ନ୍ୟାୟ ଦାବିରେ ଶାଶୁଘର ଆଗରେ ଧାରଣାରେ ବସିଲେ ବୋହୂ

ବେଗୁନିଆପଡ଼ା,୨୬ା୭(ସୁଶାନ୍ତ କୁମାର ପଟ୍ଟନାୟକ): ପ୍ରେମ କରି ବାହା ହୋଇଥିଲେ। ଏବେ ହାତ ଛାଡ଼ିଦେଲେ। ପ୍ରେମ ବିବାହ କରି କିଛି ବର୍ଷ ଏକାଠି ରହିବା ପରେ ଏବେ ସ୍ତ୍ରୀଙ୍କ ହାତ ଛାଡ଼ି ଦେଇଛନ୍ତି ସ୍ବାମୀ। ଗଞ୍ଜାମ ଜିଲା ବେଗୁନିଆପଡ଼ା ବାଲିସାହିରେ ଜଣେ ମହିଳା ନିଜର ହକ୍‌ ଦାବିରେ ବୁଧବାର ଶାଶୁଘର ଆଗରେ ଧାରଣାରେ ବସିଥିବା ବେଳେ ଘଟଣା ଏବେ ଆଲୋଚନାର ବିଷୟ ପାଲଟିଛି।

ସୂଚନାନୁସାରେ, ପୁସ୍ତପୁର ଗ୍ରାମର କସ୍ତୁରୀ ଘୋଷଙ୍କ ସହ ବେଗୁନିଆପଡ଼ା ବାଲିସାହିର ବିଶ୍ବଜିତ ଜଗନ୍ନାଥ ସାହୁଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ଏହା ଶାରୀରିକ ସମ୍ପର୍କ ରୂପ ନେଇଥିଲା। ପରେ ପ୍ରେମିକା ଅନ୍ୟତ୍ର ବିବାହ କରିଥିଲେ, ଗୋଟିଏ ୪ ବର୍ଷର ଝିଅ ମଧ୍ୟ ରହିଛି। ତେବେ ଏତିକିରେ କଥା ସରି ନ ଥିଲା। ପ୍ରେମିକ ବିଶ୍ବଜିତ ପୂର୍ବରୁ ରଖିଥିବା ଅଶ୍ଳୀଳ ଫଟୋ ପ୍ରେମିକା କସ୍ତୁରୀଙ୍କ ସ୍ବାମୀଙ୍କୁ ଦେଖାଇ ଦେଇଥିଲେ। ଆଉ ଏହା ପରେ କସ୍ତୁରୀଙ୍କଠାରୁ ଅଲଗା ହୋଇଗଲେ ତାଙ୍କ ସ୍ବାମୀ। ଏହାପରେ କସ୍ତୁରୀଙ୍କୁ ପ୍ରେମିକ ବିଶ୍ବଜିତ ପୁରୀ ଜଗନ୍ନାଥ ମନ୍ଦିର, ଲିଙ୍ଗରାଜ ମନ୍ଦିର ନେଇ ବିବାଦ କରିଥିଲେ। ଆମଫୋଇ ନାମକ ସଂସ୍ଥା ମାଧ୍ୟମରେ ମଧ୍ୟ ବିବାହ କରିଥିଲେ। ଦୀର୍ଘ ୪ ବର୍ଷ ଖଲ୍ଲିକୋଟଠାରେ ଭଡ଼ାଘରେ ଦୁହେଁ ରହୁଥିଲେ। ପରେ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହେଲା। ଆଉ ଏବେ କସ୍ତୁରୀକୁ ଛାଡ଼ି ଫେରାର ହୋଇଗଲେ ପ୍ରେମିକ ତଥା ସ୍ବାମୀ ବିଶ୍ବଜିତ୍‌। ଯାହାକୁ ନେଇ ବୁଧବାର ବେଗୁନିଆପଡ଼ା ବାଲିସାହିରେ ଥିବା ସ୍ବାମୀଙ୍କ ଘର ଆଗରେ ନ୍ୟାୟ ପ୍ରଦାନ ଦାବି କରି ଧାରଣା ଦେଇଛନ୍ତି କସ୍ତୁରୀ।