ତଥ୍ୟ ଠିକ୍‌, ବିଶ୍ଳେଷଣ ଭୁଲ୍‌

ଦିନେ ଜଣେ ବନ୍ଧୁ ମୋ ପାଖକୁ ଏକ ଭିଡିଓ ପଠାଇଥିଲେ। ଭିଡିଓରେ ଜଣେ ରାଜନେତା ହିସାବ ଦେଉଛନ୍ତି ଯେ ଉପା ସରକାର ଅମଳରେ ଓଡ଼ିଶାକୁ କେତେ ଅର୍ଥ କେନ୍ଦ୍ର ଦେଇଥିଲା ଓ ତାହାଠାରୁ ବର୍ତ୍ତମାନ ଭାଜପା ସରକାର ଅମଳରେ କେତେ ଅଧିକ ଦିଆଯାଇଛି। କିନ୍ତୁ ତଥ୍ୟ ଆପାତତଃ ଠିକ୍‌ ହୋଇପାରେ, କିନ୍ତୁ ବିଶ୍ଳେଷଣ ଭୁଲ୍‌। କାରଣ ସବୁ ରାଜ୍ୟକୁ ଅର୍ଥ କମିଶନର ସୁପାରିସ ଅନୁସାରେ ଦିଆଯାଏ। କେନ୍ଦ୍ର ମନକୁ ଦିଏ ନାହିଁ। ପୁନଶ୍ଚ କୌଣସି ସେପରି ଆର୍ଥିକ ବିପର୍ଯ୍ୟୟ ନ ଘଟିଲେ ନାମାଙ୍କନ ମୂଲ୍ୟରେ ସବୁ ବୃଦ୍ଧି ପାଇଥାଏ, ଯଦିଓ ମୁଦ୍ରାସ୍ଫୀତି ବୃଦ୍ଧି ସହିତ ଟଙ୍କାର କ୍ରୟ ଶକ୍ତି ହ୍ରାସ ପାଇଥାଏ। ଯେମିତି ଉପା ସରକାରଠାରୁ ବର୍ତ୍ତମାନର ଭାଜପା ସରକାର ସମୟରେ ଅଧିକ ଆସିଛି, ସେମିତି ବାଜପେୟୀଙ୍କ ୫ ବର୍ଷର ଶାସନ ଅମଳ ତୁଳନାରେ ଉପା ସରକାରଙ୍କ ୫ ବର୍ଷରେ ଅଧିକ ଆସିଛି। ସେହିପରି ପି. ଭି. ନରସିଂହ ରାଓ ସରକାର ତୁଳନାରେ ବାଜପେୟୀ ସରକାରଙ୍କ ସମୟରେ ଅଧିକ ଆସିଛି। ଏପରିକି ନରେନ୍ଦ୍ର ମୋଦିଙ୍କ ପ୍ରଥମ ପାଞ୍ଚ ବର୍ଷ ତୁଳନାରେ ଦ୍ୱିତୀୟ ୫ ବର୍ଷର ଶାସନ ଅବଧିରେ ମଧ୍ୟ ଅଧିକ ଆସିଛି। ଭବିଷ୍ୟତରେ ଯଦି କିଏ ନୂଆ ଶାସନ କରିବ, ସେତେବେଳେ ବର୍ତ୍ତମାନ ସରକାରଠାରୁ ତାଙ୍କ ଶାସନ ଅମଳରେ ଅଧିକ ଆସିବ।
ଅର୍ଥ କମିଶନ ରିପୋର୍ଟ ଅନୁଯାୟୀ ଓଡ଼ିଶା ବିଭାଜ୍ୟ ପାଣ୍ଠିରେ ଅଂଶ ବୃଦ୍ଧି ପାଉଛି ନା ତାହା ହ୍ରାସ ପାଉଛି, ତାହା ବିଚାର କରିବା ଉଚିତ। କିନ୍ତୁ ବାସ୍ତବରେ ଓଡ଼ିଶାର ଭାଗ କମି କମି ଯାଉଛି। ଉଦାହରଣ ସ୍ବରୂପ ଦ୍ୱାଦଶ ଅର୍ଥ କମିଶନ ରିପୋର୍ଟ ଅନୁଯାୟୀ ଓଡ଼ିଶାର ଅଂଶ ବିଭାଜିତ ପାଣ୍ଠିରେ ୫.୧୬% ଥିଲା। ଏହା ହ୍ରାସ ପାଇ ତ୍ରୟଦଶ ଅର୍ଥ କମିଶନରେ ୪.୭୮%ରେ ସ୍ଥିର ହୋଇଥିଲେ ମଧ୍ୟ ବାସ୍ତବରେ ଏହା ୪.୬୪% ହୋଇଥିଲା। ଏହା ପୁନଶ୍ଚ ଚତୁର୍ଦ୍ଦଶ ଅର୍ଥ କମିଶନରେ ୪.