ବିପଦ ସଙ୍କେତ ଟପିଲା ବୈତରଣୀ

ଆନନ୍ଦପୁର,୨ା୮(ସନ୍ତୋଷ ରାଉତ): ବୈତରଣୀ ନଦୀରେ ହଠାତ ବନ୍ୟାଜଳ ପ୍ରବେଶ କରିବାରୁ ଆନନ୍ଦପୁର ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ବୁଧବାର ସକାଳ ୬ଟାରେ ଆନନ୍ଦପୁରଠାରେ ବୈତରଣୀର ବନ୍ୟାଜଳ ୩୪.୦୩୦ ମି. ରହିଥିଲା ବେଳେ ୯ଟାରେ ସତର୍କ ସଙ୍କେତ ଅତିକ୍ରମ କରି ୩୭.୪୫୦ ମି.ରେ ପ୍ରବାହିତ ହୋଇଥିଲା। ଉପରମୁଣ୍ଡରେ ବର୍ଷାର ପରିମାଣ ବୃଦ୍ଧି ପାଇବା ସହିତ ନିୟମିତ ବ୍ୟବଧାନରେ ବୈତରଣୀ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଥିଲା। ଅପରାହ୍ନ ୧ଟାରେ ବୈତରଣୀ ବିପଦ ସଙ୍କେତ ଅତିକ୍ରମ କରି ୪୦ମି. ଉପରେ ବନ୍ୟାଜଳ ପ୍ରବାହିତ ହୋଇଥିଲା। ଅପରାହ୍ନ ୪ଟା ସୁଦ୍ଧା ଆନନ୍ଦପୁରରେ ବୈତରଣୀର ବନ୍ୟାଜଳ ୪୦.୦୨୦ ରହିଥିଲା। ଆନନ୍ଦପୁରଠାରେ ବୈତରଣୀ ନଦୀର ସତର୍କ ସୂଚନା ୩୭.୪୪୫ମି. ରହିଥିବା ବେଳେ ବିପଦ ସଙ୍କେତ ୩୮.୩୬୦ମି. ରହିଛି। ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ଜଳସ୍ତରର ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ବୈତରଣୀ ଜଳସ୍ତର ବୃଦ୍ଧି ପାଇବା ଘଟଣାକୁ ନେଇ ତଳିଆ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏପରିକି ଫକୀରପୁରଠାରେ ନଦୀବନ୍ଧର କେତେକ ସ୍ଥାନ ଦୁର୍ବଳ ରହିଥିବାରୁ ପ୍ରଶାସନ ପକ୍ଷରୁ ଆଗୁଆ ବାଲିବସ୍ତା ପ୍ରସ୍ତୁତ କରି ରଖାଯାଇଛି। ତେବେ ବନ୍ଧର ଉଭୟପାର୍ଶ୍ୱ ଘାସଲଟାରେ ପରିପୂର୍ଣ୍ଣ ରହିଥିବା ବେଳେ ଦୁର୍ବଳ ସ୍ଥାନଗୁଡ଼ିକ ସ୍ପଷ୍ଟ ବାରିହେବାରେ ସମସ୍ୟା ସୃଷ୍ଟି ହେଉଛି।

ବୈତରଣୀ ବନ୍ୟାଜଳ ବୃଦ୍ଧି ପାଇ ଆନନ୍ଦପୁର ପୌରପରିଷଦ ୧୩ ନଂ ଓ୍ବାର୍ଡ ସାଉଁଟିସାହିରେ ପ୍ରବେଶ କରିବା ଫଳରେ ୨୦ରୁ ଊର୍ଦ୍ଧ୍ୱ ପରିବାର ପାଣି ଘେରରେ ରହିଥିଲେ। ପ୍ରାଥମିକ ସ୍ତରରେ ସ୍ଥାନୀୟ କାଉନସିଲର ସମ୍ବିତ କୁମାର ଦାସ ସେମାନଙ୍କୁ ନିକଟସ୍ଥ ସ୍କୁଲରେ ଥଇଥାନର ବ୍ୟବସ୍ଥା ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ଆନନ୍ଦପୁର ପୌରଅଧିକାରୀଙ୍କ ସମେତ ପୌରଧ୍ୟକ୍ଷା ରଜନୀରାଣୀ ଖଟୁଆ ଘଟଣାସ୍ଥଳରେ ପହଞ୍ଚି ବନ୍ୟାଜଳରେ ପ୍ରଭାବିତ ପରିବାରବର୍ଗଙ୍କୁ ରନ୍ଧାଖାଦ୍ୟ ଦେବାର ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ବୈତରଣୀ ବନ୍ୟାଜଳ ଆନନ୍ଦପୁର ବ୍ଲକ ଟୁକୁଣାଠାରେ ଥିବା କୁଣ୍ଡେଶ୍ୱର ଶୈବ ପୀଠ ଜଳାର୍ଣ୍ଣବ ହୋଇପଡ଼ିଛି।ମନ୍ଦିରର ଅଧା ପର୍ଯ୍ୟନ୍ତ ବନ୍ୟାଜଳରେ ବୁଡ଼ିରହିଛି।

Share