ଜୁଇରୁ ଫେରାଇ ଆଣିଲେ ମୃତଦେହ

ଉଦଳା (ସନ୍ତୋଷ କୁମାର ବାଚ୍ଛିନୀ)/ବାରିପଦା (ନୀଳାଦ୍ରି ବିହାରୀ ଦଣ୍ଡପାଟ), ୩।୭: ଜୁଇ ସଜଡ଼ା ସରିଥିଲା। ଆଉ କିଛି ସମୟ ଅନ୍ତିମ ସଂସ୍କାର ହୋଇଥାନ୍ତା। ହେଲେ ମୃତକ ବଞ୍ଚତ୍ଥିବା କହି ଗୁଣିଆଙ୍କୁ ଡାକିଲେ ପରିବାର ଲୋକେ। ଗୁଣିଗାରେଡ଼ି ସହ ମୃତଦେହକୁ ଝଡ଼ାଫୁଙ୍କା କରିଥିଲେ। ହେଲେ ଡାକ୍ତରଖାନାକୁ ଆଣିବା ପରେ ମୃତ ମହିଳାଙ୍କର ଅନେକ ସମୟ ପୂର୍ବରୁ ମୃତ୍ୟୁ ହୋଇସାରିଥିବା ଡାକ୍ତର କହିଥିଲେ। ରବିବାର ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ ଭାଲୁହୁଡୁରା ଗ୍ରାମରେ।
ମୃତ ମହିଳା ହେଲେ ଗ୍ରାମର ସୁହାଗିନୀ ବିନ୍ଧାଣୀ। ସେ କାଠ ଚିରୁଥିବା ବେଳେ ୧୧ଦିନ ପୂର୍ବରୁ ଗୁରୁତର ହୋଇଥିଲେ। ଉଦଳା ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା। ଶନିବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକେ ରବିବାର ସକାଳୁ ସ୍ବର୍ଗରଥରେ ମୃତଦେହ ଘରକୁ ନେଇ ଯାଇଥିଲେ। ଗ୍ରାମବାସୀ ଏବଂ ପରିବାର ଲୋକେ ଶେଷକୃତ୍ୟ ନିମନ୍ତେ ଜୁଇ ସଜାଡ଼ି ସାରିଥିଲେ। ମୃତଦେହରେ ଅଗ୍ନି ସଂଯୋଗ ପୂର୍ବରୁ ସୁହାଗିନୀଙ୍କ ନିଃଶ୍ୱାସ ଚାଲୁଥିବା ସହ ପାଣି ପିଇଥିବା ପରିବାର ଲୋକେ କହିଛନ୍ତି। ବଞ୍ଚତ୍ଥିବା ଦାବି କରି ସେମାନେ ଗୁଣିଆଙ୍କୁ ଡାକିଥିଲେ। ଜଣେ ମହିଳା ଏବଂ ପୁରୁଷ ଗୁଣିଆ ପହଞ୍ଚତ୍ ମୃତ ସୁହାଗିନୀଙ୍କୁ ଝଡ଼ାଫୁଙ୍କା କରିଥିଲେ। ଦୀର୍ଘ ସମୟ ଧରି ଝଡ଼ାଫୁଙ୍କା କରିବା ସହ ସୁହାଗିନୀ ବଞ୍ଚତ୍ଛନ୍ତି ବୋଲି ସେମାନେ କହିଥିଲେ। ଏହାପରେ ଅଧା ରହିଗଲା ଜୁଇ ପ୍ରସ୍ତୁତି। ପରିବାର ଲୋକେ ମୃତଦେହକୁ ଜୀବିତ କହି ପୁଣି ଉଦଳା ଡାକ୍ତରଖାନାରେ ପହଞ୍ଚତ୍ଥିଲେ। ଡାକ୍ତର ଦେଖିବା ପରେ ସୁହାଗିନୀଙ୍କର ମୃତ୍ୟୁ ହୋଇସାରିଥିବା କହିଥିଲେ। କିନ୍ତୁ ପରିବାର ଲୋକେ ଏହାକୁ ଗ୍ରହଣ କରିବାକୁ ନାରାଜ ହୋଇଥିଲେ। ପୂର୍ବରୁ ସୁହାଗିନୀଙ୍କ ମୃତ୍ୟୁ ହୋଇ ନ ଥିବା ଏବଂ ଡାକ୍ତର ଅବହେଳା କରିଥିବା କହି ଡାକ୍ତରଖାନା ପରିସରରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ଏବଂ ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ପରିବାର ଲୋକେ ମୃତଦେହକୁ ନେଇ ଘରକୁ ଚାଲିଯାଇଥିଲେ। ଅଧା ରହିଥିବା ଅନ୍ତିମ ସଂସ୍କାର କାମ ଶେଷ କରିବେ ବୋଲି କହିଥିଲେ।