୨ ବର୍ଷ ହେଲା ମୃତଦେହ ସାଇତି ରଖିଛନ୍ତି

ମାଲକାନଗିରି,୪ା୩ (ଡ.ଏନ.ଏ.): ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡା ଜିଲାର କିରନଡୁଲ ଅଞ୍ଚଳରେ ନ୍ୟାୟ ପାଇଁ ବଦରୁ ମାଡବିଙ୍କ ମୃତଦେହକୁ ୨ବର୍ଷ ହେଲା ସାଇତି ରଖିଛନ୍ତି ଗ୍ରାମବାସୀ ଓ ପରିବାର ଲୋକେ। ଏହି ଘଟଣା ସାଧାରଣରେ କୌତୂହଳ ସୃଷ୍ଟି କରିଛି। ଖବରରୁ ଜଣାପଡିଛି ୨୦୨୦ ମାର୍ଚ୍ଚ ୧୯ ତାରିଖରେ ଗଙ୍ଗାଲୁରୁ ଜଙ୍ଗଲରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଗୁଳି ବିନିମୟ ବେଳେ ମାଓବାଦୀ ବଦରୁ ମାଡବି ନିହତ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଥିଲା। ତେବେ ଏହାକୁ ଖଣ୍ଡନ କରିଛନ୍ତି ବଦରୁଙ୍କ ପରିବାର ଲୋକେ। ବଦରୁଙ୍କୁ ଯବାନମାନେ ମାରିବା ସମୟରେ ତାଙ୍କ ସାନଭାଇ ସାନୁ ତାଙ୍କ ନିକଟରେ ଥିଲେ। ସାନୁ କହିଛନ୍ତି, ବଦରୁ ଏବଂ ସେ ମହୁଲ ଫୁଲ ସଂଗ୍ରହ ବେଳେ ପ୍ରଥମେ ଯବାନମାନେ ଆସି ଆମକୁ ଘେରିଯାଇଥିଲେ। ବିନା କାରଣରେ ସେମାନେ ଭାଇ ବଦରୁଙ୍କୁ ଗୁଳି କରି ହତ୍ୟା କରିଥିଲେ। ପରେ ସାନୁ ସେଠାରୁ ଖସି ଦୌଡି ପଳାଇ ଆସିଥିଲେ। ସେବେଠାରୁ ପରିବାର ଲୋକେ ବଦରୁଙ୍କୁ ନ୍ୟାୟ ଦାବି କରି ତାଙ୍କ ମୃତଦେହକୁ ବିଭିନ୍ନ ଜଡିବୁଟି, ତେଲ ଓ ଲୁଣର ପ୍ରଲେପ ଦେଇ ଏକ ଗାତ ଖୋଳି ସୁରକ୍ଷିତ ରଖିଛନ୍ତି। ଗ୍ରାମବାସୀ ଏଥିରେ ସହଯୋଗ କରି ଆସୁଛନ୍ତି। ସେମାନଙ୍କ କହିବା ଅନୁଯାୟୀ ବଦରୁ କେବେ ମାଓବାଦୀ ସଙ୍ଗଠନରେ କାର୍ଯ୍ୟ କରୁ ନ ଥିଲେ। ତାଙ୍କୁ ବିନା କାରଣରେ ପୋଲିସ ମାରିଦେଇଛି। ନ୍ୟାୟ ପାଇବା ଯାଏ ଆମେ ତାଙ୍କ ମରଶରୀରକୁ ଏଭଳି ସାଇତି ରଖିବୁ ବୋଲି ଗ୍ରାମବାସୀ କହିଛନ୍ତି। ସୂଚନାଯୋଗ୍ୟ, ସେ ସମୟରେ ପରିବାର ଲୋକେ ଦାନ୍ତଓ୍ବୋଡା ପୋଲିସ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଇ ନ ଥିଲା। ଏବେ ଏହି ଘଟଣା ଲୋକ ଲୋଚନକୁ ଆସିଲା।

Share