ଭୋଜି ବନ୍ଦ, କନ୍ୟା ବାପାଙ୍କୁ ଏକଲକ୍ଷ ଜରିମାନା

ଦେବଗଡ଼, ୧୯ା୫ – ଦେବଗଡ଼ ପୌରାଞ୍ଚଳର ପୁରୁଣାଗଡରେ ବୁଧବାର କୋଭିଡ୍‌ ନିୟମ ଉଲ୍ଲଂଘନ କରାଯାଇ ଏକ ବିବାହ ଭୋଜି ଆୟୋଜନ ହୋଇଥିଲା। କିନ୍ତୁ ହଠାତ୍‌ ଚଢ଼ାଉ କରିଥିଲା ପୋଲିସ। ଭୋଜି ବନ୍ଦ କରିବା ସହ ଆୟୋଜନକାରୀ କନ୍ୟାର ବାପାଙ୍କୁ ୧ ଲକ୍ଷ ଟଙ୍କା ଜରିମାନା କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ପୁରୁଣାଗଡ଼ର ସୂର୍ଯ୍ୟକୁମାର ସାହୁଙ୍କ ଝିଅ ବିବାହ ଉତ୍ସବ ଆୟୋଜିତ ହେଉଥିଲା। ବିବାହ ଉତ୍ସବରେ ଭୋଜି ନିମନ୍ତେ ସୂର୍ଯ୍ୟ ପୂର୍ବ ନିର୍ଦ୍ଧାରିତ ନିୟମ ଅନୁଯାୟୀ ପୋଲିସ ନିକଟରୁ ଅନୁମତି ଆଣିଥିଲେ। ୫୦ ଜଣଙ୍କର ଭୋଜି ବ୍ୟବସ୍ଥା କରାଯିବା ପାଇଁ ଅନୁମତି ପତ୍ରରେ ଉଲ୍ଲେଖ କରାଯାଇଥିଲା। ମାତ୍ର ୨୫୦ ଲୋକଙ୍କ ପାଇଁ ଭୋଜି ବ୍ୟବସ୍ଥା ହୋଇଥିବା ପୋଲିସ ଖବର ପାଇଥିଲା। ଏସ୍‌ଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର ଓ ସବ୍‌ଇନ୍ସପେକ୍ଟର ପ୍ରତାପ ଦଳେଇ ସଦଳବଳେ ସେଠାରେ ଚଢ଼ାଉ କରିଥିଲେ। ପୋଲିସର ନିର୍ଦ୍ଦେଶ ଅନୁଯାୟୀ ଘର ସମ୍ମୁଖରେ ଭୋଜିରେ ୫୦ ଜଣ ଅଂଶଗ୍ରହଣକାରୀଙ୍କ ତାଲିକା ଝୁଲାଯାଇ ନ ଥିଲା। ପାର୍ଶଲ ବଦଳରେ ଲୋକଙ୍କୁ ଘରେ ଖାଇବାକୁ ଦିଆଯାଉଥିବା ଦେଖିବାକୁ ପାଇଥିଲା ପୋଲିସ। କୋଭିଡ୍‌ ଆଇନ ଉଲ୍ଲଂଘନ ଅଭିଯୋଗରେ ସୂର୍ଯ୍ୟଙ୍କୁ ଏକ ଲକ୍ଷ ଟଙ୍କା ଜରିମାନା କରାଯାଇଛି।

Share