କଣ୍ଟିପାଳ,୨୯ା୫(ଡି.ଏନ୍.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ମୋଚିନ୍ଦା ପଞ୍ଚାୟତ ଖଡ଼ିପାଳ ଗ୍ରାମରେ ଥିବା ମଦଭାଟି ନିକଟରେ ସୋମବାର ଭୋର ସମୟରେ ଗ୍ରାମବାସୀ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ।
ସୂଚନାରୁ ପ୍ରକାଶ, ମୋଚିନ୍ଦା ପଞ୍ଚାୟତ ବେଲେଦା ଗ୍ରାମର ଜଣେ ଯୁବକ ଖଡ଼ିପାଳ ମଦ ଭାଟିରେ କାମ କରନ୍ତି। ପ୍ରତିଦିନ ପରି ଯୁବକ ଜଣକ ଗତକାଲି ମଧ୍ୟ ମଦଭାଟିକୁ କାମ କରିବାକୁ ଆସିଥିଲେ ହେଲେ ଆଜି ସକାଳୁ ମଦଭାଟି ପାଖରେ ତାଙ୍କର ମୃତଦେହ ପଡ଼ିଥିବା ଜଣାପଡ଼ିଥିଲା।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିଥିବା ଜଣାପଡ଼ିଛି। ଯୁବକଙ୍କୁ ମଦଭାଟି ଲୋକ ମାରି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ଏହାର ତଦନ୍ତ କରି ଉଚିତ ନ୍ୟାୟ ମିଳିବା ପାଇଁ ସାଧାରଣରେ ଦାବି ହୋଇଛି।