ହଷ୍ଟେଲରେ ରହି ପଢ଼ିବାକୁ ଯାଇଥିଲେ, ଘରକୁ ଫେରିଲା ଛାତ୍ରୀଙ୍କ ମୃତଦେହ

ବାଲିଗୁଡ଼ା,୨୬ା୬(ସଞ୍ଜୟ କୁମାର ପାଣିଗ୍ରାହୀ): ହଷ୍ଟେଲରେ ରହି ପାଠ ପଢ଼ିବାକୁ ଯାଇଥିଲେ ଜଣେ ଛାତ୍ରୀ। ହେଲେ ଘରକୁ ଫେରିଲା ତାଙ୍କ ମୃତଦେହ। ଏଭଳି ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବୁଡ୍ରୁକିଆ ଆଶ୍ରମ ବିଦ୍ୟାଳୟରେ।
ସୂଚନାନୁଯାୟୀ, ବୁଡ୍ରୁକିଆ ଆଶ୍ରମ ବିଦ୍ୟାଳୟର ହଷ୍ଟେଲରେ ରହି ତୃତୀୟ ଶ୍ରେଣୀରେ ପାଠ ପଢୁଥିଲେ କୁଟିକିଆ ପଞ୍ଚାୟତର ସରୁକୁଇ ଗ୍ରାମର ଆଦିବାସୀ ଛାତ୍ରୀ ମିତା ମଲ୍ଲିକ। ଗତ ଦୁଇଦିନ ହେବ ମିତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନ ଥିଲା। ବୁଧବାର ସ୍କୁଲ କର୍ତ୍ତୃପକ୍ଷ ଛାତ୍ରୀଙ୍କ ପରିବାର ଲୋକଙ୍କୁ ଡକାଇ ଛାତ୍ରୀଙ୍କୁ ଚିକିତ୍ସା ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ତେବେ ଚିକତ୍ସିତ ଅବସ୍ଥାରେ ମିତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକ ଘୋଷଣା ପରେ ଶୋକାକୁଳ ପରିବେଶରେ ଝିଅର ମୃତଦେହକୁ ନେଇ ସରୁକୁଇ ଗ୍ରାମକୁ ଫେରିଛନ୍ତି। ଘଟଣାକୁ ନେଇ ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।