୬୪%କୁ ଓ ପଞ୍ଚଦଶ ଅର୍ଥ କମିଶନ (୨୦୨୦-୨୧ ରୁ ୨୦୨୫-୨୬)ରେ ୪.୬୩%କୁ ହ୍ରାସପାଇଛି। ଅପରପକ୍ଷରେ ବିହାର, ଛତିଶଗଡ଼, ଗୋଆ, ଗୁଜରାଟ, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ପଞ୍ଜାବ, ରାଜସ୍ଥାନ, ସିକ୍କିମ, ତାମିଲନାଡୁ, ତ୍ରିପୁରା ଓ ଉତ୍ତରାଖଣ୍ଡ ରାଜ୍ୟର ଅଂଶ ବିଭାଜିତ ପାଣ୍ଠିରେ ବୃଦ୍ଧି ପାଇଛି। ଆଉ ଗୋଟିଏ କଥା ଓଡ଼ିଶା ପାଇଁ ଚିନ୍ତାଜନକ ହେଉଛି, କିଛି ରାଜ୍ୟ ରାଜସ୍ବ ନିଅଣ୍ଟ ଅନୁଦାନ ପାଇଲା ବେଳେ ଓଡ଼ିଶା ସମେତ କିଛି ରାଜ୍ୟ ମଧ୍ୟ ବଞ୍ଚିତ।
ଅନେକ ସମୟରେ କେନ୍ଦ୍ରର ଶାସକ ଶ୍ରେଣୀ କହିଥାନ୍ତି ଯେ, କେନ୍ଦ୍ର ଏତେ ରାଜ୍ୟକୁ ଦେଉଛି। କିନ୍ତୁ ସେମାନେ କହନ୍ତିନାହିଁ ଯେ, କେନ୍ଦ୍ର ରାଜ୍ୟବାସୀଙ୍କଠାରୁ ଯେଉଁ ଟିକସ ଆଦାୟ କରୁଛି, ସେଥିରୁହିଁ ଦେଉଛି। ବାସ୍ତବରେ କେନ୍ଦ୍ର ଦୟାକରି ଦେଇ ନ ଥାଏ କି ରାଜ୍ୟ ହାତରୁ ବ୍ୟୟ କରି ନଥାଏ। ସମସ୍ତେ ଲୋକଙ୍କ ଟିକସ ଅର୍ଥ ବ୍ୟୟ କରିଥାନ୍ତି। ପୁନଶ୍ଚ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ରାଜ୍ୟ ସରକାର କରିଥାନ୍ତି। ସ୍ବାସ୍ଥ୍ୟସେବା, ଶିକ୍ଷା ଏବଂ ଗ୍ରାମୀଣ ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ ସାର୍ବଜନୀନ ସେବା ପାଇଁ ରାଜ୍ୟଗୁଡ଼ିକ ମୁଖ୍ୟତଃ ଦାୟୀ। କିନ୍ତୁ ଟିକସ ଆଦାୟ କରିବାର ଉତ୍ସ ରାଜ୍ୟ ସରକାରଙ୍କ ସୀମିତ। ୨୦୧୭ ମସିହାରେ ଜିଏସ୍‌ଟି ପ୍ରଚଳନ ପୂର୍ବରୁ ରାଜ୍ୟଗୁଡ଼ିକ ଭାଟ୍‌, ପ୍ରବେଶ କର ଏବଂ ଅନ୍ୟାନ୍ୟ ସ୍ଥାନୀୟ ଶୁଳ୍କ ସମେତ ମୋଟ କର ପ୍ରାୟ ୫୫% ସଂଗ୍ରହ କରୁଥିଲେ। ଜିଏସ୍‌ଟି ପ୍ରଚଳନ ପରେ ଏହା ୩୮%କୁ ହ୍ରାସ ପାଇଛି। ୨୦୨୨ ମସିହାରେ ଜିଏସ୍‌ଟି କ୍ଷତିପୂରଣ ଅବଧି ଶେଷ ହେବା ସହିତ, ରାଜ୍ୟଗୁଡ଼ିକ ହରାଇଥିବା ରାଜସ୍ବ ପୂରଣ କରିବାକୁ ସଂଘର୍ଷ କରିଛନ୍ତି। ମୋଟ ସରକାରୀ ଖର୍ଚ୍ଚରେ ସେମାନଙ୍କର ଅଂଶ ୨୦୧୪-୧୫ରେ ୫୨%ରୁ ବୃଦ୍ଧି ପାଇ ୨୦୨୨-୨୩ରେ ପ୍ରାୟ ୬୩% ହୋଇଛି।
