜି ପ୍ରାୟତଃ ମୃତ। ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାଶନାଲର ଦୁର୍ନୀତି ଧାରଣା ସୂଚକାଙ୍କ (ସିପିଆଇ) ୨୦୧୬ରେ ଭାରତର ସ୍ଥାନ ୭୯ ଥିଲା। ୨୦୨୩ ସୂଚକାଙ୍କରେ ୧୮୦ଟି ଦେଶ ମଧ୍ୟରେ ଭାରତ ୮୫ତମ ସ୍ଥାନରେ ରହିଛି। ଏହାର ଅର୍ଥ ଦୁର୍ନୀତି ହଟାଇବାରେ ଭାରତ ୮୪ଟି ଦେଶ ପଛରେ ଅଛି। ଦୁର୍ନୀତି ସହିତ ବ୍ୟାଙ୍କ ଜାଲିଆତି ବୃଦ୍ଧି ପାଇଛି। ଧନୀ ଋଣ ନ ଶୁଝିବା ଯୋଗୁ ବ୍ୟାଙ୍କର ଅଚଳ ସମ୍ପତ୍ତି ବା ଖରାପ ଋଣ ବୃଦ୍ଧି ପାଇଛି। ୨୦୧୪-୧୫ରୁ ୯ ବର୍ଷ ମଧ୍ୟରେ ବ୍ୟାଙ୍କଗୁଡିକ ୧୪.୫୬ ଲକ୍ଷ କୋଟି ଟଙ୍କା ମୂଲ୍ୟର ଖରାପ ଋଣ ‘ରାଇଟ୍‌ ଅଫ୍‌’ କରିଛନ୍ତି, ସେଥିରୁ ମାତ୍ର ୧୪% ଉଦ୍ଧାର ହୋଇଛି ଏବଂ ଏହାର ଅବଶିଷ୍ଟ ଲୁଟ୍‌ ହୋଇଛି। ବ୍ୟାଙ୍କ ଠକେଇରେ ଜଡ଼ିତ ପ୍ରତ୍ୟକ ଦିନ ବ୍ୟାଙ୍କଗୁଡ଼ିକ ୧୦୦ କୋଟି ଟଙ୍କା ପାଖାପାଖି ହରାଉଛନ୍ତି। ଦିଲ୍ଲୀର ଏକ ମାର୍କେଟ ରିସର୍ଚ୍ଚ କମ୍ପାନୀ ରିପୋର୍ଟ ଅନୁସାରେ, ଯେତିକି ଲୋକ ବ୍ୟାଙ୍କ ଜାଲିଆତିର ଶିକାର ହୋଇଛନ୍ତି ତାହାର ୭୪% ତାଙ୍କ ଅର୍ଥ ଫେରିପାଇନାହାନ୍ତି। ଏହା ଚିନ୍ତାର ବିଷୟ। ବାସ୍ତବରେ ଯଦି ଉପସ୍ତରରୁ ସଂସ୍କାର ଆରମ୍ଭ ହେବ ତେବେ ତଳସ୍ତରରେ ଦୁର୍ନୀତି ଆପେ ଆପେ ହ୍ରାସ ପାଇବ। କିନ୍ତୁ ବିରାଡ଼ି ବେକରେ ଘଣ୍ଟି କିଏ ବାନ୍ଧିବ?
ସ୍ତମ୍ଭକାର ତଥା ଅର୍ଥନୀତିଜ୍ଞ
ମୋ: ୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

ଆଲୋକ ପ୍ରଦୂଷଣ

ଭ୍ୟତାର ବିକାଶ କ୍ରମରେ ଏକଦା ବିଜୁଳି ମାଡରେ ଜଳୁଥିବା ବଣ ମଧ୍ୟରୁ ମନୁଷ୍ୟ ପ୍ରଥମେ ନିଆଁକୁ ଆବିଷ୍କାର କରିଥିଲା। ନିଆଁ ଆବିଷ୍କାର ପରେ ମଣିଷ ମଶାଲ...

