ପିକ୍‌ନିକ୍‌ ଯାଉଛି କହି ଫେରି ନ ଥିଲେ ଘରକୁ, ଆଜି ପୋଲରେ ଝୁଲିଥିଲା ମୃତଦେହ

ବଡ଼ବିଲ,୨୦ା୧(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଲାଣୀ ଥାନା ଅନ୍ତର୍ଗତ କାରୋନଦୀ ପୋଲରୁ ଶନିବାର ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ମୃତକ ଜଣକ ହେଲେ ଯୋଡ଼ା ଅଞ୍ଚଳରେ ରହୁଥିବା ଝାଡ଼େଶ୍ୱର ସାହୁ(୬୨)।
ସୂଚନା ଅନୁଯାୟୀ, ଝାଡ଼େଶ୍ୱର ଟାଟା ଷ୍ଟିଲ କମ୍ପାନୀରୁ ଅବସର ପରେ ଯୋଡ଼ାରେ ସପରିବାର ରହି ବଲାଣୀ ଅଞ୍ଚଳରେ ଥିବା କୌଣସି ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ଶୁକ୍ରବାର ପକ୍‌ନିକ୍‌ ଯାଉଛି କହି ଆଉ ଘରକୁ ଫେରି ନ ଥିଲା ବେଳେ ଶନିବାର ବଡ଼ବିଲ – ବଲାଣୀ ରାସ୍ତାରେ ଥିବା କାରୋ ନଦୀ ପୋଲରେ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି ବୋଲି ଝାଡ଼େଶ୍ୱରଙ୍କ ପୁଅ ମନୋରଞ୍ଜନ କହିଛନ୍ତି। ତେବେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ତଦନ୍ତ ଜାରି ରଖିଥିଲେ ହେଁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ।

Share