ଯେହେତୁ କେନ୍ଦ୍ର ବେଶି ରାଜସ୍ବ ପାଏ ଏବଂ କମ୍‌ ବ୍ୟୟ କରେ, ତେଣୁ ସମ୍ବିଧାନର ଧାରା ୨୭୦ ଅନୁଯାୟୀ କେନ୍ଦ୍ର ଆଦାୟ କରୁଥିବା ଟିକସ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ କିପରି ବଣ୍ଟନ କରାଯିବ ତାହାର ରୂପରେଖ ଅର୍ଥ କମିଶନ ସ୍ଥିର କରିଥାନ୍ତି। ସମ୍ବିଧାନର ଧାରା ୨୮୦ ଅନୁଯାୟୀ କେନ୍ଦ୍ର ଅର୍ଥ କମିଶନ ଗଠନ କରିଥାଏ ଏବଂ କେନ୍ଦ୍ର ଦ୍ୱାରା ସଂଗୃହୀତ କେଉଁ ଟିକସ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବଣ୍ଟନ ହେବ ତାହା ଅର୍ଥ କମିଶନ ସ୍ଥିର କରିଥାନ୍ତି। କେନ୍ଦ୍ରୀୟ ଟିକସରେ ରଜ୍ୟଗୁଡ଼ିକ ଅଂଶ ୧୧ଶ ଅର୍ଥ କମିଶନ ଅନୁସାରେ ୨୯.୫% ଥିଲା। ତାହା ବୃଦ୍ଧି ପାଇ ଦ୍ୱାଦଶ ଅର୍ଥ କମିଶନରେ ୩୦.୫% ହୋଇଥିଲା। ପୁନଶ୍ଚ ତ୍ରୟୋଦଶ ଅର୍ଥ କମିଶନରେ ୩୨ % ଓ ଚତୁର୍ଦ୍ଦଶ ଅର୍ଥ କମିଶନରେ ୪୨%କୁ ବୃଦ୍ଧି ପାଇଥିଲା। କିନ୍ତୁ ଏହି ବୃଦ୍ଧି ସତ୍ତ୍ୱେ ରାଜ୍ୟଗୁଡ଼ିକ ଅଧିକ ପାଉନଥିଲେ, କାରଣ ସରକାର ଅଧିକାଂଶ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ବାତିଲ କରିଥିଲେ। ପଞ୍ଚଦଶ ଅର୍ଥ କମିଶନ ଅବଧିରେ ୨୦୨୦-୨୧ରେ ଜମ୍ମୁ ଏବଂ କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ କରିବା ପରେ ରାଜ୍ୟଗୁଡ଼ିକର ଅଂଶ ୪୨%ରୁ ସାମାନ୍ୟ ହ୍ରାସ ପାଇ ୪୧% ହୋଇଛି। କିନ୍ତୁ ପ୍ରକୃତରେ ରାଜ୍ୟଗୁଡ଼ିକ ବହୁତ କମ ପାଉଛନ୍ତି କାରଣ, ସରଚାର୍ଜ ଏବଂ ସେସ୍‌ରୁ ଯେଉଁ ରାଜସ୍ବ କେନ୍ଦ୍ରକୁ ପ୍ରାପ୍ତ ହୁଏ ସେଥିରୁ ରାଜ୍ୟଗୁଡ଼ିକୁ କିଛି ମିଳେ ନାହିଁ।
ଜିଏସ୍‌ଟି ଜନିତ କ୍ଷତିପୂରଣ ସେସ୍‌କୁ (ଯାହା ରାଜ୍ୟଗୁଡ଼ିକୁ ଦିଆଯାଏ) ବାଦ ଦେଲାପରେ ସେସ୍‌ ଏବଂ ସରଚାର୍ଜ ବାବଦରେ ୨୦୦୯-୧୦ରେ ୭୦,୫୫୯ କୋଟି ଟଙ୍କା ଆଦାୟ ହୋଇଥିଲାବେଳେ ୨୦୨୩-୨୪ ରେ ୫.୧ଲକ୍ଷ କୋଟି ଟଙ୍କା ଆଦାୟ ହୋଇଥଲା। ୨୦୨୪-୨୫ରେ ରେ ୫.