କେହି ନୁହେଁ କାହାର

ଗଣତନ୍ତ୍ରରେ ସରକାର ବଦଳିବା ଏକ ସ୍ବାଭାବିକ ପ୍ରକ୍ରିୟା। ମାତ୍ର ଏଇ ସ୍ବାଭାବିକ ପ୍ରକ୍ରିୟାଟି ଅନେକ ଅସ୍ବାଭାବିକ ପ୍ରକ୍ରିୟାକୁ ସାଙ୍ଗରେ ଧରି ଆସିଥାଏ। ଗୋଟେ ସରକାର ପତନ...

ଉବର ଚୁକ୍ତି

ଭାରତର ସୁରକ୍ଷା ପ୍ରତି ପଡ଼ୋଶୀ ଚାଇନା ଓ ପାକିସ୍ତାନ ଆହ୍ବାନ ସୃଷ୍ଟି କରିଛନ୍ତି। ଏହାର ମୁକାବିଲା ପାଇଁ ସେନା ନୂତନ ସ୍ଥିତି ସହିତ ଖାପ ଖୁଆଇ...

ଏଇ ଭାରତରେ

ସ୍ବାମୀ ଓ ସ୍ତ୍ରୀଙ୍କ ବୟସ ଏବେ ୭୯। ତଥାପି ସେମାନେ ବୟସର ଛାପ ନିଜ ଉପରେ ପଡ଼ିବାକୁ ଦେଇ ନାହାନ୍ତି କି ହାର୍‌ ମାନି ନାହାନ୍ତି।...

ଆକସ୍ମିକ ମୃତ୍ୟୁ

ବାସ୍ତବିକ ମୃତ୍ୟୁ ହିଁ ଦୁନିଆରେ ଚିରସତ୍ୟ, ଏହା କବଳରୁ ନରରୂପୀ ଭଗବାନ, ଧନୀ, ମାନୀ, ଜ୍ଞାନୀ, ଗୁଣୀ, ପ୍ରତିପତ୍ତି ସମ୍ପନ୍ନ, ଦରିଦ୍ର କେହି ରକ୍ଷା ପାଇପାରିବେ...

ବାଣରୁ କ୍ଷାନ୍ତ

ପ୍ରତିବର୍ଷ ଦୀପାବଳି ଆସିଲେ ଦିଲ୍ଲୀର ବାୟୁ ପ୍ରଦୂଷଣ ବିଷୟରେ ଗମ୍ଭୀର ଆଲୋଚନା ହୋଇଥାଏ। ପାରମ୍ପରିକ ଗଣମାଧ୍ୟମରେ ବିତର୍କ ହୁଏ ଓ ସୋସିଆଲ ମିଡିଆରେ ଏ ସମ୍ବନ୍ଧୀୟ...

ସର୍ବନିମ୍ନ ସହାୟକ ମୂଲ୍ୟ

ନିକଟରେ କେନ୍ଦ୍ର ସରକାର ୬ଟି ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଘୋଷଣା କରିଛନ୍ତି। ୨୦୨୫-୨୬ ବର୍ଷ ପାଇଁ କୁଇଣ୍ଟାଲ ପିଛା ଗହମର ସର୍ବନିମ୍ନ ସହାୟକ...

ଓଡ଼ିଆରେ ବୈଷୟିକ ଶିକ୍ଷା

କିଛି ବ୍ୟକ୍ତିଙ୍କର କହିବା କଥା ଯେ, ବୈଷୟିକ ଶିକ୍ଷା ଓଡ଼ିଆ ଭାଷାରେ ପଢ଼ାଲେଖା ନ ହେବାରୁ ଆମ ଭାଷା ସଙ୍କୁଚିତ ହୋଇଯାଉଛି। ତେଣୁ ସମସ୍ତ ବିଷୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri