ଯେଉଁଦିନ କ୍ରିକେଟରେ ହୋଇଥିଲେ ଚାମ୍ପିଅନ, ଠିକ୍‌ ସେହିଦିନ ଆସିବ ଅନାସ୍ଥା ପ୍ରସ୍ତାବ

ଇସଲାମାବାଦ,୨୫ା୩: ପାକିସ୍ତାନ କ୍ରିକେଟ ଇତିହାସରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ ଥିଲା ୧୯୯୨ ମସିହା ମାର୍ଚ୍ଚ ୨୫ ତାରିଖ। ଠିକ୍‌ ୩୦ ବର୍ଷ ତଳେ ଏହିଦିନ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ପାକିସ୍ତାନ ବିଶ୍ୱକପ ଚାମ୍ପିଅନ ହୋଇଥିଲା। ଯଦିଓ ପାକିସ୍ତାନ ବିଜୟ ପଛରେ ଅନେକ ହିରୋ ଥିଲେ। ସେମାନଙ୍କ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲେ କ୍ରିକେଟର ଇନ୍‌ଜାମାମ୍‌-ଉଲ୍‌-ହକ୍‌ ଏବଂ ଓ୍ବାଶିମ ଆକ୍ରମ। କିନ୍ତୁ ପାକିସ୍ତାନର ବିଜୟ ମୁକୁଟ କ୍ୟାପଟେନ ଇମ୍ରାନ ଖାନଙ୍କ ମୁଣ୍ଡରେ ବନ୍ଧା ଯାଇଥିଲା।  ବିଶ୍ୱକପ ଜିତିବା ରାସ୍ତାରେ ପାକିସ୍ତାନ ମଧ୍ୟ ଭାରତ ଦ୍ୱାରା ପରାସ୍ତ ହୋଇଛି, ତେବେ ବିଶ୍ୱକପ ବିଜେତା ହେବା ପରେ ଇମ୍ରାନଙ୍କ ସୁଖ୍ୟାତି ଏବଂ ସ୍ଥିତି ସର୍ବୋଚ୍ଚସ୍ତରରେ ପହଞ୍ଚିଛି।

୩୦ ବର୍ଷ ପରେ ସେହି ମାର୍ଚ୍ଚ ୨୫ ତାରିଖ ଅର୍ଥାତ୍‌ ଆଜିର ଦିନରେ ପାକିସ୍ତାନ ସଂସଦରେ ୬୯ ବର୍ଷୀୟ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଯିବ। ଆଜି ପୂର୍ବାହ୍ନ ୧୧ଟାରେ ଅଧିବେଶନ ଆରମ୍ଭ ହେବ। ପାକିସ୍ତାନର ମୁଖ୍ୟ ବିରୋଧୀ ଦଳ ନଓ୍ବାଜ ସରିଫଙ୍କ ମୁସଲିମ ଲିଗ ଏବଂ ବିଲାଓ୍ବଲ ଭୁଟ୍ଟୋଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି ମାର୍ଚ୍ଚ ୮ରେ ସଂସଦରେ ଅନାସ୍ଥା ପ୍ରସଙ୍ଗ ଉଠାଇଥିଲେ। ଏଥିରେ କୁହାଯାଇଥିଲା, ଇମ୍ରାନ ଦେଶରେ ଅନାହାର ପରିସ୍ଥିତି ସୃଷ୍ଟି କରିଛନ୍ତି ଏବଂ ଦେଶ ଧ୍ୱଂସ ହେବାକୁ ଯାଉଛି।

Share