ବିପଦ ସଂକେତ ଟପିଲା ଜଳକା

ରୂପସା,୧୨।୯(ଡି.ଏନ.ଏ.): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲାରେ ପୁଣି ବନ୍ୟା ଆଶଙ୍କା ଦେଖାଦେଇଛି। ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳପତ୍ତନ ରବିବାର ବୃଦ୍ଧି ପାଇଛି। ଅପରାହ୍ନ ୧ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଏହି ନଦୀର ମଥାନୀଠାରେ ବିପଦ ସଂକେତ ୫.୫୦ ମିଟର ଥିବା ବେଳେ ଅପରାହ୍ନ ୪ଟା ସୁଦ୍ଧା ଜଳସ୍ତର ୬ ମିଟରରେ ପ୍ରବାହିତ ହୋଇଥିଲା। ବର୍ଷା ଲାଗି ରହିଥବାରୁ ଜଳସ୍ତର ଅଧିକ ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ନଦୀର ଉପର ମୁଣ୍ଡ ମୟୂରଭଞ୍ଜ ଜିଲାର ଶୁଳିଆପଦା, ମୋରଡ଼ା, ଚିତ୍ରଡ଼ା ଓ ରାସଗୋବିନ୍ଦପୁର ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ନଦୀର ଜଳସ୍ତର ବଢ଼ି ଚାଲିଛି।
ବିଭାଗର ସୂଚନା ଅନୁଯାୟୀ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ଥିବାରୁ ଜଳସ୍ତର ଅଧିକ ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଉଛି। ଗତ ବନ୍ୟାରେ ବସ୍ତା ବ୍ଲକର ପ୍ରାୟ ୧୪ଶହ ହେକ୍ଟର ଜମିରେ ଖରିଫ ଚାଷ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବିଭାଗୀୟ ରିପୋର୍ଟରୁ ଜଣାପଡ଼ିଥିଲା। ଏଥର ପୁଣି ବନ୍ୟା ହେଲେ ବସ୍ତା ଓ ସଦର ବ୍ଲକର ୨୦ଟି ପଞ୍ଚାୟତର ଚାଷ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହେବ ବୋଲି ଚାଷୀ ମହଲରେ ଆଶଙ୍କା ଦେଖାଦେଇଛି।

Share