ସାଇକେଲ ଆରୋହୀଙ୍କୁ ଧକ୍କା ଦେଲା ବାଲି ବୋଝେଇ ଟ୍ରକ୍‌, ଚାଲିଗଲା ଜୀବନ

ନିଶ୍ଚିନ୍ତକୋଇଲି,୨୨ା୬(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଥାନା ଅନ୍ତର୍ଗତ ବନ୍ଧକାଟିଆ ପଞ୍ଚାୟତ ଫତେପୁର ଗ୍ରାମର ବିଷ୍ଣୁଚରଣ ସିଂ ୪୭ ବର୍ଷ ସାଇକେଲ ଯୋଗେ ଆସୁଥିବା ବେଳେ ତିଳକଣା ପଞ୍ଚାୟତ ଅଫିସ ସମ୍ମୁଖରେ ଏକ ବାଲି ବୋଝେଇ ଟ୍ରକ୍‌ ପିଟି ହୋଇଯିବାରୁ ଗୁରୁତର ଭାବେ ଆହତ ହୋଇଥିଲେ। ଆହତଙ୍କୁ ନିଶ୍ଚିନ୍ତକୋଇଲି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡ଼ିକାଲକୁ ପଠାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଦେମାଣ୍ଡ ବାଲିଘାଟ ସାମ୍ନାରେ ଧାରଣା ପ୍ରଦର୍ଶନ କରିବା ସହ ବହୁ ସମୟ ଧରି ରାସ୍ତାରୋକୋ କରିଥିଲେ। ବହୁତ ସମୟ ଗଲା ପରେ ସ୍ଥାନୀୟ ତହସିଲଦାର କର୍ଣ୍ଣଦେବ ସମାଦାର, ପୋଲିସ ପ୍ରଶାସନ ପହଞ୍ଚି ଘଟଣାର ବୁଝାଶୁଝା କରିଥିଲେ। କିନ୍ତୁ ଲୋକମାନେ କ୍ଷତିପୂରଣ ଦାବି କରି ରାସ୍ତାରୋକୋକୁ ଅବ୍ୟାହତ ରଖିବା ସହ ବିଡିଓଙ୍କୁ ଚଲାଇ ଚଲାଇ ବାଲିଘାଟକୁ ନେଇଥିଲେ। ତେବେ ପ୍ରଶାସନ ପକ୍ଷରୁ କ୍ଷତିପୂରଣ ଯୋଗାଇଦେବା ନିମନ୍ତେ ସ୍ଥାନୀୟ ଲୋକେ ଦାବି କରିବା ସହ ବାଲି ଘାଟକୁ ବନ୍ଦ କରିବା ପାଇଁ ଦାବି କରିଥିଲେ। ପ୍ରଶାସନ ପକ୍ଷରୁ ଏହି ଘଟଣାକୁ ଗୁରୁତର ସହ ନେବା ସହ ଉଚ୍ଚ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଲୋକେ ଦାବି କରିଛନ୍ତି। ନଚେତ୍‌ ଆଗାମୀ ଦିନରେ ଆଉ ଏକ ବଡ଼ଧରଣର ଆନ୍ଦୋଳନକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ସାଧାରଣରେ କୁହାଯାଇଛି।

Share