Advertisement

ବଜ୍ରକାପ୍ତା ବିକ୍ରି ପାଇଁ ଚାଲିଥିଲା ଡିଲ୍‌, ମାଡ଼ିବସିଲା ଏସ୍‌ଟିଏଫ୍‌

ବୌଦ୍ଧ,୨୩ା୩(ସ୍ବ.ପ୍ର.): ବଜ୍ରକାପ୍ତା ବିକ୍ରି ଉଦ୍ୟମ ବେଳେ ବୌଦ୍ଧ ଜିଲା ଜାମୁଖୋଲ ଗ୍ରାମର ଦୁଇ ଶିକାରୀଙ୍କୁ ଗିରଫ କରିଛି ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ l ବଜ୍ରକାପ୍ତା ଡିଲ୍‌ ବେଳେ ଏସ୍‌ଟିଏଫ୍‌ ମାଡ଼ିବସିଛି। ବୌଦ୍ଧ ୫୭ ନମ୍ବର ଜାତୀୟ ରାଜପଥ ପଳାଶ ନିକଟରେ ବଜ୍ରକାପ୍ତା ବିକ୍ରି ଉଦ୍ୟମ ଖବର ପାଇ ବନବିଭାଗ ଓ ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା।

ମିଳିଥିବା ସୂଚନାନୁଯାୟୀ, ଜବତ ହୋଇଥିବା ଦୁଇଟି ବଜ୍ରକାପ୍ତା ମଧ୍ୟରୁ ଗୋଟିଏ ମାଈ ଓ ଗୋଟିଏ ଅଣ୍ଡିରା  ରହିଛି। ୧୩ ଓ ୧୦ କେଜି ଓଜନର ଦୁଇଟି ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଦୁଇ ଶିକାରୀ ଗିରଫ ହୋଇଛନ୍ତି। ଶିକାରୀ ଦୁଇଜଣ ହେଲେ ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଜାମୁଖୋଲ ଗ୍ରାମର ଉତ୍ସବ କହଁର ଓ ପ୍ରଶାନ୍ତ ବେହେରା ବୋଲି ସ୍ପେଶାଲ ଟାସ୍କ ଫୋର୍ସ ସୂଚନା ଦେଇଛି। ଦୁଇ ଶିକାରୀଙ୍କୁ ଅଟକ ରଖି ଅଧିକ ତଦନ୍ତ କରାଯାଉଛି। ଅନ୍ୟପଟେ ଦୁଇ ବଜ୍ରକାପ୍ତା ସୁରକ୍ଷିତ ଅଛନ୍ତି ତାଙ୍କୁ ଜଙ୍ଗଲରେ ଛଡ଼ାଯିବ ବୋଲି ବୌଦ୍ଧ ଡିଏଫ୍‌ଓ ସୂଚନା ଦେଇଛନ୍ତି।

ସୂଚନା ଥାଉକି, ରବିବାର ବୌଦ୍ଧ ହରଭଙ୍ଗାରୁ ଗୋଟିଏ ବାଘ ଛାଲ ଓ ୨ଟି ହରିଣ ଛାଲ ଜବତ କରିବା ସହ ଜଣକୁ ଗିରଫ କରିଥିଲା ଏସ୍‌ଟିଏଫ୍‌। ଏହା ପୂର୍ବରୁ ଦୁଇ ଥର ବୌଦ୍ଧ ଜିଲାରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯିବା ସହ ସମ୍ପୃକ୍ତ ଶିକାରୀମାନକୁ ଗିରଫ କରିଥିଲା ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ। ତେବେ ଜିଲାରେ ବନ୍ୟଜନ୍ତୁ ଶିକାରର ଏକ ବିରାଟ ରାକେଟ କାମ କରୁଥିବା ନେଇ ଜୋର୍‌ ଚର୍ଚ୍ଚା ହେଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share