୫ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଥିଲା। ୨୦୧୪-୧୫ରେ, ଏହି ଉତ୍ସଗୁଡ଼ିକରୁ ରାଜସ୍ବ ମୋଟ ରାଜସ୍ବର ୧୦% ଥିଲା ବେଳେ ୨୦୨୩-୨୪ସୁଦ୍ଧା ଏହା ୨୭%କୁ ବୃଦ୍ଧି ପାଇଥିଲା। ରାଜ୍ୟଗୁଡ଼ିକ ୪୧% ବଦଳରେ ପ୍ରାୟ ୩୩.୧% ପାଇଛନ୍ତି। ମୂଳତଃ ଏକ ସାମୟିକ ପଦକ୍ଷେପ ଭାବରେ ପ୍ରଚଳିତ ସରଚାର୍ଜ ଏବଂ ସେସ୍‌ ଭାରତର ଟିକସ ବ୍ୟବସ୍ଥାରେ ଏକ ସ୍ଥାୟୀ ନୀତି ପାଲଟିଛି।
ଏଣୁ ଅରବିନ୍ଦ ପାନଗାରିଆଙ୍କ ଅଧ୍ୟକ୍ଷତାରେ ଗଠିତ ଷୋଡ଼ଶ ଅର୍ଥ କମିଶନ ବିଭାଜ୍ୟ ପାଣ୍ଠିରେ ରାଜ୍ୟଗୁଡ଼ିକ ଅଂଶକୁ ୪୧% ରୁ ୫୦% କୁ ବୃଦ୍ଧି କରିବା ଉଚିତ। କିଛି ରାଜ୍ୟ ମଧ୍ୟ ଏହି ଅନୁରୋଧ କରିଛନ୍ତି। ଏହା ସହିତ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ସେସ୍‌ ଏବଂ ସରଚାର୍ଜ ବାବଦ ରାଜସ୍ବର ଏକ ପ୍ରମୁଖ ଅଂଶ ଦେବା ଉଚିତ। ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ଓଡ଼ିଶା ଭଳି କିଛି ରାଜ୍ୟକୁ ସ୍ବତନ୍ତ୍ର ସହାୟତା ଦେବା ଉଚିତ। ତ୍ରୟୋଦଶ ଅର୍ଥ କମିଶନରେ ଆର୍ଥିକ ଶୃଙ୍ଖଳାକୁ ୧୭.୫%ର ଗୁରୁତ୍ୱ ଦିଆଯାଉଥିଲା। କିନ୍ତୁ ପରବର୍ତ୍ତୀ ଅର୍ଥ କମିଶନଙ୍କ ରିପୋର୍ଟରେ ଏହାକୁ ହଟାଇ ଦିଆଯାଇଥିଲା। କିନ୍ତୁ ଏହି କାର୍ଯ୍ୟକୁ ପୁରସ୍କୃତ କରାଯିବା ଉଚିତ। ନୀତି ଆୟୋଗର ବିତ୍ତୀୟ ସ୍ବାସ୍ଥ୍ୟ ସୂଚକାଙ୍କ ତାଲିକାରେ ଓଡ଼ିଶା ଶୀର୍ଷରେ ଥିବାରୁ ଓଡ଼ିଶାକୁ ମଧ୍ୟ ପୁରସ୍କୃତ କରାଯିବା ଉଚିତ। ଯେଉଁ ରାଜ୍ୟରେ ଦାରିଦ୍ର୍ୟ ସୀମାରେଖା ତଳେ ଅଧିକ ପ୍ରତିଶତ ଲୋକ ଅଛନ୍ତି ସେହି ରାଜ୍ୟକୁ ଅଧିକ ପାଣ୍ଠି ଦିଆଯିବା ଉଚିତ। ସେହିପରି, ଅଧିକ ଅନୁସୂଚିତ ଜାତି/ଜନସଂଖ୍ୟା ଥିବା ରାଜ୍ୟଗୁଡ଼ିକୁ ପାଣ୍ଠି ବଣ୍ଟନ ସମୟରେ ଗୁରୁତ୍ୱ ଦିଆଯିବା ଉଚିତ। ଯେଉଁ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାଗୁଡ଼ିକୁ ବନ୍ଦ ବା ସଙ୍କୁଚିତ କରାଯାଇଛି, ସେଗୁଡ଼ିକୁ ପୁନର୍ଜୀବିତ କରାଯିବା ଉଚିତ।

