କେସିଙ୍ଗା,୬ା୩(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ମିନି ଷ୍ଟାଡିୟମ ପାଖରେ ଥିବା ଆର୍ଏମ୍ଏନ୍ ଗ୍ରାନାଇଟ୍ ଫ୍ୟାକ୍ଟ୍ରି ଷ୍ଟାଫ୍ କ୍ୱାର୍ଟର୍ସ ଭିତରେ ଫ୍ୟାକ୍ଟ୍ରିର ଟ୍ରେଲର ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କ ସୋମବାର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ହରିୟାଣା ରାଜ୍ୟର ଲକ୍ଷ୍ମଣ (୪୫) ବୋଲି ଜଣାପଡ଼ିଛି। ଆଜି ସକାଳ ୮ଟାରୁ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଅପରାହ୍ନ ସାଢ଼େ ୨ଟା ପର୍ଯ୍ୟନ୍ତ ପୋଲିସକୁ ଖବର ଦିଆଯାଇ ନ ଥିବା ଜଣାପଡ଼ିଥିଲା। ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ହସ୍ତକ୍ଷେପ ପରେ ପୋଲିସକୁ ଖବର ଦିଆଯାଇଥିଲା। ମୃତକ ଜଣକ ୭ ଦିନ ହେଲାଣି ପଥର ବୋଝେଇ ଟ୍ରେଲର ସହ ଫେରାର ଥିବାର ଫ୍ୟାକ୍ଟ୍ରି ମ୍ୟାନେଜର ପ୍ରକାଶ କରିଛନ୍ତି। ରବିବାର ରାତିରେ ମଦ ପିଇ ଦେହ ଖରାପ ହେବାରୁ ମୃତକଙ୍କୁ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା। ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ପୋଲିସ ପହଞ୍ଚି ନ ଥିବାର ଜଣାପଡ଼ିଛି। ଏ ନେଇ ଗତକାଲି ଚିକିତ୍ସା କରିଥବା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ବେହେରାଙ୍କୁ ପଚାରିବାରୁ ମଦ ପିଇଥିବାର ଜଣାପଡ଼ିଛି ବୋଲି କହିଛନ୍ତି।