ନିଖୋଜର ୮ ଦିନ ପରେ ବୈତରଣୀରୁ ମିଳିଲା ବୃଦ୍ଧଙ୍କ ମୃତଦେହ

ପାଟଣା,୨ା୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଡ଼ାଳପକା ଗାଁ ବୈତରଣୀ ନଦୀର ଘୁର୍ଣ୍ଣିଦର ଘାଟରୁ ସୋମବାର ଜଣେ ବୃଦ୍ଧଙ୍କ ଗଳିତ ମୃତଦେହ ଭାସୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି। ମୃତକ ଜଣକ ହେଉଛନ୍ତି ସାହାରପଡ଼ା ବ୍ଲକ କପୁଣ୍ଡି ପଞ୍ଚାୟତ ଧାନ ବେଣୀ ଗ୍ରାମର ହୀରା ଲାଲ ମହାନ୍ତ(୫୬)।

ହୀରା ଲାଲ୍‌ ଗତ ସୋମବାର ସନ୍ଧ୍ୟାରେ ୨ ବନ୍ଧୁଙ୍କ ସହ କପୁଣ୍ଡି ଗ୍ରାମ ରୁଗୁଡି ଭାଡ଼ିସାହିକୁ କରମା ନୃତ୍ୟ ଦେଖିବାକୁ ଯାଇ ନିଖୋଜ ଥିଲେ। ନିଖୋଜ ହେବାର ୮ ଦିନ ପରେ ୧୫ କିମି ଦୂର ଡାଳପକା ନଦୀ ଘାଟରୁ ସନ୍ଦେହଜନକ ଭାବେ ତାଙ୍କ ଗଳିତ ମୃତଦେହ ଜବତ ହୋଇଛି। ପରିବାର ଲୋକେ ଏହାକୁ ଏକ ସୁପରି କଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରି ତଦନ୍ତ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ସୋମବାର ସକାଳୁ କିଛି ଲୋକ ବୈତରଣୀରେ ମୃତଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

Share