ଡ. ସନ୍ତୋଷ କୁମାର ମହାପାତ୍ର
ମୋ:୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧ ଓ ଯୁବ ବାବା

ସାମାଜିକ ଗଣମାଧ୍ୟମ (ସୋସିଆଲ ମିଡିଆ)ରେ ଏବେ ଏକ ନୂଆ ପିିଢ଼ିର ବାବାଙ୍କୁ ଦେଖିବା ଓ ସେମାନଙ୍କ କଥା ମଧ୍ୟ ଶୁଣିବାକୁ ମିଳୁଛି। ଏହି ବାବାମାନେ ଯୁବକ।...

ନୀରବଘାତକ

ଭାରତରେ ୧୪ କୋଟି ଲୋକ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ନିର୍ଦ୍ଧାରିତ ବାୟୁଗୁଣ ସୂଚକାଙ୍କର ୧୦ ଗୁଣ ପ୍ରଦୂଷିତ ବାୟୁ ସେବନ କରନ୍ତି, ଯାହା ଫଳରେ ପ୍ରତିବର୍ଷ...

ରାଜନେତାଙ୍କ ଲଣ୍ଠନ ଉପାଖ୍ୟାନ

ଅତ୍ୟାଧୁନିକ ବିଜ୍ଞାନ ଓ କାରିଗରି ବିଦ୍ୟା ଡିଜିଟାଲ ଯୁଗରେ ଅଲୋଡ଼ା ହୋଇପଡ଼ିଥିବା ଡିବିରି, ଲଣ୍ଠନ, ଚେମେଣି ଓ ମହମବତି ଏବେ ପୁଣି ଖୋଜା ପଡ଼ିଛି। ବିଦ୍ୟୁତ୍‌...

ହାନିଲାଭର ହିସାବ

ଯୁଦ୍ଧବିରତି ପରେ ଗାଜା ଉପରେ ପୁଣି ଇସ୍ରାଏଲ ଆକ୍ରମଣ କରିବା ଆରମ୍ଭ କରିଦେଇଛି। ୨୪ ମାର୍ଚ୍ଚରେ ଇସ୍ରାଏଲ ସେନା ଗାଜାରେ ବୋମାମାଡ଼ କରିବାରୁ ୬୧ ପାଲେଷ୍ଟିନୀୟଙ୍କ...

ଧନୀ କିଏ ନା ଦରିଦ୍ର କିଏ

ବିଶ୍ୱର ସର୍ବଶ୍ରେଷ୍ଠ ଧନୀମାନଙ୍କର ତାଲିକା ସମୟ ସମୟରେ ଗଣମାଧ୍ୟମରେ ପ୍ରକାଶିତ ହେବା ଆମ ଆଖିରେ ପଡେ। ସେହିପରି ସବୁଠାରୁ ଧନୀ ଦେଶ ହିସାବରେ କୌଣସି ଭୂଖଣ୍ଡ...

ସମାବର୍ତ୍ତନ ଉତ୍ସବ- ସେଦିନ ଓ ଆଜି

ତ୍ରୀଛାତ୍ରମାନଙ୍କ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତି ପରେ ସ୍ବଗୃହ ପ୍ରତ୍ୟାବର୍ତ୍ତନକୁ ସମାବର୍ତ୍ତନ କୁହାଯାଏ। ଏହି ଉପଲକ୍ଷେ ଯେଉଁ ଉତ୍ସବ ଆୟୋଜିତ ହୁଏ ତାହା ସମାବର୍ତ୍ତନ ଉତ୍ସବ ।...

ଡିଜିଟାଲ ଠକେଇ

ଚଳିତ ବର୍ଷ ଓଡ଼ିଶାରେ ଘଟିଥିବା ଦୁଇଟି ଡିଜିଟାଲ ଠକେଇ ଅତ୍ୟନ୍ତ ଚିନ୍ତାଜନକ। ୨୦୨୫ ଫେବୃଆରୀରେ ସେକ୍ସଟର୍ସନର ଶିକାର ହୋଇ କଟକର ୩୫ ବର୍ଷୀୟା ଜଣେ ମହିଳା...

ଏଇ ଭାରତରେ

ବାର୍ଦ୍ଧକ୍ୟରେ ଯେତେବେଳେ ସମ୍ପର୍କର ଡୋର ଛିଣ୍ଡିବା ଆରମ୍ଭ ହୁଏ ସେତେବେଳେ ବିବାହ କଥା ଚିନ୍ତା କରିବା ଅସମ୍ଭବ ଲାଗିଥାଏ। ହେଲେ ଏଭଳି ଏକ ଭାବନାକୁ ଭୁଲ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image