ଦାଦନ ଖଟିବାକୁ ଯାଇ ଗାଁକୁ ଫେରିଲା ମୃତଦେହ

ଚିତ୍ରକୋଣ୍ଡା,୩ା୭(କ୍ଷୀରୋଦ ବେହେରା): ଦାଦନ ଖଟିବାକୁ ଯାଇ ଗାଁକୁ ଫେରିଛି ମୃତଦେହ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଟନେଲକ୍ୟାମ୍ପ ପଞ୍ଚାୟତ ଅନ୍ତର୍ଭୁକ୍ତ ଡାଇକ ଓ୍ବାନ୍‌ ଗ୍ରାମରେ।
ମିଳିଥିବା ସୂଚନାନୁଯାୟୀ, ଡାଇକ ଓ୍ବାନ୍‌ ଗ୍ରାମର ଲକ୍ଷ୍ମଣ ଖରାଙ୍କ ପୁଅ ଭାସ୍କର ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶର ହାଇଦ୍ରାବାଦ ଜିଲା ନିଜାମବାଦ ଯାଇଥିଲେ। ସେ ଦୀର୍ଘ ୧୦ ବର୍ଷ ହେଲା ଆଖପାଖ ଅଞ୍ଚଳରେ ଦାଦନ କାର୍ଯ୍ୟ କରିଆସୁଥିଲେ। ମଙ୍ଗଳବାର ଏକ ଡ୍ରେନ୍‌ କାମ କରୁଥିବା ସମୟରେ ହଠାତ୍‌ ତଳେ ପଡ଼ିଯାଇଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ପ୍ରକାଶ ଥାଉକି, ଭାସ୍କରଙ୍କୁ ମାଲକାନଗିରି ଜିଲା କାଲିମେଳା ଏମ୍‌ଭି -୫୨ର ଠିକାଦାର ବାଲାଶଙ୍କର ମଣ୍ଡଳ କାମରେ ଲଗାଇ ଆସୁଥିଲେ। ଆଜକୁ ୧୦ ବର୍ଷ ହେବ ଲୋକଙ୍କୁ ନେଇ ଆନ୍ଧ୍ରରେ କାମରେ ଲଗାଉଥିଲେ ବାଲାଶଙ୍କର। ଅତୀତରେ ସେଇ ସମାନ ଟନେଲ କ୍ୟାମ୍ପ ପଞ୍ଚାୟତ ପରଜାଗୁଡ଼ା ଗ୍ରାମର ଆଗରୁ ଜଣେ ଯାଇ ମୃତ୍ୟୁ ହୋଇ ଗାଁକୁ ମୃତଦେହ ଫେରିଥିଲା। ଆନ୍ଧ୍ରକୁ କାମ କରିବାକୁ ଡାଇକ ଓ୍ବାନ୍‌ ଓ ବାଲିଗୁଡ଼ା ଗ୍ରାମର ୪ ଜଣ ପୁଅ ଓ ଝିଅ ମିଶି କାମ କରିବାକୁ ଯାଇଥିଲେ। ଭାସ୍କରଙ୍କ ମୃତଦେହ ସହିତ ଦୁଇ ଜଣ ଗାଁକୁ ଫରିଥିବା ବେଳେ ଆଉ ଜଣେ ଝିଅ ଫେରି ନ ଥିବା ଜାଣିବାକୁ ମିଳିଛି। ତାଙ୍କ ବିବାହ ମାତ୍ର ଏକ ବର୍ଷ ହେଲା ହୋଇଛି ତାଙ୍କର ବୃଦ୍ଧ ବାପା ମା’ ଅଛନ୍ତି। ଏଭଳି ଆନ୍ଧ୍ରକୁ କାମ କରିବାକୁ ଯାଇ ସେଠି ମୃତୁ ଘଟୁଛି। ଆଜି ଗାଁକୁ ଭାସ୍କରଙ୍କ ମୃତଦେହ ଫେରିଛ। ଏନେଇ ଗାଁ ଓ ପରିବାରରେ ଶୋକର ଛାୟା ଖେଳିଯାଇଛି। ଆଜି ତାଙ୍କର ଅନ୍ତେଷ୍ଟି କ୍ରିୟା ସମ୍ପନ୍ନ ହୋଇଛି।

Share