ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ

କୋକସରା,୬।୧୨(ଡି.ଏନ.ଏ.): ସିକନ୍ଦରାବାଦରେ ଇଟାଭାଟିରେ ପୋଡ଼ି ମୃତ୍ୟୁବରଣ କରିଥିବା କଳାହାଣ୍ଡି ଜିଲା କୋକସରା ବ୍ଲକ ସାନପୋଡ଼ା ପଞ୍ଚାୟତ ନେଗିଗୁଡା ଗ୍ରାମର ସତ୍ୟ ସୁନା(୨୭)ଙ୍କ ମୃତଦେହ ମଙ୍ଗଳବାର ପହଞ୍ଚିଛି। ଶୋକାକୁଳ ପରିବେଶ ମଧ୍ୟରେ ଗାଁ ମଶାଣିରେ ତାଙ୍କର ସତ୍କାର କରାଯାଇଛି।

କୋକସରା ବ୍ଲକ ସାନପୋଡ଼ା ପଞ୍ଚାୟତ ନେଗିଗୁଡା ଗ୍ରାମର ସତ୍ୟ ଗତ ମାସକ ତଳେ ଘରର ଆର୍ଥିକ ସ୍ଥିତିକୁ ଦେଖି ବାପା, ମା’ଙ୍କ ସାହାରା ହେବାକୁ ନୂଆପଡା ଜିଲା ସିନାପାଲି ପିଠାପଡା ଗାଁର ଜଣେ ଦାଦନ ସର୍ଦ୍ଦାର ସୁଧାନ୍ୟ ସୁନାର ପ୍ରଲୋଭନରେ ପଡି ଦାଦନ ଖଟିବାକୁ ସିକନ୍ଦରାବାଦ ଯାଇଥିଲେ। ସେଠାରେ ଏକ ଇଟାଭାଟିରେ ନିୟୋଜିତ ହୋଇଥିଲେ। ଗୁରୁବାର ଭାଟିର ଜଳନ୍ତା ପାଉଁଶ ନିଆଁରେ ପଡି ଗୁରୁତର ହୋଇପଡିଥିଲେ। ତାଙ୍କୁ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୁର୍ଘଟଣା ଖବର ଶୁଣି ବାପା ଓ ଜଣେ ସମ୍ପର୍କୀୟ ସିକନ୍ଦରାବାଦ ଯାଇଥିଲେ। ଶନିବାର ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ତାଙ୍କ ମୃତ୍ୟୁ ଘଟିଥିଲା। ଇଟାଭାଟି ମାଲିକ ଏକ ଆମ୍ବୁଲାନ୍ସରେ ମୃତଦେହ ତାଙ୍କ ଗ୍ରାମକୁ ପଠାଇଥିଲେ।

ସୂଚନାଯୋଗ୍ୟ ଯେ, ଗତ ୬ ମାସ ମଧ୍ୟରେ ୧୦ଜଣ ଦାଦନ ଶ୍ରମିକଙ୍କ ମୃତଦେହ କୋକସରା ବ୍ଲକର ବିଭିନ୍ନ ଗ୍ରାମକୁ ଫେରିଛି।

Share